ସଂଗୀତା ମାନସିଂହ

ଲେଖିକା ଚନ୍ଦ୍ରା ମିଶ୍ର ସୋସିଆଲ ମିଡିଆରେ ପରିଚିତ ନାଁ ଟିଏ। ତାଙ୍କ ଜୀବନର ଅନେକ ସ୍ମୃତିକୁ ଲେଖି ସେ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି। ଗୋଟିଏ ପରେ ଗୋଟିଏ ଲେଖା ତାଙ୍କର ପାଠକଙ୍କ ମଧ୍ୟରେ ଆଦ୍ରୁତି ଲାଭ କରିଛି। ଜଣେ ଗାଳ୍ପିକା ଭାବେ ସେ ନିଜ ପାଇଁ ଏକ ସୁରକ୍ଷିତ ସ୍ଥାନଟିଏ ମଧ୍ୟ ସୃଷ୍ଟି କରିପାରିଛନ୍ତି।

‘ଝିଅଟେ ପଥୁରିଆ ସାହିରୁ’ ସ୍ମୃତିକଥନିକାଟି ଲେଖିକା ଚନ୍ଦ୍ରା ମିଶ୍ରଙ୍କର ପ୍ରଥମ ଗଳ୍ପ ସଂକଳନ। ବୃତ୍ତିଗତ ଜୀବନରୁ ଅବସର ନେବା ପରେ ନିଜର ହଜିଲା ଦିନର ସ୍ମୃତି ସବୁକୁ ସାଉଣ୍ଟି ‘ଝିଅଟେ ପଥୁରିଆ ସାହିରୁ’ ବହିରେ ଆବଦ୍ଧ କରିଛନ୍ତି।

ପୁରୀ ଜିଲ୍ଲାର ପଥୁରିଆସାହିର ଝିଅ ଚନ୍ଦ୍ରା ମିଶ୍ର ଏବେ ସୁଦୂର ଆମେରିକାର ଫିଲାଡେଲଫିଆ ସହରରେ। ପିଲାଟି ବେଳରୁ ମା’ ଛେଉଣ୍ଡ ଚନ୍ଦ୍ରା ମିଶ୍ରଙ୍କର ବ୍ୟାଲ୍ୟ ଜୀବନରୁ କିଶୋରୀ ବୟସ, ତା’ପରେ ପ୍ରବାସୀଜୀବନର ସ୍ମୃତି ଏବଂ ଅନୁଭୂତିକୁ ଅତି ସହଜ ଏବଂ ସରଳ ଭାବେ ନିଜ ପ୍ରଥମ ପୁସ୍ତକରେ ବର୍ଣ୍ଣନା କରିଛନ୍ତି।

ଅନ୍ୟ ଆତ୍ମଜୀବନୀ ବା ଆତ୍ମକାହାଣୀଠାରୁ ଟିକିଏ ଭିନ୍ନ ଚନ୍ଦ୍ରା ମିଶ୍ରଙ୍କ ଲିଖିତ ବହି ‘ଝିଅଟେ ପଥୁରିଆ ସାହିରୁ’। ନିର୍ଭେଜାଲ ସ୍ମୃତିକୁ ଗଳ୍ପ ମାଧ୍ୟମରେ ସଜାଇଛନ୍ତି ଲେଖିକା। ପିଲାଟି ଦିନରୁ ମା’ଙ୍କୁ ହରାଇ ଥିଲେ ଲେଖିକା ଚନ୍ଦ୍ରା ମିଶ୍ର। ବାପା ତାଙ୍କର ଲାଳନପାଳନ କରିବାକୁ ଅସମର୍ଥ ବୋଧ କରି ଦିନେ ଚିନ୍ତା କରିଥିଲେ ନିଜ ଝିଅକୁ ଅନ୍ୟ ହାତରେ ଟେକିଦେବାକୁ। କିନ୍ତୁ ପରିବାର ଲୋକଙ୍କ ବିରୋଧ ଯୋଗୁଁ ତାହା ସମ୍ଭବ ହେଲା ନାହିଁ। ଲେଖିକା ନିଜ ଖୁଡ଼ି ମା’ଙ୍କ ଲାଳନପାଳନରେ ବଢ଼ିଲେ।

ପିଲାଟି ଦିନରୁ ପାଠପ୍ରତି ଆଗ୍ରହ ତାଙ୍କୁ ଜଣେ ମେଧାବୀ ଛାତ୍ରୀରେ ପରିଣତ କରିଥିଲା। ସ୍ଵପ୍ନଥିଲା ଡାକ୍ତର ହେବେ। କିନ୍ତୁ ୧୮ ବର୍ଷ ଛୁଉଁ ଛୁଉଁ ବାପା ବର ଖୋଜି ବାହା ଦେଇଦେଲେ। ସୁଧାଂଶୁ ମିଶ୍ରଙ୍କୁ ବିବାହ କରିବା ପରେ ପଥୁରିଆ ସାହି ଛାଡ଼ି ଚନ୍ଦ୍ରା ମିଶ୍ରଙ୍କୁ ପ୍ରଥମେ ମୁମ୍ବାଇ ଯିବାକୁ ପଡ଼ିଲା। ତା’ ପରେ ମୁମ୍ବାଇରୁ ଆମେରିକାର ଚିକାଗୋ ସହର ଏବଂ ଏବେ ଲେଖିକା ଫିଲାଡେଲଫିଆ ସହରରେ ରହୁଛନ୍ତି।

