ଓଡ଼ିଶାଲାଇଭ୍ ବ୍ୟୁରୋ

ଜାନୁଆରି ୨୯ରେ ଅମିତ ଶାହ ଓଡ଼ିଶା ଆସୁଛନ୍ତି। ଏହାପରେ ସେ ପୁଣି ଫେବ୍ରୁଆରି ୩ରେ ଓଡ଼ିଶା ଆସି ପୁରୀରେ ଜନଜାତି ଅଧିବେଶନରେ ଯୋଗ ଦେବେ।

ଓଡ଼ିଶାକୁ ରାଜନେତାଙ୍କର ସୁଅ ଛୁଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ପରେ ଜାନୁଆରି ୨୯, ମଙ୍ଗଳବାର ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଶାହ ଓଡ଼ିଶା ଆସି କଟକ ସାଲେପୁରଠାରେ ଆୟୋଜିତ ଏକ ସଭାରେ ଯୋଗଦେବେ। ଏଥିରେ ସେ ଦଳୀୟ କର୍ମକର୍ତ୍ତାଙ୍କୁ ନିର୍ବାଚନୀ ମନ୍ତ୍ର ଦେବେ।

ଏହାପରେ ପୁଣି ଫେବ୍ରୁଆରି ୩ରେ ଶାହ ଓଡ଼ିଶା ଆସିବେ। ଏନେଇ ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ ସୂଚନା ଦେଇଛନ୍ତି। ବିଜେପି ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧିବେଶନରେ ଶାହ ଯୋଗ ଦେବେ। ପୁରୀରେ ଫେବ୍ରୁଆରି ୨ ଓ ୩ ଦୁଇ ଦିନ ଧରି ଜନଜାତି ଅଧିବେଶନ ଚାଲିବ। ପ୍ରଥମ ଦିନ ଅଧିବେଶନରେ ୫ ହଜାର ଜନଜାତି ପ୍ରତିନିଧି ଯୋଗ ଦେବେ। ୩ ତାରିଖ ଦିନ ଅମିତ ଶାହଙ୍କ ସମାବେଶରେ ୧ ଲକ୍ଷ ଆଦିବାସୀ ଯୋଗ ଦେବେ।

ପୂର୍ବରୁ ଶାହଙ୍କର ଜାନୁଆରି ୧୮ ତାରିଖରେ ଓଡ଼ିଶା ଆସିବାର ଥିଲା। ଅସୁସ୍ଥତା କାରଣରୁ ଓଡ଼ିଶା ଗସ୍ତ ବାତିଲ କରାଯାଇଥିଲା। ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଏହି ସୂଚନା ଦେଇଥିଲେ।

ଶାହ ସ୍ଵାଇନ ଫ୍ଲୁ ରୋଗରେ ଆକ୍ରାନ୍ତ ହୋଇଥିଲେ। ନିକଟରେ ସେ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଥିଲେ। ସୁସ୍ଥ ହେବାପରେ ପଶ୍ଚିମବଙ୍ଗରେ ଏକ ରାଲିରେ ଯୋଗ ଦେଇଥିଲେ। ଜାନୁଆରି ୧୮ରେ ସ୍ଥଗିତ ହୋଇଥବା ଶାହଙ୍କ କାର୍ଯ୍ୟକ୍ରମ ଜାନୁଆରି ୨୯ରେ ଆୟୋଜିତ ହେବ।

LEAVE A REPLY

Please enter your comment!
Please enter your name here