ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁଇଦିନିଆ ପ୍ରଥମ ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ସମ୍ମିଳନୀ ‘ହେଲ୍‌ଥ ମେଡିକନ୍-୨୦୧୯’ ମଙ୍ଗଳବାର ଉଦଯାପିତ ହୋଇଛି।

ଭୁବନେଶ୍ଵର ଓୟୁଏଟି (ଓଡ଼ିଶା ୟୁନିଭର୍ସିଟି ଅଫ୍‌ ଏଗ୍ରିକଲଚର ଆଣ୍ଡ ଟେକ୍‌ନୋଲୋଜି)ରେ ଆୟୋଜିତ ଦୁଇଦିନିଆ ପ୍ରଥମ ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ସମ୍ମିଳନୀ ‘ହେଲ୍‌ଥ ମେଡିକନ୍-୨୦୧୯’ ମଙ୍ଗଳବାର ଉଦଯାପିତ ହୋଇଛି।

ଇଣ୍ଡିଆନ ପ୍ରୋକ୍ଟୋଲୋଜି ସୋସାଇଟି (ଆଇପିଏସ୍) ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ମିଳିତ ଉଦ୍ୟମରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ଏହି ସମ୍ମିଳନୀରେ ଔଷଧ, ପ୍ରଯୁକ୍ତି ଏବଂ ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ସଂପର୍କିତ ସର୍ବାଧୁନିକ ବ୍ୟବସ୍ଥା ଉପରେ ବ୍ୟାପକ ଆଲୋଚନା ହୋଇଥିଲା । ଏଥିରେ ଦେଶ ଓ ବିଦେଶର ୩୦୦ରୁ ଅଧିକ ବିଶେଷଜ୍ଞ ଯୋଗ ଦେଇଥିବା ବେଳେ ୮୦ରୁ ଅଧିକ ଗବେଷଣାତ୍ମକ ନିବନ୍ଧ ଉପସ୍ଥାପନ କରାଯାଇଥିଲା ।

ଉଦଯାପନୀ ଉତ୍ସବରେ ବିଧାନସଭା ବାଚସ୍ପତି ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ।

ଏହି ଅବସରରେ ଅସ୍ତ୍ରୋପଚାର କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଦେଶବିଦେଶର ୨୦ ଜଣ ବିଶିଷ୍ଟ ବିଶେଷଜ୍ଞଙ୍କୁ ଇଣ୍ଡିଆନ ପ୍ରୋକ୍ଟୋଲୋଜି ସୋସାଇଟି (ଆଇପିଏସ୍)ର ସର୍ବୋଚ୍ଚ ସମ୍ମାନ ‘ଏଫ୍ଏଆର୍ସିଏସ୍’ ଏବଂ ବିଭିନ୍ନ କ୍ଷେତ୍ରର ୫୦ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଇପିଏସ୍ ଫେଲୋସିପ୍ ‘ଏଫ୍ଆଇପିଏସ୍’ପ୍ରଦାନ କରାଯାଇଥିଲା ।

୨୧ ତାରିଖରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।

ଆଇପିଏସ୍ ସୋଭେନିୟର ଏବଂ ପ୍ରଫେସର ଚତୁର୍ଭୁଜ ଭୂୟାଁଙ୍କ ଦ୍ୱାରା ରଚିତ ମଳାଶୟ ରୋଗ ସମ୍ପର୍କିତ ପୁସ୍ତକ ‘ଫିସ୍’ଉନ୍ମୋଚିତ ହୋଇଥିଲା । ସମ୍ମିଳନୀରେ ବିଶ୍ୱର ବିଭିନ୍ନ ଭାଗରୁ ଏଲୋପାଥି, ହୋମିଓପାଥି, ଆୟୁର୍ବେଦ, ଦନ୍ତ ଚିକିତ୍ସା, ଯୋଗ, ଫାର୍ମାସି, ଇଂଜିନିୟରିଂ, କୃଷି ବିଜ୍ଞାନ, ବନ ବିଜ୍ଞାନ, ଜୈବଭେଷଜ ବିଜ୍ଞାନ ଆଦି କ୍ଷେତ୍ରର ବିଶିଷ୍ଟ ବୈଜ୍ଞାନିକ, ଗବେଷକ, ଶିକ୍ଷକ, ଚିକିତ୍ସକ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ ।

Comment