ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ

ହରିଶଙ୍କର ପରସାଇ ଥିଲେ ବାମପନ୍ଥୀ ଚିନ୍ତାଧାରାର ବ୍ୟକ୍ତି। ସେଇଥିପାଇଁ ସମାଜର ଥିଲାବାଲା ଆଉ ନଥିଲାବାଲାଙ୍କ କଥା ତାଙ୍କର ଚିନ୍ତନର ଅନ୍ୟତମ ବିଭବ ଥିଲା।

‘ଭୋଳାରାମର ଆତ୍ମା’ ସଂକଳନଟିରେ ହରିଶଙ୍କର ପରସାଇଙ୍କର ୨୮ଟି ଭିନ୍ନ ଭିନ୍ନ ଧରଣର ରଚନା (ଗଳ୍ପ, ଲଳିତ ନିବନ୍ଧ ଆଉ ରମ୍ୟ ରଚନା) ରହିଛି। ଏଗୁଡ଼ିକ ଉନବିଂଶ ଶତକର ପଚାଶ ଦଶକରୁ ନବେ ଦଶକର ଆଦ୍ୟକାଳ ମଧ୍ୟରେ ପ୍ରକାଶିତ।

ହରିଶଙ୍କର ପରସାଇ ଥିଲେ ବାମପନ୍ଥୀ ଚିନ୍ତାଧାରାର ବ୍ୟକ୍ତି। ସେଇଥିପାଇଁ ସମାଜର ଥିଲାବାଲା ଆଉ ନଥିଲାବାଲାଙ୍କ କଥା ତାଙ୍କର ଚିନ୍ତନର ଅନ୍ୟତମ ବିଭବ ଥିଲା। ପୁନଶ୍ଚ ସେ ଭାରତୀୟ ଜୀବନ ଦର୍ଶନକୁ ମାର୍କସବାଦୀ ଦୃଷ୍ଟିଭଙ୍ଗିର ତରାଜୁରେ ବିଚାର କରିବାର ଚେଷ୍ଟା କରିଛନ୍ତି। ଭାରତୀୟ ସମାଜରେ ବହୁଳ ଭାବରେ ସ୍ଥିତ ଶ୍ରେଣୀ ଅସଙ୍ଗତିକୁ ସେ ନିଜ ରଚନା ମାଧ୍ୟମରେ ଉପସ୍ଥାପନ କରିଛନ୍ତି। ମାନବ ନିୟତିର ପରିବର୍ତ୍ତନ ନିମନ୍ତେ ମାର୍କସବାଦୀ ଚିନ୍ତାଧାରାକୁ ଚରମ ଦର୍ଶନ ଭାବରେ ବିବେଚନା କରି ପରସାଇ ସେଇ ଚିନ୍ତା ଧାରା ଆଧାରରେ ତାଙ୍କର ସମଗ୍ର ସାହିତ୍ୟ ସୃଷ୍ଟି କରିଛନ୍ତି।

ଜଣେ ବାମପନ୍ଥୀ ଚିନ୍ତାଧାରାର ସ୍ରଷ୍ଟା ହୋଇଥିବାରୁ ସେ ପୁଞ୍ଜିବାଦୀ ସମାଜ ତଥା ସଂସ୍କୃ‍ତିର ବିଭ୍ରାନ୍ତକାରୀ ଉପାଦାନଗୁଡ଼ିକୁ ବିଶ୍ଳେଷଣ କରି ସମାଜବାଦୀ ମୂଲ୍ୟବୋଧ ସପକ୍ଷରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିବା କଥା ସଂକଳନଟିର ‘ମୁଖବନ୍ଧ’ ରେ ଡକ୍ଟର ଜୟନ୍ତ କରଶର୍ମା ଉଲ୍ଲେଖ କରିଛନ୍ତି।

ପରସାଇଙ୍କ ସୃଷ୍ଟି ଜଗତ ବିବିଧତାରେ ପରିପୂର୍ଣ୍ଣ। ତେଣୁ ସେ ତାଙ୍କ ସମୟର ସମାଜରେ ଘଟିତ ବାସ୍ତବ ଚିତ୍ରସବୁକୁ ଅଭିଜ୍ଞତାର ବିସ୍ତୃତ ତଥା ପରିପକ୍ୱ ସୃଷ୍ଟିକ୍ରିୟାର ପ୍ରକରଣ ମାଧ୍ୟମରେ ପରିପ୍ରକାଶ କରିଛନ୍ତି। ସେତେବେଳର ହିନ୍ଦୀ ସାହିତ୍ୟର ପାରମ୍ପରିକ ସ୍ୱରୁପକୁ ପରିବର୍ତ୍ତନ କରି ଅନେକ ପାଦ ଆଗକୁ ଅତିକ୍ରମ କରିପାରିଛନ୍ତି। ବାସ୍ତବତାର ଜୀବନ୍ତ ଚିତ୍ରର ଅଙ୍କନ ତାଙ୍କର ରଚନାଗୁଡ଼ିକୁ ସତ୍ୟର ବହୁ ନିକଟତର କରିବାକୁ ସକ୍ଷମ ହୋଇପାରିଛି।

