ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପ୍ରିୟଙ୍କା ଗାନ୍ଧି ହେଉଛନ୍ତି ଗାନ୍ଧି-ନେହେରୁ ପରିବାରର ୧୧ତମ ସଦସ୍ୟ, ଯିଏ କଂଗ୍ରେସ ରାଜନୀତିରେ କରିଛନ୍ତି ଏଣ୍ଟ୍ରି।

କଂଗ୍ରେସ ରାଜନୀତି କଥା ଉଠିଲେ ଲୋକଙ୍କ ନଜରକୁ ଗାନ୍ଧି-ନେହେରୁ ପରିବାରର ଛବି ଚାଲିଆସେ। କାରଣ ଦେଶ ସ୍ୱାଧୀନ ହେବା ପୂର୍ବରୁ ଗାନ୍ଧି-ନେହେରୁ ପରିବାର ହାତରେ ହିଁ କଂଗ୍ରେସର ଶାସନ ଡୋର ରହି ଆସିଛି।

ମୋତିଲାଲ ନେହେରୁଙ୍କଠାରୁ ଆରମ୍ଭ ହୋଇଥିବା ଏହି ପରମ୍ପରା ଏବେ ପ୍ରିୟଙ୍କା ଗାନ୍ଧିଙ୍କ ପାଖରେ ପହଞ୍ଚିଛି। ୨୦୧୯ ନିର୍ବାଚନର ଅଳ୍ପ କିଛି ମାସ ପୂର୍ବରୁ ପ୍ରିୟଙ୍କା କଂଗ୍ରେସ ରାଜନୀତିରେ ପାଦ ଦେଇ ପୂର୍ବାଞ୍ଚଳ ଉତ୍ତରପ୍ରଦେଶର ଦାୟିତ୍ୱ ନେଇଛନ୍ତି। ଏହାକୁ ବିଜେପି ‘ପରିବାରବାଦ’ କହି ସମାଲୋଚନା କରିଛି।

ଏବେ ନଜର ପକାଇବା ମୋତିଲାଲ୍ ନେହେରୁଙ୍କଠାରୁ ପ୍ରିୟଙ୍କା ଗାନ୍ଧିଙ୍କ ପର୍ଯ୍ୟନ୍ତ କେଉଁ କେଉଁ ନେତା କଂଗ୍ରେସରେ ପ୍ରଭାବ ବିସ୍ତାର କରିଆସିଛନ୍ତି।

ଦୁଇ ଥର କଂଗ୍ରେସ ଅଧ୍ୟକ୍ଷ ମୋତିଲାଲ

ମୋତିଲାଲ ନେହେରୁଙ୍କ ପାଖରୁ ହିଁ କଂଗ୍ରେସରେ ଗାନ୍ଧି ପରିବାରର ଯୁଗ ଆରମ୍ଭ ହୋଇଥିଲା। ପ୍ରଥମେ ମୋତିଲାଲ କଂଗ୍ରେସର ସାଧାରଣ ସଦସ୍ୟ ଭାବେ କାମ କରିଥିଲେ। ସେତେବେଳେ ସେ ବ୍ରିଟିଶ ସରକାରଙ୍କ ବିରୋଧରେ ଦେଶ ସ୍ୱାଧୀନ ପାଇଁ ଲଢ଼େଇ କରିଥିଲେ। ମୋତିଲାଲ ୧୯୧୯-୧୯୨୦ ଏବଂ ୧୯୨୮-୧୯୨୯ ପର୍ଯ୍ୟନ୍ତ କଂଗ୍ରେସର ଅଧ୍ୟକ୍ଷ ରହିଥିଲେ।

କଂଗ୍ରେସରେ ଜବାହର

ମୋତିଲାଲ ନେହେରୁଙ୍କ ପରେ ତାଙ୍କ ପୁଅ ଜବାହରଲାଲ୍ ନେହେରୁ କଂଗ୍ରେସରେ ପାଦ ଦେଇଥିଲେ। କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିବା ବେଳେ ୧୯୧୨ରେ ହିଁ ଜବାହର କଂଗ୍ରେସରେ ପ୍ରବେଶ କରିଥିଲେ। ପରେ ୧୯୨୩ରେ କଂଗ୍ରେସର ମହାସଚିବ ହୋଇଥିଲେ ଜବାହରଲାଲ ନେହେରୁ। ଏହାପରେ ଜବାହର ଆଉ ପଛକୁ ଫେରି ଚାହିଁ ନଥିଲେ। ନିଜର ବଳିଷ୍ଠ ନେତୃତ୍ୱ ପାଇଁ ସେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ।

