ଭାସ୍କର ପରିଚ୍ଛା
ଅନେକ ଦିନ ଧରି ଏହି ପୁସ୍ତକର ପରିକଳ୍ପନା କରାଯାଇଥିଲା ଓ ସେ ଦିଗରେ କାର୍ଯ୍ୟ ବି ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଧନୁଯାତ୍ରାରେ ମଞ୍ଚ ଉପରେ ନିଜେ କଂସ ମହାରାଜା ପୁସ୍ତକର ଲୋକାର୍ପଣ କରିବା ନିଃସନ୍ଦେହରେ ଏକ ଉତ୍ତମ ସଂଯୋଗ ଥିଲା।
ବରଗଡ଼ ଧନୁଯାତ୍ରାକୁ ବିଶ୍ୱର ସବୁଠାରୁ ବଡ଼ ଖୋଲା ଆକାଶ ମଞ୍ଚ ବୋଲି କୁହାଯାଇଥାଏ। ଦେଶ ଓ ବିଦେଶରେ ବିଭିନ୍ନ ପତ୍ର ପତ୍ରିକାରେ ଏହିଯାତ୍ରା ପରମ୍ପରାକୁ ନେଇ ବେଶ୍ କିଛି ଆଲୋଚନା କରାଯାଇଛି। ତେବେ ବରଗଡ଼ ଧନୁଯାତ୍ରା ଉପରେ ଏକ ବିଧିବଦ୍ଧ ପୁସ୍ତକର ଅଭାବ ରହିଥିଲା ଯାହା ଏବେ ପୂରଣ ହୋଇପାରିଛି।
ଚଳିତ ବର୍ଷ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ପୁସ୍ତକଟିକୁ ଉନ୍ମୋଚନ କରିବା ଅବସରରେ କହିଲେ, “ଏହି ସଚିତ୍ର କଫି ଟେବୁଲ ପୁସ୍ତକଟି ଧନୁଯାତ୍ରାକୁ ବିଶ୍ୱ ସ୍ତରରେ ପରିଚିତ କରିବାରେ ସହାୟକ ହେବ।”

ଓଡ଼ିଶାଲାଇଭ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକ ନିଶ୍ଚିତ ଭାବରେ ଓଡ଼ିଶାର ଏକ ସମୃଦ୍ଧ ମଞ୍ଚ ପରମ୍ପରାକୁ ଅଧିକ ଲୋକପ୍ରିୟ କରିବାରେ ଅବଦାନ ରଖିବ। ଗିନିସ୍ ବୁକ ଅଫ୍ ରେକର୍ଡରେ ସ୍ଥାନ ଅଧିକାର କରିଥିବା ବରଗଡ଼ ଧନୁଯାତ୍ରାରେ ଏଗାର ଦିନ ଧରି ଯେଉଁ ଉତ୍ସବମୁଖର ପରିବେଶ ସୃଷ୍ଟି ହୁଏ ତାହା ଦେଖଣାହାରୀ ହିଁ ଅନୁଭବ କରିପାରିବ।
କୃଷ୍ଣ ଜନ୍ମଠାରୁ ଆରମ୍ଭ କରି କଂସ ବଧ ପର୍ଯ୍ୟନ୍ତ ଯେତେ ସବୁ ଘଟଣା ଧନୁଯାତ୍ରାରେ ପରିବେଷଣ କରାଯାଇଥାଏ ସତରେ ତାହାର ପଟାନ୍ତର ନାହିଁ। ଧନୁଯାତ୍ରାର ପ୍ରତିଟି ଦୃଶ୍ୟ, ପ୍ରତିଟି ଅଭିନୟ ଓ ପ୍ରତିଟି କଥା ପଛରେ କିଛି ନା କିଛି ଇତିହାସ ରହିଛି, କିଛି ନା କିଛି ମହତ୍ତ୍ୱ ରହିଛି।
