ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସଠାରେ ବୈଷ୍ଣବ ପ୍ରସାଦ ମହାନ୍ତିଙ୍କ ଲିଖିତ ଦୁଇଟି ପୁସ୍ତକ ‘ଶେଷ ଚିଠି‘ ଓ ‘ଭାଗବତ କଥାମୃତ’ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ବୈଷ୍ଣବ ମହାନ୍ତିଙ୍କୁ ତାଙ୍କର ସାରସ୍ଵତ କୃତି ପାଇଁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ଏହିପରି ପ୍ରୟାସ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି।

କ୍ଷୁଦ୍ର ଗଳ୍ପ ସଂକଳନ ‘ଶେଷ ଚିଠି’ରେ ଉପକୂଳ ଓଡ଼ିଶାର ଅର୍ଦ୍ଧ ଶତାବଦ୍ଦୀ ତଳର ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ଅବସ୍ଥାର ନିଛକ ଚିତ୍ର ପ୍ରତିଫଳିତ ହୋଇଛି। ୨୩ଟି ଗଳ୍ପର ସମାହାରରେ ପ୍ରକାଶିତ ଏହି ପୁସ୍ତକଟି ପାଠକକୁ ହଜି ଯାଇଥିବା ଏକ ସମୟର ପରିଧିକୁ ଫେରାଇ ନେବାରେ ସକ୍ଷମ ହୋଇପାରିଛି। ବିଶିଷ୍ଟ ସାହିତ୍ୟିକ ରାମଚନ୍ଦ୍ର ବେହେରା ଏହି ପୁସ୍ତକର ‘ଭୂମିକା’ ଲେଖିଛନ୍ତି।

ସେହିପରି ‘ଭାଗବତ କଥାମୃତ’ ହେଉଛି ଏକ ଆଧ୍ୟାତ୍ମିକଧର୍ମୀ ପୁସ୍ତକ। ଏଥିରେ ଭାଗବତର ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ୪୪ଟି ଆଧ୍ୟାତ୍ମିକ କଥାବସ୍ତୁ ସ୍ଥାନ ପାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ପୁସ୍ତକରେ ନିଜର ଅଭିମତ ରଖିଛନ୍ତି। ଏହି ଦୁଇଟିଯାକ ପୁସ୍ତକ ଭୁବନେଶ୍ଵରର ଅପୂର୍ବା ପ୍ରକାଶନ ସଂସ୍ଥା ଦ୍ଵକରା ପ୍ରକାଶିତ ହୋଇଛି।

ଲେଖକ ବୈଷ୍ଣବ ପ୍ରସାଦ ମହାନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରାକ୍ତନ ନିର୍ଦ୍ଦେଶକ ତଥା ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ ଭାବରେ ଦୀର୍ଘ ଦିନ କାର୍ଯ୍ୟ କରିଥିଲେ। ସାହିତ୍ୟ, ସଂସ୍କୃତି, ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ତାଙ୍କର ବିଶେଷ ରୁଚି ରହିଛି। ପୂର୍ବରୁ ସେ ଶ୍ରୀମଦ୍‌ ଭାଗବତ ଗୀତାର ଓଡ଼ିଆ ପଦ୍ୟାନୁବାଦ ପ୍ରସ୍ତୁତ କରିଛନ୍ତି।

Tags: #OdishaCM #NaveenPatnaik #BaisnabMohanty #Book #BookRelease

Comment