ସଂସାର ଜଞ୍ଜାଳ ଏବଂ ଦୁଇଟି ସନ୍ତାନଙ୍କର ମା’ ହେବା ପରେ ନିଜ ଅଧୁରା ସ୍ଵପ୍ନକୁ ପୁରା କରିବା କଥା ଚିନ୍ତା କରିଥିଲେ ଲେଖିକା। ପାଠପଢ଼ିବାକୁ ପୁଣି ମନସ୍ଥ କରିଥିଲେ। ସ୍ଵାମୀ ସୁଧାଂଶୁ ମିଶ୍ରଙ୍କ ପ୍ରେରଣା ପରେ ସେ ବୟସ୍କା ଛାତ୍ରୀ ହିସାବରେ ନର୍ସିଂ କଲେଜରେ ନାମ ଲେଖାଇଲେ। ୪ ବର୍ଷ ପରେ ନର୍ସିଂ ଡିଗ୍ରୀ ହାସଲ କରି ଫିଲାଡେଲଫିଆ ଏବଂ ଆଖପାଖରେ ଥିବା ଅନେକ ନାଁକରା ହସ୍ପିଟାଲରେ ଦୀର୍ଘ ବର୍ଷ ନର୍ସ ଭାବେ ରୋଗୀ ସେବା କରି ଭିନ୍ନ ଭିନ୍ନ ଅନୁଭୂତି ହାସଲ କଲେ। ଏବେ ସେବା ନିବୃତ୍ତ ହେବା ପରେ ନିଜର ପଥୁରିଆ ସାହିରୁ ଫିଲାଡେଲଫିଆର ସ୍ମୃତିକୁ କଲମ ମୁନରେ ନିଜ ପ୍ରଥମ ପୁସ୍ତକରେ ସଜାଡ଼ିଛନ୍ତି। ।

ବିଦେଶରେ ରହିଲେ ମଧ୍ୟ ନିଜ ଗାଁ ମାଟିକୁ ଭୁଲି ନାହାନ୍ତି ଲେଖିକା। ଆଜିବି ହଜିଲା ଦିନର ସବୁ ସ୍ମୃତିକୁ ତାଜା କରି ରଖିଛନ୍ତି । ନିଜ ମନର କଥାକୁ ଓଡ଼ିଆ ଭାଷାରେ ହିଁ ନିଜ ପ୍ରଥମ ପୁସ୍ତକରେ ଲେଖିଛନ୍ତି। ଲେଖିକା ନିଜର ପାଠପଢ଼ା, ଚାକିରି ଏବଂ ବିଭିନ୍ନ ଅଙ୍ଗେନିଭା ସୁଖ ଦୁଃଖକୁ ନିର୍ଭେଜାଲ ଭାବେ ପୁସ୍ତକଟିରେ ସ୍ଥାନ ଦେଇଛନ୍ତି।

‘ଝିଅଟେ ପଥୁରିଆ ସାହିରୁ’

ଲେଖିକା: ଚନ୍ଦ୍ରା ମିଶ୍ର

ପ୍ରକାଶକ: କାହାଣୀ

କଲ୍ୟାଣୀ ନଗର, କଟକ, ଓଡ଼ିଶା

ପ୍ରଥମ ସଂସ୍କରଣ: ୧୫ ସେପ୍ଟେମ୍ବର ୨୦୨୧

ମୁଦ୍ରଣ: ଟେକ୍ନୋ ଆର୍ଟସ ଅଫସେଟ

କଲ୍ୟାଣୀ ନଗର, କଟକ

ମୂଲ୍ୟ: ୩୦୦ ଟଙ୍କା

Tags: #Book #BookReview #JhiatiaPathuriaSahira #WriterChandraMishra

2 COMMENTS

  1. ମୋ ବହିଟିର ସମୀକ୍ଷା ଏତେ ସୁନ୍ଦର ଭାବେ କରିଥିବାରୁ ମୁଁ ଅନ୍ତରରୁ ଧନ୍ୟବାଦ ଜଣାଉଚି l

  2. ‘ଝିଅ ଟେ ପଥୁରିଆସାହି ରୁ ‘ ଏକ ପ୍ରେରଣା ଦାୟୀ ବହି। ଲେଖିକା ଙ୍କ ର ଏ ଏକ ପ୍ରକାର ଆତ୍ମ କଥନ। ଜଣେ ସାଧାରଣ ଓଡ଼ିଆ ଝିଅ ନିଜର ଇଚ୍ଛା ଶକ୍ତି ଓ ପ୍ରଚଣ୍ଡ ଆତ୍ମ ବିଶ୍ବାସ ଫଳରେ ଏକ ସମ୍ମାନ ଜନଜ ସ୍ଥାନ ରେ ପହଞ୍ଚି ପାରିଛନ୍ତି।
    କିନ୍ତୁ ସଙ୍ଗୀତା ମାନସିଂହ ସମୀକ୍ଷା କରିବା ବେଳେ ଏହାକୁ ଗଳ୍ପ ସଂକଳନ କହି ବହିର ମର୍ଯ୍ୟାଦା ହାନି କରନ୍ତୁ ନାହିଁ। ସତ ଜୀବନ ର କଥା ଗପଠୁ ଆହୁରି ଉଚ୍ଚରେ। ଧନ୍ୟବାଦ

Comment