ଭାସ୍କର ପରିଚ୍ଛା

ଓଡ଼ିଶାରେ ରାଜନେତାମାନଙ୍କ ଆତ୍ମଜୀବନୀ କ୍ୱଚିତ୍‌ ଦେଖିବାକୁ ମିଳେ। ତେବେ ଯେଉଁ ସ୍ୱଳ୍ପ କିଛି ନେତା ଆତ୍ମଜୀବନୀ ଲେଖିଛନ୍ତି ତାହା ନିଃସନ୍ଦେହରେ ଲାକପ୍ରିୟ ହୋଇପାରିଛି ଯଥା ନୀଳମଣି ରାଉତରାୟଙ୍କ ‘ସ୍ମୃତି ଓ ଅନୁଭୂତି’। ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ ରେଳମନ୍ତ୍ରୀ, ସାହିତ୍ୟିକ ଓ ଜଣେ ସତସଙ୍ଗୀ କାହ୍ନୁ ଚରଣ ଲେଙ୍କାଙ୍କ ଆତ୍ମଜୀବନୀ ଏବେ ଏବେ ପ୍ରକାଶ ପାଇଛି। ଅନେକ ଦିନର ବ୍ୟବଧାନ ପରେ ଜଣେ ରାଜନେତାଙ୍କ ଏକ ଜୀବନୀ  ପୁସ୍ତକ ପ୍ରକାଶ ପାଇବା ଖୁସିର ବିଷୟ।

ପୁସ୍ତକର ଆରମ୍ଭରେ କାହ୍ନୁ ଲେଙ୍କା ଲେଖିଛନ୍ତି, “ମୋର ସ୍ମୃତି ଦିଗବଳୟରେ ଗଛିତ ହୋଇ ରହିଛି ଅନେକ କାହାଣୀ। ସେହି କାହାଣୀଗୁଡ଼ିକ ମଧ୍ୟରୁ ଯେଉଁ କାହାଣୀର ଝଲକ ମୋର ମାନସପଟକୁ ବିଶେଷ ଉଦ୍ଭାସିତ କରୁଛି ତାହା ମୋର ବାଲ୍ୟଜୀବନ। ବର୍ତ୍ତମାନ ମୋ’ ପରି ଜଣେ ୭୯ ବର୍ଷ ବୟସ୍କ ମଣିଷ ତା’ ଜୀବନରେ କେତେଦୂର ପର୍ଯ୍ୟନ୍ତ ଘଟଣାଗୁଡ଼ିକର ସ୍ମୃତି ଚାଳନା କରିପାରିବ ତାହା ମୋ’ ପାଇଁ ଚିନ୍ତାର କପଟପଶା  ହୋଇଛି। ମଣିଷ ସଙ୍ଗେ ମଣିଷ କପଟପଶା ଖେଳେ, ମୁଁ ମୋ’ ଚିନ୍ତା ଓ ଚିନ୍ତନ ସଙ୍ଗେ ସେହିଭଳି ଖେଳ ଖେଳି ଅତୀତର ସମାଜ ବକ୍ଷରୁ ବହୁ ଗୁମର ପେଟିକା ଖୋଲିବାକୁ ଯାଉଛି।”

