ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଓଡ଼ିଶାର ବିଜେଡି ସରକାର ପ୍ରତି କେନ୍ଦ୍ରର ବିଜେପି ନେତାଙ୍କର ଆଭିମୁଖ୍ୟ କ’ଣ? ଏହା ବୁଝିବା ଏବେ ମୁସ୍କିଲ ହୋଇପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ନବୀନଙ୍କ ପିଠି ଥାପୁଡ଼େଇ ଚାଲିଯାଇଥିବା ବେଳେ ଅମିତ ଶାହ ଆଜି ବିଜେଡିକୁ ସିଧାସଳଖ ଆଟାକ କରିଛନ୍ତି।

ଏଣୁ ମୋଦି ଏବଂ ଶାହ ଓଡ଼ିଶାରୁ କ’ଣ ଚାହୁଁଛନ୍ତି ତାକୁ ନେଇ ଓଡ଼ିଶାର ବିଜେପି ନେତାମାନେ ଚିନ୍ତାରେ ପଡ଼ିଛନ୍ତି।

୨୦୧୭ ସେପ୍ଟେମ୍ବର ୨୨ ତାରିଖ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଥିଲେ ତାଳଚେର ଏବଂ ଝାରସୁଗୁଡ଼ା। ତାଳଚେର ସାର କାରଖାନା ପୁନରୁଦ୍ଧାର ପାଇଁ ଶିଳାନ୍ୟାସ କରିବା ସହ ଝାରସୁଗୁଡ଼ା ଏୟାରପୋର୍ଟ ଲୋକାର୍ପଣ କରିଥିଲେ।

ସରକାରୀ କାର୍ଯ୍ୟକ୍ରମ ପରେ ମୋଦି ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କୁ ଯେଉଁଭଳି ଢଙ୍ଗରେ ଆଟାକ୍ କରିଥିଲେ ତାହା ଆଜି ବି ରାଜ୍ୟ ରାଜନୀତିରେ ଭ୍ରୁକୁଞ୍ଚନ ସୃଷ୍ଟି କରୁଛି। କିନ୍ତୁ ଏହାପରେ ମୋଦି ଯେତେଥର ଓଡ଼ିଶା ଗସ୍ତରେ ଆସିଛନ୍ତି ତାଙ୍କ ସ୍ୱର ନରମ ରହିଛି।

ଦୁଇ ମାସ ବ୍ୟବଧାନ ପରେ ଅର୍ଥାତ୍ ଡିସେମ୍ବର ୨୪ରେ ମୋଦି ଆସିଥିଲେ ଖୋର୍ଦ୍ଧା। ଏହି ସମାବେଶର ଏକମାତ୍ର ଲକ୍ଷ୍ୟ ଥିଲା ଉପକୂଳ ଓଡ଼ିଶାରେ ବିଜେପିର ସଙ୍ଗଠନକୁ ମଜଭୁତ କରିବା। ମୋଦି ଏହି ସମାବେଶରେ ଯୋଗଦେଇ ନବୀନଙ୍କୁ ହାଲ୍‌କା ଆଟାକ୍ କରିଥିଲେ। ସେତେବେଳେ ଚର୍ଚ୍ଚା ହେଲା ଯେ ନବୀନଙ୍କ ପ୍ରତି ମୋଦିଙ୍କ ସ୍ୱର ବଦଳୁଛି।

୨୦୧୮ ଜାନୁଆରି ୫ରେ ପୁଣି ମୋଦି ଆସିଥିଲେ ବାରିପଦା। ସେଠି ବି ଖୋର୍ଦ୍ଧା ଷ୍ଟାଇଲରେ ଭାଷଣ ଦେଇଥିଲେ ମୋଦି। ଏହାର ୧୦ ଦିନ ପରେ ମୋଦି ବଲାଙ୍ଗିର ଆସିଥିଲେ। ପଶ୍ଚିମ ଓଡ଼ିଶାବାସୀଙ୍କ ମନ ଜିଣିବା ପାଇଁ ଏବଂ ବିଜେପି କର୍ମକର୍ତ୍ତାଙ୍କ ମନରେ ଜୋସ୍ ଭରିବା ଲାଗି ମୋଦି ନବୀନଙ୍କୁ ଆଟାକ୍ କରିବେ ବୋଲି ଚର୍ଚ୍ଚା ହେଲା। କିନ୍ତୁ ମୋଦିଙ୍କ ସ୍ୱର ଶାଣିତ ନଥିଲା।

ନବୀନଙ୍କ ପ୍ରତି ମୋଦିଙ୍କ ସ୍ୱର ନରମିଯିବାରୁ ଓଡ଼ିଶା ବିଜେପି ନେତାମାନେ ଅନ୍ଧାରରେ ରହିଥିଲେ। ମୋଦି ନୀରବ ରହୁଥିବାରୁ କେଉଁ ପ୍ରସଙ୍ଗକୁ ଆଧାର କରି ବିଜେପି ଓଡ଼ିଶାରେ ବିଜେପିକୁ ଟକ୍କର ଦେବ ତାକୁ ନେଇ ଚିନ୍ତାରେ ପଡ଼ିଥିଲେ।

ଆଜି ଓଡ଼ିଶା ବିଜେପି ନେତାଙ୍କ ଚିନ୍ତା ଦୂର କରିଛନ୍ତି ଅମିତ ଶାହ। କଟକ ସାଲେପୁରରେ ବୁଥ୍ ସ୍ତରୀୟ କର୍ମୀ ସମ୍ମିଳନୀରେ ଯୋଗ ଦେଇ ଶାହ ବିଜେଡି ଏବଂ ନବୀନଙ୍କୁ ଟାର୍ଗେଟ କରିଥିଲେ। ଶାହଙ୍କ ସାଲେପୁର ଗସ୍ତ ପରେ ବିଜେପି କର୍ମୀଙ୍କ ମନରେ ଜୋସ୍ ଫେରିଛି।

ତେବେ ମୋଦି ନରମ ପଡ଼ିଥିବା ବେଳେ ଶାହ କାହିଁକି ଗରମ ହେଲେ ତାକୁ ନେଇ କାରଣ ଖୋଜା ଚାଲିଛି।

ନିକଟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଆସିଥିଲେ। ଭୁବନେଶ୍ୱର ତମାଣ୍ଡୋ ସଭାରେ ବିଜେଡି-ବିଜେପିକୁ କାଉଣ୍ଟର କରିଥିଲେ। ମୋଦି ଓ ନବୀନଙ୍କ ଭିତରେ ଭିତିରି ବୁଝାମଣା ରହିଥିବା ସେ କହି ଆକ୍ଷେପ କରିଥିଲେ। ମୋଦିଙ୍କ ନରମ ମନୋଭାବ ଏବଂ ରାହୁଲ ଗାନ୍ଧିଙ୍କ ଆକ୍ଷେପ ପରେ ଓଡ଼ିଶାବାସୀଙ୍କ ପାଖକୁ ଏକ ଭୁଲ୍ ବାର୍ତ୍ତା ଯାଇଥିଲା। ଏହାକୁ କାଉଣ୍ଟର କରିବା ପାଇଁ ଅମିତ ଶାହ ଆଜି ବିଜେଡି ଉପରେ ବର୍ଷିଥିଲେ।

Comment