ଆଠ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ ମଥୁରାଠାରୁ ଗୋପପୁର ଯାଏଁ ପ୍ରାୟ ୧୪ ଟି ସ୍ଥାନରେ ଧନୁଯାତ୍ରାର ବିଭିନ୍ନ ଦୃଶ୍ୟ ଅଭିନୀତ ହେବା ଭିତରେ ଦୂର ଦୂରାନ୍ତରୁ ଆସିଥିବା ଲୋକେ ଯେଉଁଭଳି ଉତ୍ସାହ ଓ ଉଦ୍ଦୀପନାର ସହ ଏଥିରେ ସାମିଲ ହୁଅନ୍ତି ତାହା ଦେଖିବାର କଥା। ପୁସ୍ତକଟିରେ ଏହିସବୁ ବିବରଣୀ ପ୍ରଦାନ କରାଯାଇଛି।
ଇତିହାସ କହୁଛି ବରଗଡ଼ ଧନୁଯାତ୍ରା ଆରମ୍ଭ ହେଲା ୧୯୧୫ ମସିହାରେ। ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ବିଦ୍ରୋହର ସ୍ୱର ଉତ୍ତୋଳନ ହେବା ସହିତ ଏହି ଯାତ୍ରାର ପ୍ରାରମ୍ଭ। ତେବେ ୧୯୪୭ରେ ଦେଶ ସ୍ୱାଧୀନତା ଲାଭ କରିବା ପରେ ବର୍ତ୍ତମାନ ଯେଉଁ ଯାତ୍ରା ପରିବେଷଣ କରାଯାଉଛି ତାର ସୂତ୍ରପାତ ହୋଇଥିଲା। ବିଗତ ସତୁରୀ ବର୍ଷ ଧରି ଲଗାତାର ଏକ ମୁକ୍ତମଞ୍ଚ ଯାତ୍ରା ପରିବେଷଣ କରି ସେହି ପରମ୍ପରାଟିକୁ ବରଗଡ଼ବାସୀ ବଞ୍ଚାଇ ରଖିବା କିଛି କମ କଥା ନୁହେଁ।
ବରଗଡ଼ ଧନୁଯାତ୍ରା ଯେ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଅନୁଷ୍ଠାନମାନଙ୍କ ମଧ୍ୟରେ ସର୍ବାଗ୍ରେ ରହିଛି ଏଥିରେ ଦ୍ୱିମତ ନାହିଁ। ଏହି ରଙ୍ଗୀନ ପୁସ୍ତକଟିରେ ଧନୁଯାତ୍ରା ସମ୍ପର୍କିତ ଟିକିନିଖି ତଥ୍ୟ ପ୍ରଦାନ କରାଯିବା ବ୍ୟତୀତ ଏହି ପରମ୍ପରାର ଏକ ତାତ୍ତ୍ୱିକ ଉପସ୍ଥାପନା କରାଯାଇଛି। ସବୁଠାରୁ ବଡ଼ କଥା ହେଲା ଏଥିରେ ରହିଥିବା ନୂଆ ପୁରୁଣା ଶତାଧିକ ଫୋଟୋଚିତ୍ର।
ଅତୀତରେ କଂସ ଭୂମିକାରେ ଯେଉଁମାନେ ଅଭିନୟ କରିଥିଲେ ସେମାନଙ୍କ ସମ୍ପର୍କରେ ସୂଚନା ପ୍ରଦାନ ବ୍ୟତୀତ ଧନୁଯାତ୍ରାର ପୂର୍ଣ୍ଣାଙ୍ଗ ବିବରଣୀ ଦେବା ପାଇଁ ଏଥିରେ ଉଦ୍ୟମ କରାଯାଇଛି।
ପନ୍ଦରଟି ଅଧ୍ୟାୟରେ ପୁସ୍ତକଟିକୁ ବିଭକ୍ତ କରାଯାଇଛି। ଅତୀତ ସହିତ ବର୍ତ୍ତମାନକୁ ଯୋଡ଼ିବା ବ୍ୟତିରେକେ, କଂସ ରାଜାଙ୍କ ଦରବାରରେ କେଉଁଦିନ କେଉଁ ଅଧ୍ୟାୟ ଅଭିନୀତ ହୁଏ,ଏକ ପୌରାଣିକ କାହାଣୀ /କିମ୍ବଦନ୍ତୀ କିପରି ବାସ୍ତବତାର ରୂପ ନେଇଥାଏ, କଂସଙ୍କ ରଙ୍ଗ ମହଲ, ପାରମ୍ପରିକ ପୋଷାକ ଓ ରୀତିନୀତି, ଦୁଇ ଶହ କଳାକାରଙ୍କ ମୁହଁରେ ବୋଳା ହେଉଥିବା ରଙ୍ଗ କିଭଳି ଏକ ଜୀବନ୍ତ ପରିବେଶ ଉଦ୍ରେକ କରେ, ଯାତ୍ରାର ସାହିତ୍ୟ, ସଙ୍ଗୀତ ଓ ଏହାର ଅଦ୍ଵିତୀୟତା – ଏ ସବୁ କଥା ପୁସ୍ତକରେ ଉଲ୍ଲେଖ ରହିଛି।