ଆଉ ସେ ଖୋଲିଛନ୍ତି ମଧ୍ୟ। ଚୌଦ୍ୱାର ଓଟିଏମ ବନ୍ଦ ପଛରେ ଜୟନ୍ତୀ ପଟ୍ଟନାୟକଙ୍କ ହାତ ଥିବା, ଚାରବାଟିଆରେ ଇନ୍ଦିରା ଗାନ୍ଧିଙ୍କ ସଭା ପାଇଁ କଳିଙ୍ଗ ଟ୍ୟୁବସର ବିରୋଧ, ବସନ୍ତ ବିଶ୍ୱାଳ ସି କ୍ଲାସ କଣ୍ଟ୍ରାକ୍ଟର ଥାଇ କିଭଳି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସବୁ କଥା ବୁଝୁଥିଲେ, ପ୍ରଦ୍ୟୁମ୍ନ ବଳଙ୍କ ଠାରୁ ଜାନକୀ ବଲ୍ଲଭ  କିଭଳି ଚିକ୍କଣ କଥା କହି କଟକ ଆସନ ପାଇଁ ଉଦ୍ଦିଷ୍ଟ ଟିକେଟ ନେଇ ପଳାଇଲେ, ସଞ୍ଜୟ ଗାନ୍ଧି କିଭଳି  ନନ୍ଦିନୀ ଦେବୀଙ୍କ ପାଇଁ କାଳ ହେଲେ, ତଥାଗତ ଶତପଥୀ କିଭଳି ନିଜର ଏକ ସେନା ତିଆରି କରିଥିଲେ, ଜାନକୀବଲ୍ଲଭଙ୍କ ଗୋଟିଏ ପ୍ରେସରୁ ସୀସା ଚୋରି ଘଟଣା ଆଦି ବହୁ ରହସ୍ୟ ଓ ଅନାଲୋଚିତ ଘଟଣାର ସମାହାର ଏହି ଜୀବନ ସ୍ମୃତି।

କାହ୍ନୁ ଲେଙ୍କା କଟକରୁ ଏମଏ, ଏଲଏଲବି କରିସାରିବା ପରେ ୧୯୬୪ରେ ଭୁବନେଶ୍ୱର କଂଗ୍ରେସ ଅଧିବେଶନ ବେଳେ ଦଳରେ ଯୋଗ ଦେଇଥିଲେ। ତା’ ପରଠାରୁ ଏ ଯାଏଁ ସେ କଂଗ୍ରେସ  ରାଜନୀତିରେ ରହି ଆସିଛନ୍ତି। ସୁତରାଂ ଏହି ପଚାଶ ବର୍ଷରୁ ଅଧିକ ସମୟ ଭିତରେ ଓଡ଼ିଶାରେ ଯେତେ ସବୁ ରାଜନୀତିକ ଘଟଣା ଘଟିଛି ଓ ଯେତେ ଲୋକଙ୍କୁ ସେ ଭେଟିଛନ୍ତି ସେମାନଙ୍କ ସମ୍ପର୍କରେ ବିସ୍ତୃତ ଭାବରେ ନହେଲେ ମଧ୍ୟ ଠାଏଠାଏ ଆଲୋଚନା କରିଛନ୍ତି ଏହି ପୁସ୍ତକରେ।

ପୁସ୍ତକକୁ ପଢ଼ିବାବେଳେ ଓଡ଼ିଶା ରାଜନୀତିର ଅନେକ ଜଣା ଅଜଣା କଥାର ପୁନରାବଲୋକନ ହେବା ସ୍ୱାଭାବିକ। ନିରପେକ୍ଷତା ଅବଲମ୍ବନ କରି, ଘଟଣାଟି ଯେମିତି ଘଟିଛି ଓ ଘଟଣାର ଚରିତ୍ର ଅଭିନେତାମାନେ ଯେଉଁଭଳି ଖେଳ ଖେଳିଛନ୍ତି ସେସବୁକୁ ଆତ୍ମଜୀବନୀରେ ସଜାଡ଼ି ଥୋଇବା ନିଶ୍ଚିତରେ ଏକ ସାହସିକ କାର୍ଯ୍ୟ। ଶ୍ରୀ ଲେଙ୍କା ଅପାତତଃ ଏହି କାମଟିକୁ  ସଫଳତାର ସହିତ କରିଛନ୍ତି ବୋଲି ଧରି ନେବାକୁ ହେବ।

ଏଆଇସିସି ଅଧିବେଶନରେ ପଣ୍ଡିତ ନେହରୁଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଘଟଣାରୁ ଆରମ୍ଭ କରି ନବୀନ ପଟ୍ଟନାୟକଙ୍କ ସ୍ୱେଚ୍ଛାଚାରିତା ପର୍ଯ୍ୟନ୍ତ ପ୍ରାୟ ସବୁ କଥାକୁ ସେ ଚୁମ୍ବକରେ ହେଲେ ବି ଉଲ୍ଲେଖ ନିଶ୍ଚୟ  କରିଛନ୍ତି। ସେହି କାରଣରୁ ଏହା ଏକ ତାତ୍କାଳିକ  ଓ ତଥ୍ୟ ସମୃଦ୍ଧ ସଂରଚନା।