ଇନ୍ଦିରାଙ୍କ ଦବ୍‌ଦବା

ଜବାହରଲାଲ୍ ନେହେରୁ ଜୀବୀତ ଥିବା ବେଳେ କଂଗ୍ରେସରେ ପ୍ରବେଶ କରିଥିଲେ ତାଙ୍କ ଝିଅ ଇନ୍ଦିରା ଗାନ୍ଧି। ୧୯୫୮ରେ ଇନ୍ଦିରାଙ୍କୁ କଂଗ୍ରେସ ସଂସଦୀୟ ବୋର୍ଡର ସଦସ୍ୟ ପଦରେ ନିଯୁକ୍ତ କରାଯିବା ପରେ ସେ ଲମ୍ବା ସମୟ ଧରି କଂଗ୍ରେସର ଅଧ୍ୟକ୍ଷା ରହିଥିଲେ।

ଭାରତ ରତ୍ନ ପୁରସ୍କାର ପାଇଥିବା ଇନ୍ଦିରାଙ୍କ ନେତୃତ୍ୱରେ କଂଗ୍ରେସ ସଙ୍ଗଠନ ମଜଭୁତ ହୋଇଥିଲା। ପରେ ସେ ଭାରତର ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ।

କେବଳ ସେତିକି ନୁହେଁ, ଇନ୍ଦିରାଙ୍କ ସ୍ୱାମୀ ଫିରୋଜ ଗାନ୍ଧି ବି କଂଗ୍ରେସରେ କିଛି ସମୟ ପାଇଁ ସକ୍ରିୟ ଥିଲେ। ରାୟବରେଲିରୁ ସାଧାରଣ ନିର୍ବାଚନ ଲଢ଼ି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଫିରୋଜ।

୧୯୮୦ରେ କଂଗ୍ରେସ ଆସିଲେ ସଞ୍ଜୟ ଗାନ୍ଧି

ଇନ୍ଦିରା ଗାନ୍ଧି ଜୀବୀତ ଥିବା ବେଳେ ସଞ୍ଜୟ ଗାନ୍ଧି ଆସିଥିଲେ ରାଜନୀତିକୁ। ୧୯୮୦ରେ ସେ କଂଗ୍ରେସରେ ଏଣ୍ଟ୍ରି କରିଥିଲେ। ଚର୍ଚ୍ଚା ହେଉଛି ଯେ ଇନ୍ଦିରା ଗାନ୍ଧିଙ୍କ କ୍ୟାବିନେଟ ଉପରେ ସଞ୍ଜୟ ଗାନ୍ଧିଙ୍କର ପୂରା ଦଖଲ ରହିଥିଲା। କ୍ୟାବିନେଟରେ କ’ଣ ନିଷ୍ପତ୍ତି ନିଆଯିବ ତାହା କୁଆଡ଼େ ସଞ୍ଜୟ ହିଁ ଚୂଡ଼ାନ୍ତ କରୁଥିଲେ। ଉତ୍ତରପ୍ରଦେଶର ଆମେଥିରୁ ସଞ୍ଜୟ ନିର୍ବାଚନ ଜିତିଥିଲେ। କିନ୍ତୁ ଅଳ୍ପ ବୟସରେ ହେଲିକପ୍ଟର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା।

ପାଇଲଟ ଚାକିରି ଛାଡ଼ି କଂଗ୍ରେସ ଆସିଲେ ରାଜୀବ

ସଞ୍ଜୟ ଗାନ୍ଧିଙ୍କ ମୃତ୍ୟୁ ପରେ କଂଗ୍ରେସର ମଙ୍ଗ କିଏ ସମ୍ଭାଳିବ ତାକୁ ନେଇ କଂଗ୍ରେସ ଶିବିରରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଚିନ୍ତାରେ ପଡ଼ିଯାଇଥିଲେ ଇନ୍ଦିରା। ଶେଷରେ ମାଆ ଇନ୍ଦିରାଙ୍କ ନିର୍ଦ୍ଦେଶରେ ପାଇଲଟ ଚାକିରି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିଲେ ରାଜୀବ ଗାନ୍ଧି।

