ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କଟକ ସାଲେପୁରରେ କ’ଣ ରହିବ ଅମିତ ଶାହଙ୍କ ଆଭିମୁଖ୍ୟ? ବିଜେଡି ଏବଂ କଂଗ୍ରେସକୁ ଟାର୍ଗେଟ କରିବେ କି ଶାହ?
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଙ୍ଗଳବାର ଦିନ ଓଡ଼ିଶା ଆସୁଛନ୍ତି। କଟକ ସାଲେପୁରଠାରେ ବୁଥ୍ସ୍ତରୀୟ କର୍ମକର୍ତ୍ତାଙ୍କୁ ଦେବେ ଗୁରୁମନ୍ତ୍ର। ଏନେଇ ବିଜେପି ଶିବିର ତତ୍ପର ହୋଇ ଉଠିଛି। ହେଲେ ସାଲେପୁର ସଭାରେ ଅମିତ ଶାହଙ୍କ ଆଭିମୁଖ୍ୟ କ’ଣ ରହିବେ ତାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା।
ଶାହ ଏଥର ବିଜେଡି ଉପରେ ବର୍ଷିବେ ନା ମୋଦିଙ୍କ ଭଳି ନରମ ଆଭିମୁଖ୍ୟ ଦେଖାଇବେ ତାକୁ ନେଇ ରାଜନୀତି କରିଡରରେ ଗଣିତ କଷା ଚାଲିଛି।
ବିଜେପିର ପୋଷ୍ଟରବୟ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ମାସରେ ତିନି ଥର ଓଡ଼ିଶା ଗସ୍ତରେ ଆସିଥିଲେ। କିନ୍ତୁ ମୋଦି ନବୀନଙ୍କ ପ୍ରତି ନରମ ଆଭିମୁଖ୍ୟ ଦେଖାଇଥିଲେ। ସେପ୍ଟେମ୍ବର ମାସରେ ମୋଦି ଯେମିତି ବିଜେଡି ଏବଂ ନବୀନଙ୍କୁ ଆକ୍ରମଣ କରିଥିଲେ ସେମିତି ବାରିପଦା ଏବଂ ବଲାଙ୍ଗିର ସମାବେଶରେ ଆକ୍ରମଣ କରିନଥିଲେ।
ଆଗକୁ ନିର୍ବାଚନ ଥିବାରୁ ନବୀନଙ୍କ ପିଠି ଥାପୁଡ଼େଇ ଦିଲ୍ଲୀ ଫେରି ଯାଇଥିଲେ ମୋଦି। ମୋଦିଙ୍କ ପରେ ଓଡ଼ିଶା ଆସୁଛନ୍ତି ଅମିତ ଶାହ। ତାଙ୍କ ନଜରରେ ରହିଛି ଉପକୂଳ ଓଡ଼ିଶା। କଟକ ସାଲେପୁରଠାରେ ସେ ବୁଥ୍ ସ୍ତରୀୟ କର୍ମୀଙ୍କୁ ୨୦୧୯ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେବେ। ଏଥିପାଇଁ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଯାଜପୁରର ୨୮ଟି ଲୋକସଭା ନିର୍ବାଚନମଣ୍ଡଳୀର ପ୍ରାୟ ୫୦ ହଜାର କର୍ମୀ ଏକାଠି ହେବେ। ତାଛଡ଼ା ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିବେ।
ବୁଥ୍ ସ୍ତରୀୟ କର୍ମୀଙ୍କୁ ଉଦବୋଧନ ଦେବା ସହ ଶାହ ନବୀନଙ୍କ ପ୍ରତି କେମିତି ଆଭିମୁଖ୍ୟ ପୋଷଣ କରୁଛନ୍ତି ତା’ ଉପରେ ରାଜନୀତି ପର୍ଯ୍ୟବେକ୍ଷକଙ୍କର ନଜର ରହିଛି।
ଅତୀତରେ ଅମିତ ଶାହ ଯେତେଥର ଓଡ଼ିଶା ଆସିଛନ୍ତି ସେତେଥର ନବୀନ ସରକାର ଉପରେ ବର୍ଷି ରାଜ୍ୟ ରାଜନୀତିକୁ ସରଗରମ କରିଥିବାର ନଜିର ରହିଛି। ୨୦୧୭ ଅଗଷ୍ଟ ମାସରେ ଶାହ ଭୁବନେଶ୍ୱର ଆସିଥିଲେ। ଜନତା ମଇଦାନଠାରେ ଅନୁଷ୍ଠିତ ସଭାରେ ନବୀନ ସରକାରଙ୍କୁ ‘ପୋଡ଼ା ଟ୍ରାନ୍ସଫର୍ମର’ କହିବା ସହ ‘ଓପାଡ଼ି ଫିଙ୍ଗିଦେବା’ ପାଇଁ ଆହ୍ୱାନ ଦେଇଥିଲେ।