ଗାଁ ମାଟି, ନିଜ ଅଂଚଳର ଅବସ୍ଥା, ଶଙ୍ଖତ୍ରାସ ହାଇସ୍କୁଲ, ଗୁଣିଆ ଭଗବାନ ନାଥ, ହାକୁଆ ବଜାରଠାରୁ ଆରମ୍ଭ କରି ଛାତ୍ର ଜୀବନ, କଟକର ବରିଷ୍ଠ ଆଇନଜୀବୀ ଆର୍ତ୍ତତ୍ରାଣ ମିଶ୍ର, ଭାବଗ୍ରାହୀ ପତି, ନବକୃଷ୍ଣ ଚୌଧୁରୀ, ଗାଁ ମଜଲିସ, ସ୍ୱରାଜ ଆଶ୍ରମ, କାକଟପୁର ବ୍ରାଞ୍ଚ କେନାଲ, ସରଳା ଦେବୀ, ବିରେନ ମିତ୍ର, କମଳ ଲୋଚନ ମହାନ୍ତି, ଲେଙ୍କା ବଂଶ, ଉଡ୍ର ଜାତି, ବନମାଳୀ ପଟନାୟକ, ଅନ୍ନଦା ପ୍ରସାଦ ରାୟ, ଓଡ଼ିଶାରେ ଜାନକୀ ରାଜ୍ ଏଭଳି ଅସଂଖ୍ୟ ଚିତ୍ର ଓ ଚରିତ୍ରକୁ ସେ ପାଠକଙ୍କ ସାମ୍ନାକୁ ଆଣିଛନ୍ତି।

କାହ୍ନୁ ବାବୁ ନିଜେ ମୁଖବନ୍ଧରେ କହିଛନ୍ତି ଏହା ତାଙ୍କର ଆତ୍ମଜୀବନୀ ନୁହେଁ, ଜୀବନ ସ୍ମୃତି। ଏହାର ବ୍ୟାଖ୍ୟା ବି ସେ କରିଛନ୍ତି : ଆତ୍ମଜୀବନୀ ହେଉଛି ଘଟଣା ପ୍ରବାହର ପ୍ରାମାଣିକ ବିବରଣୀ,କିନ୍ତୁ ଜୀବନ ସ୍ମୃତି ହେଉଛି  ମନରେ ଛାପ ରଖିଥିବା କେତେକ ଘଟଣା। ଏମିତି ଦେଖିବାକୁ ଗଲେ ବି ଏହା ଏକ ନିଚ୍ଛକ ଆତ୍ମଜୀବନୀ ନୁହେଁ କାରଣ ଅଙ୍ଗେ ଲିଭେଇଥିବା ଘଟଣାଗୁଡ଼ିକ ପୁସ୍ତକରେ  କେବଳ ଅଧା ସ୍ଥାନ ପାଇଛନ୍ତି। ଆଉ ଅର୍ଦ୍ଧାଧିକ ପୃଷ୍ଠାରେ ସେ ବିଭିନ୍ନ ସମୟରେ ଓ ବିଭିନ୍ନ ପତ୍ର ପତ୍ରିକାରେ ଲେଖିଥିବା ଲେଖା ଗୁଡିକୁ ଏକାଠି କରିଛନ୍ତି।