ତାଙ୍କ ରଚିତ ଭୋଳାରାମର ଆତ୍ମା, ଅଶ୍ଳୀଳ, ଟର୍ଚ୍ଚ ବିକ୍ରେତା, ଗହମର ସୁଖ, ବିଶୃଙ୍ଖଳିତ ଭିଡ଼ର ଭୟ, ନୂଆବର୍ଷ, ଗ୍ରିଟିଙ୍ଗସ୍‍ କାର୍ଡ ଓ ରାସନ କାର୍ଡ, ବୁଦ୍ଧିବାଦୀ, ପୋଲିସ ମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି, ମୂଷା ଆଉ ମୁଁ, ଏକ ମଧ୍ୟମବର୍ଗୀୟ କୁକୁର, ଜଣେ ଗୋ-ଭକ୍ତ ସହିତ ସାକ୍ଷାତ, ଆଦି ଗଳ୍ପ, ରମ୍ୟରଚନା ତଥା ଲଳିତ ନିବନ୍ଧଗୁଡ଼ିକରେ ଭାରତୀୟ ଜନଜୀବନର ସମସ୍ୟା, ସ୍ୱାଧିନତା ପରର ଭାରତୀୟ ସମାଜ, ଶିକ୍ଷା ଓ ରାଜନୈତିକ ଘଟଣାକ୍ରମର ପ୍ରତ୍ୟକ୍ଷ ଆଖିଦେଖା ବିବରଣୀ ସାହିତ୍ୟର ରଙ୍ଗରୂପ ଗ୍ରହଣ କରି ଆତ୍ମପ୍ରକାଶ କରିଛି।
ପରସାଇଙ୍କର ରଚନା କୌଣସି ନିର୍ଦିଷ୍ଟ ସ୍ଥାନ ବା କାଳଖଣ୍ଡ ବା ଗୋଷ୍ଠୀ, ବ୍ୟକ୍ତି, ଚିନ୍ତା, ଆଦର୍ଶ ବା ବାଦ, ପରିବେଶ ପରିସ୍ଥିତି ମଧ୍ୟରେ ବାନ୍ଧି ହୋଇ ନରହି ସମଗ୍ର ଭାରତୀୟ ସମାଜ ସାମାଜିକତା ତଥା ମଣିଷର ଆକାର ବହନ କରୁଛି। ତାଙ୍କ ନଜର ସମାଜର କୌଣସି ଦିଗ ଆଉ ବିଭବକୁ ଏଡ଼େଇ ନେଇନାହିଁ। ତେଣୁ ତାଙ୍କର ଲେଖାଗୁଡ଼ିକ ସମୁଦାୟ ଜୀବନ ଆଉ ଦର୍ଶନର ପ୍ରତିଛବି।
ହରିଶଙ୍କର ପରସାଇଙ୍କ ବ୍ୟଙ୍ଗ ଖୁବ୍‍ ତୀକ୍ଷ୍ଣ ଆଉ ଶାଣିତ। ତେଣୁ ସେ ସହଜିଆ ହାସ୍ୟରସ ସୃଷ୍ଟି କରିବାକୁ ବ୍ୟଙ୍ଗର ଉପଯୋଗ କରିବାକୁ  ପସନ୍ଦ କରୁନଥିଲେ। ତାଙ୍କର ବ୍ୟଙ୍ଗ ଗମ୍ଭୀର ଆଉ ଗଭୀର। ତା’ ମଧ୍ୟରେ ତାଙ୍କ ଜୀବନ-ଦର୍ଶନ ସାଙ୍ଗକୁ ବିସ୍ତାରିତ ଭାବରେ ବିଶ୍ୱ ଦୃଷ୍ଟିକୋଣ ଭରି ରହିଛି। ଫଳରେ ପରସାଇଙ୍କର ବ୍ୟଙ୍ଗ-ଦର୍ଶନ ଏକ ସ୍ୱତନ୍ତ୍ର ମାନ ସୃଷ୍ଟି କରିବା ସାଙ୍ଗକୁ ହିନ୍ଦୀ ସାହିତ୍ୟରେ ବ୍ୟଙ୍ଗ-ଧର୍ମିତାକୁ ସମ୍ମାନଜନକ ସ୍ଥାନ ମିଳିପାରିଛି।