ଗତ କିଛିମାସ ତଳେ ଶାହ ବଲାଙ୍ଗିର ଏବଂ ଭବାନୀପାଟଣା ଆସି ନବୀନ ସରକାରଙ୍କ ପ୍ରତି ବିଷୋଦଗାର କରିଥିଲେ। ହେଲେ ଆସନ୍ତା କାଲି କଟକ ସଭାରେ ଶାହ କେଉଁ ପ୍ରସଙ୍ଗକୁ ନେଇ ନବୀନଙ୍କୁ ଆକ୍ରମଣ କରିବେ ତାକୁ ହିଁ ବିଜେପି କର୍ମୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।
“ରାଷ୍ଟ୍ରୀୟ ସଭାପତି ଅମିତ ଶାହ କଟକ ଆସିବେ। ବୁଥ୍ ସ୍ତରୀୟ କର୍ମୀଙ୍କୁ ଉଦବୋଧନ ଦେବେ। ସଙ୍ଗଠନ କେମିତି ମଜଭୁତ ହେବ ସେନେଇ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ। ବିଜେଡି ବିରୋଧରେ ଆମେ ଲଢ଼େଇ କରିବୁ। ବିଜେଡି ସରକାରକୁ ଆମେ ବଙ୍ଗୋପସାଗରେ ଫୋପାଡ଼ିବୁ”, କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ।
ବଲାଙ୍ଗିର ଏବଂ ବାରିପଦା ସଭାରେ ମୋଦି ନବୀନ ସରକାର ପ୍ରତି ନରମ ହୋଇ ଦଳୀୟ କର୍ମୀଙ୍କୁ ନିରୁତ୍ସାହିତ କରିଥିଲେ। ଏଣୁ ଶାହ ନବୀନ ସରକାର ଉପରେ କଠୋର ଆଭିମୁଖ୍ୟ ଦେଖାଇ ପୁଣି ବିଜେପି କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିପାରନ୍ତି ବୋଲି କୁହାଯାଉଛି।
“ଅମିତ ଶାହ ବାରମ୍ବାର ଓଡ଼ିଶା ଆସୁଛନ୍ତି। ସେ ତାଙ୍କ ସାଙ୍ଗଠନିକ କାମରେ ଆସୁଛନ୍ତି। ଏଥିରେ ଆମର କିଛି ଯାଏ ଆସେ ନାହିଁ। ଅମିତ ଶାହଙ୍କ ଗସ୍ତକୁ ନେଇ ବିଜେଡି ଆଦୌ ଚିନ୍ତିତ ନୁହେଁ”, କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର।
ଅମିତ ଶାହ ବିଜେଡି ଉପରେ କିଛି କଡ଼ା ମନ୍ତବ୍ୟ ଦିଅନ୍ତୁ କି ନଦିଅନ୍ତୁ, କିନ୍ତୁ କଂଗ୍ରେସ ଉପରେ ବର୍ଷିବେ ବୋଲି ବିଜେପି କର୍ମୀ ଆଶାବାଦୀ ଅଛନ୍ତି। ଗତ ୨୪ ତାରିଖରେ ରାହୁଲ ଗାନ୍ଧି ଭୁବନେଶ୍ୱର ଆସିଥିଲେ। ଏହି ସଭାରେ ସେ ବିଜେପି ଏବଂ ବିଜେଡି ଭିତରେ ଭିତିରି ସମ୍ପର୍କ ଥିବା କହିଥିଲେ। ଖାଲି ସେତିକି ନୁହେଁ, ରାହୁଲ ଓଡ଼ିଶାରେ ନିର୍ବାଚନ ବିଗୁଲ ଫୁଙ୍କି ଦିଲ୍ଲୀ ଫେରି ଯାଇଛନ୍ତି। ରାହୁଲଙ୍କୁ କାଉଣ୍ଟର କରି ଶାହ ବିଜେପି କର୍ମୀଙ୍କ ମନରେ ଜୋସ୍ ଭରିବେ ବୋଲି ଆଶା ରହିଛି।
“ଓଡ଼ିଶା ଭୋଟରଙ୍କ ଉପରେ ବିଜେପିର ଭରସା ନଥିବାରୁ ଅମିତ ଶାହ ବାରମ୍ବାର ଓଡ଼ିଶା ଆସୁଛନ୍ତି। ଏହା କିଛି ପ୍ରଭାବ ପକାଇବ ନାହିଁ। କଂଗ୍ରେସ ଏଥିପାଇଁ ଚିନ୍ତିତ ନୁହେଁ”, କହିଛନ୍ତି କଂଗ୍ରେସ ବିଧାୟକ ଡକ୍ଟର ପ୍ରଫୁଲ୍ଲ ମାଝି।








କଟକ ସାଲେପୁରରେ କ’ଣ ରହିବ ଅମିତ ଶାହଙ୍କ ଆଭିମୁଖ୍ୟ? ବିଜେଡି ଏବଂ କଂଗ୍ରେସକୁ ଟାର୍ଗେଟ କରିବେ କି ଶାହ?