ସେ କିଭଳି ଗୋଟିଏ ଗରିବ ଚାଷୀ  ପରିବାରରୁ ଆସିଥିଲେ ଏବଂ ନିଜର ନିଷ୍ଠା ଓ କର୍ତ୍ତବ୍ୟ ସମ୍ପାଦନ ଜରିଆରେ କିଭଳି ଏତେ ଉପରକୁ ଉଠିପାରିଲେ ସେ କଥା ମଧ୍ୟ କହିଛନ୍ତି ପୁସ୍ତକରେ। ଏହାଛଡ଼ା ତାଙ୍କର ୬୦ତମ ଜୟନ୍ତୀ ପାଳନ ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଓ ତାଙ୍କର ବ୍ୟକ୍ତିତ୍ୱକୁ  କିଭଳି ଦେଖିଛନ୍ତି ତାହାର ଅବତାରଣା ମଧ୍ୟ ପୁସ୍ତକରେ କରାଯାଇଛି। ପୁସ୍ତକରେ ଚୌଦ୍ୱାର, ପାରାଦୀପ ଉପରେ ବେଶ୍ କିଛି ବିବରଣୀ ରହିଥିବା ବେଳେ  ସେ ରେଳ ମନ୍ତ୍ରୀ ଥିବା ସମୟରେ  କ’ଣ କ’ଣ କରିଥିଲେ ତାହାର ବିସ୍ତୃତ ଉଲ୍ଲେଖ ବି ରହିଛି।

‘ମୋ ଜୀବନ ସଂଗ୍ରାମ’ରେ  ଆତ୍ମପ୍ରଶସ୍ତି ନାହିଁ। ସ୍ମୃତିରେ ରହିଥିବା ଘଟଣା ଓ ନିଜ ଲେଖାଲେଖି ସମ୍ବଳିତ ୫୬୦ ପୃଷ୍ଠାର ଏହା ଏକ  ମିଶ୍ରିତ ଗ୍ରନ୍ଥ। ଜୀବନୀକାର ଏଥିରେ ଯାହା  କହିଛନ୍ତି ତା’ ସହିତ ଏକମତ ହେବା ପାଇଁ ଜଣେ ବାଧ୍ୟ ନୁହେଁ। ତେବେ ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟ ଧରି କାହ୍ନୁ ଚରଣ ଲେଙ୍କା ସାଧାରଣ ଜୀବନରେ ଆତଯାତ ହୋଇ ଆସିଥିବାରୁ ଯେତେ ସବୁ କଥା ପୁସ୍ତକରେ ସାମ୍ନାକୁ  ଆଣିଛନ୍ତି ସେଥିପାଇଁ ସେ ଧନ୍ୟବାଦର ପାତ୍ର।

ଲେଖକଙ୍କ ସମଗ୍ର ରାଜନୈତିକ ଜୀବନ ଓ ପାରିବାରିକ ଜୀବନର  ରଙ୍ଗୀନ/କଳାଧଳା ଫୋଟୋ ସମେତ  ତାଙ୍କର ଏକ  ଜୀବନାଲେଖ୍ୟ ବା ଟାଇମଲାଇନ ମଧ୍ୟ  ଏଥିରେ ଦିଆଯାଇଛି। ଯେଉଁମାନେ ବିଗତ ୫୦ ବର୍ଷର ଓଡ଼ିଶାର ସାମାଜିକ ଇତିହାସ ସମ୍ପର୍କରେ ଜାଣିବା ପାଇଁ ଇଚ୍ଛା କରୁଛନ୍ତି ସେମାନଙ୍କ ପାଇଁ ଓ ବିଶେଷ କରି ରାଜନୀତି ବିଜ୍ଞାନର ଛାତ୍ର ମାନଙ୍କ ପାଇଁ ଏହା ଏକ ଉପାଦେୟ ଗ୍ରନ୍ଥ ଏଥିରେ ଦ୍ୱିମତ ନାହିଁ।

‘ମୋ ଜୀବନ ସଂଗ୍ରାମ’
କାହ୍ନୁ ଚରଣ ଲେଙ୍କା
ସଂକଳନ: ଡକ୍ଟର ନିବେଦିତା ସାମନ୍ତରାୟ
ଫାଲଗୁନି ପ୍ରକାଶନ
ଏଫ -୩୫ ସି, ବିଜେବି ନଗର
ଭୁବନେଶ୍ୱର
ମୂଲ୍ୟ ୫୦୦ ଟଙ୍କା

Comment