ଓଡ଼ିଶାର ସାଂସ୍କୃତିକ ଗ୍ରନ୍ଥଜଗତକୁ ‘କଂସ ମହାରାଜା – ଦି ହିରୋ ଅଫ ବରଗଡ଼ ଧନୁଯାତ୍ରା’ ପୁସ୍ତକଟିର ଅବଦାନ ଅନସ୍ୱୀକାର୍ଯ୍ୟ। ଯେଉଁମାନେ ଧନୁଯାତ୍ରା ସମ୍ପର୍କରେ ଜାଣିବା ପାଇଁ ଇଛୁକ, ବିଶେଷକରି ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏହା ଏକ ଅପରିହାର୍ଯ୍ୟ ପୁସ୍ତକ।
ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରା ସହ ଯେଉଁମାନେ ନିଜକୁ ଯୋଡ଼ିବା ପାଇଁ ଚାହୁଁଛନ୍ତି ଏହି ପୁସ୍ତକଟି ସେମାନଙ୍କ ପାଇଁ ନିତାନ୍ତ ଆବଶ୍ୟକ। ସମାନ ଭାବେ ଅଣଓଡ଼ିଆ ପାଠକ, ଗବେଷକ ଓ ବିଶ୍ୱ ଭ୍ରମଣକାରୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ପୁସ୍ତକ ଓଡ଼ିଶାର ସାଂସ୍କୃତିକ ବିଭବକୁ ଲୋକଲୋଚନକୁ ଆଣିବାରେ ସହାୟକ ହେବ ଏଥିରେ ଭିନ୍ନମତ ଥାଇ ନପାରେ।
Title: Kansa Maharaja- The Hero of Bargarh Dhanu Yatra
Concept & Edit: Nilambar Rath
Content and Composition: Sharmilee Mahapatra
Design and Digital Execution: Biswal Sudhakar
Publisher: Pranati Parida
Academy for Media Learning Private
M-6, Samanta Vihar, Bhubaneswar -751017
Price Rs 600
ISBN: 819332252-5
ପୁସ୍ତକ ପ୍ରାପ୍ତିସ୍ଥାନ: ମଡର୍ଣ୍ଣ ବୁକ୍ ଡିପୋ, ମାଷ୍ଟରକ୍ୟାଣ୍ଟିନ, ଭୁବନେଶ୍ୱର ଏବଂ ଓଡ଼ିଶାଲାଇଭ୍ ଅଫିସ, ଏମ୍-୬, ସାମନ୍ତ ବିହାର, ଭୁବନେଶ୍ୱର
ଫୋନ୍ ନମ୍ବର: ୦୬୭୪-୨୩୦୩୩୧୧, ୯୪୩୭୦୬୯୫୦୮ (ଓଡ଼ିଶାଲାଇଭ୍), ୦୬୭୪-୨୫୩୪୩୭୩, ୯୪୩୭୦୦୭୧୭୯ (ମଡର୍ଣ୍ଣ ବୁକ୍ ଡିପୋ)


