ଯଦି ଭୋଳାରାମର ଆତ୍ମା ସଂକଳନଟିର  ଅନୁବାଦ ସମ୍ପର୍କରେ ବାଖ୍ୟା କରିବା, ତେବେ ନିଶ୍ଚିତ ଭାବରେ ଏହା ଏକ ସଫଳ ପ୍ରଚେଷ୍ଟା ବୋଲି ଆମେ କହିପାରିବା। କାରଣ ସାହିତ୍ୟ ରଚନାରେ ଭାଷା ଆଉ ଭାବର ମିଳନ ନିତ୍ୟ ଓ ନିର୍ମଳ। ସେଠାରେ ଶବ୍ଦ ଓ ଅର୍ଥ, ଚିନ୍ତା ଓ ଲାବଣ୍ୟ ତଥା ସତ୍ୟ ଓ ସୌନ୍ଦର୍ଯ୍ୟ ଅଦୈତ ଏକ ପବିତ୍ର ରହସ୍ୟରେ ସମ୍ମିଳିତ। ଯେଉଁ ସାହିତ୍ୟ ସୃଷ୍ଟିରେ ଏ ସମସ୍ତ ବିଶେଷତ୍ୱ ଏକତ୍ର ଗ୍ରଥିତ ହୋଇଥାଏ, ସେ ସାହିତ୍ୟର ଅନୁବାଦ ଯେ ସଫଳ ଆଉ ସାର୍ଥକ ଭାବରେ କରାଯାଇପାରିବ ସେ ବିଷୟରେ ଦ୍ୱିମତ ହେବାର ଅବକାଶ ନଥାଏ।

ମୃଣାଳ ବାବୁ ନିଜେ ଜଣେ ସଫଳ ବ୍ୟଙ୍ଗକାର। ଓଡ଼ିଶାର ପାଠକମାନଙ୍କ ନିକଟରେ ସେ ସବୁ ସମୟରେ ଗ୍ରହଣୀୟ ହୋଇଆସିଛନ୍ତି। ତେଣୁ ‘ଭୋଳାରାମର ଆତ୍ମା’ର ରଚନାଗୁଡ଼ିକର ଅନୁବାଦ କର୍ମ ସମ୍ପାଦନା କାଳରେ ଦୁଇଟି ଅଲଗା ଅଲଗା ଭାଷାର ଦୁଇଟି ଲେଖକୀୟ ଧାରା ଏକାକାର ହୋଇଯାଇଛି। ଅନୁବାଦ କାର୍ଯ୍ୟଟି ସୃଜନ କ୍ରିୟାରେ ରୂପାନ୍ତରିତ ହୋଇଯାଇଛି। ଫଳତଃ କେଉଁଠି ପରସାଇଙ୍କ ଆରମ୍ଭ ଆଉ ଶେଷ, ପୁଣି କେଉଁଠୁ ମୃଣାଳଙ୍କର ଆରମ୍ଭ, ତାହା ବାରିବା ସମ୍ଭବପର ହେଉନି। ତେଣୁ ପରସାଇ ଆଉ ମୃଣାଳ ଏହି ସଂକଳନଟିର ସୃଷ୍ଟିଗୁଡ଼ିକ ମଧ୍ୟରେ ପୃଥକ ଭାବରେ ନୁହେଁ ବରଂ ଦୁଇ ସ୍ରଷ୍ଟା-ପୁରୁଷ ଏକାତ୍ମ ଭାବରେ ଆମକୁ ଦୃଷ୍ଟିଗୋଚର ହେଉଛନ୍ତି। ଏ ସମସ୍ତ ଦିଗରୁ ବିଚାର କଲେ, ‘ଭୋଳାରାମର ଆତ୍ମା’ ଅନୁବାଦ ପୁସ୍ତକଟି ପାଠକମାନଙ୍କ ଦ୍ୱାରା ଗୃହୀତ ହେବ ନିଶ୍ଚୟ।

ପୁସ୍ତକ: ଭୋଳାରାମର ଆତ୍ମା

ମୂଳ ହିନ୍ଦୀ: ହରିଶଙ୍କର ପରସାଇ

ଓଡ଼ିଆ ଅନୁବାଦ: ମୃଣାଳ

ପ୍ରକାଶକ: ଯୁଗ ପ୍ରବର୍ତ୍ତକ ପ୍ରକାଶନ, ଭୁବନେଶ୍ୱର

ପ୍ରଥମ ପ୍ରକାଶ: ଡିସେମ୍ବର ୨୦୨୩, ପୃଷ୍ଠା: ୧୫୭, ମୂଲ୍ୟ: ୧୫୦

(ସମୀକ୍ଷକ ହେଉଛନ୍ତି ଅବସରପ୍ରାପ୍ତ ନିର୍ଦ୍ଦେଶକ, ଆକାଶବାଣୀ, ପ୍ରସାର ଭାରତୀ)

Tags: #BholaramRaAtma #BookReview #OdiaTranlate #Book

Comment