ଇନ୍ଦିରାଙ୍କ ମୃତ୍ୟୁ ପରେ ୧୯୮୧ରେ କଂଗ୍ରେସରେ ପାଦ ଦେଇଥିବା ରାଜୀବଙ୍କ ରାଜୁତି ଚାଲିଥିଲା। ସେ ୧୯୮୪ରେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ହେଲେ ୧୯୯୧ରେ ବୋମା ବିସ୍ଫୋରଣରେ ରାଜୀବଙ୍କ ଦେହାନ୍ତ ହୋଇଥିଲା।

ସୋନିଆ ଧରିଲେ କଂଗ୍ରେସ ମଙ୍ଗ

ରାଜୀବ ଗାନ୍ଧିଙ୍କ ଅକାଳ ବିୟୋଗ ପରେ କଂଗ୍ରେସରେ ନେତୃତ୍ୱ ସଙ୍କଟ ଦେଖାଦେଇଥିଲା। କାହା ନେତୃତ୍ୱରେ କଂଗ୍ରେସ ଡଙ୍ଗା ଆଗକୁ ଯିବ ତାକୁ ନେଇ ଭାଳେଣି ପଡ଼ିଥିଲା। ଶେଷରେ ରାଜୀବ ଗାନ୍ଧିଙ୍କ ପତ୍ନୀ ସୋନିଆ ଗାନ୍ଧି ଧରିଥିଲେ କଂଗ୍ରେସ ମଙ୍ଗ।

୧୯୯୭ରେ କଂଗ୍ରେସର ସଦସ୍ୟ ଭାବେ ସାମିଲ ହୋଇଥିବା ସୋନିଆ ୧୯୯୮ରେ ଅଧ୍ୟକ୍ଷା ହୋଇଥିଲେ ସୋନିଆ।  ୧୯୯୯ରେ ସେ ନିର୍ବାଚନ ଲଢ଼ିଥିଲେ ଏବଂ ଜିତିଥିଲେ। ସୋନିଆ ଲମ୍ବା ସମୟ ଧରି କଂଗ୍ରେସର ଅଧ୍ୟକ୍ଷ ଭାର ସମ୍ଭାଳିଥିଲେ।

ରାହୁଲ ଯୁଗ

ସୋନିଆ ରାଜନୀତିରେ ସକ୍ରିୟ ଥିବା ବେଳେ ରାହୁଲ ଗାନ୍ଧି ଆସିଥିଲେ କଂଗ୍ରେସକୁ। ୨୦୦୪ରେ ସେ ଆମେଥିରୁ ଲୋକସଭା ନିର୍ବାଚନ ଲଢ଼ି ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ୨୦୧୮ ଡିସେମ୍ବରରୁ ରାହୁଲ କଂଗ୍ରେସର ଅଧ୍ୟକ୍ଷ ରହିଛନ୍ତି। ୨୦୧୯ ନିର୍ବାଚନ କଂଗ୍ରେସ ରାହୁଲଙ୍କ ନେତୃତ୍ୱରେ ଲଢ଼ିବାକୁ ଯାଉଛି।

ଭାଇ ପରେ ଭଉଣୀ

ରାହୁଲ କଂଗ୍ରେସର ଅଧ୍ୟକ୍ଷ ଭାର ସମ୍ଭାଳିଥିବା ବେଳେ ଏବେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି କଂଗ୍ରେସରେ ଯୋଡ଼ି ହୋଇଛନ୍ତି। ୨୦୧୪ ନିର୍ବାଚନ ପରେ କଂଗ୍ରେସ ଯେଉଁ ସଙ୍କଟ ଦେଇ ଗତି କରୁଛି ତାକୁ ସୁଧାରିବା ପାଇଁ ପ୍ରିୟଙ୍କା କଂଗ୍ରେସରେ ଏଣ୍ଟ୍ରି କରିଥିବା କୁହାଯାଉଛି। ୨୦୧୪ ନିର୍ବାଚନ ପରେ ଯେତେବେଳେ କଂଗ୍ରେସ ଶୋଚନୀୟ ପରାଜିତ ହୋଇଥିଲା ସେତେବେଳେ ବରିଷ୍ଠ କଂଗ୍ରେସ ନେତାମାନେ ପ୍ରିୟଙ୍କା ଗାନ୍ଧିଙ୍କୁ ଚାହିଁଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ତାହା ସାକାର ହୋଇଛି।

Comment