ନୀଳାମ୍ବର ରଥ

ରିଜର୍ଭ ବ୍ୟାଙ୍କ୍‌ର ପୂର୍ବତନ ବରିଷ୍ଠ ଅଧିକାରୀ ଦାଶରଥି ମିଶ୍ରଙ୍କ ପୁସ୍ତକ ‘ଟ୍ରାନ୍ସଫର୍ମେସନ୍ – ଥ୍ରି ଡେକାଡସ୍ ଅଫ୍ ଇଣ୍ଡିଆସ୍ ଫାଇନାନ୍ସିଆଲ୍ ଆଣ୍ଡ ବ୍ୟାଙ୍କିଙ୍ଗ୍ ସେକ୍ଟର ରିଫର୍ମସ୍ ୧୯୯୧-୨୦୨୧’ – ଏକ ସଂକ୍ଷିପ୍ତ ସମୀକ୍ଷା

ଭାରତରେ ବ୍ୟାଙ୍କିଙ୍ଗ୍ ଏବଂ ଆର୍ଥିକ କ୍ଷେତ୍ରରେ ନବେ ଦଶକରେ ଯେଉଁ ବ୍ୟାପକ ସଂସ୍କାର ଆରମ୍ଭ ହେଲା ସମୟ କ୍ରମେ ତା’ର ସୁଫଳ ସାରା ଦେଶକୁ ମିଳିପାରିଛି। ଜଣେ ସାଧାରଣ ବ୍ୟକ୍ତି ବା ଗୋଟିଏ ପରିବାର ହେଉ ବା ବ୍ୟବସାୟିକ କ୍ଷେତ୍ର କିମ୍ବା ଦେଶର ସାମଗ୍ରିକ, ଅର୍ଥନୈତିକ ପ୍ରଗତି – ସବୁଠି ଏଇ ପରିବର୍ତ୍ତନର ପ୍ରଭାବ ଦେଖିବାକୁ ମିଳିଛି। ବିଶେଷକରି, ଆର୍ଥିକ ଓ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ବଡ଼ ଧରଣର ସରଳୀକରଣ, ଉଦାରୀକରଣ ଏବଂ ସ୍ୱଚ୍ଛତା ଏହି କ୍ଷେତ୍ରକୁ ଅଧିକ ପ୍ରଭାବଶାଳୀ ଏବଂ ଗ୍ରାହକ-ଅଭିମୁଖୀ କରିପାରିଛି। ଗତ ତିନି ଦଶନ୍ଧିର ଏହି ସଂସ୍କାରର ପ୍ରମୁଖ ଧାରା ଓ ବ୍ୟବସ୍ଥାକୁ ଏକାଠି କରି ଏକ ସୁନ୍ଦର ବହି ଆକାରରେ ଉପସ୍ଥାପନ କରିଛନ୍ତି ଦାଶରଥି ମିଶ୍ର।

ଦାଶରଥି ମିଶ୍ର ରିଜର୍ଭ ବ୍ୟାଙ୍କ୍ ଅଫ୍‌ ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ ଭାବେ ଅବସର ନେଇଛନ୍ତି। ଗତ କିଛିବର୍ଷ ହେଲା ସେ ଆର୍ଥିକ ଅନ୍ତର୍ଭୁକ୍ତି ବା ଫାଇନାନ୍ସିଆଲ୍ ଇନକ୍ଲୁଜନ୍ ବିଷୟରେ ସାଧାରଣ ଜନତାଙ୍କ ସହ ଯୋଡ଼ି ହୋଇ କାମ କରୁଛନ୍ତି। ତାଙ୍କର ସଦ୍ୟ ପ୍ରକାଶିତ ପୁସ୍ତକ ‘ଟ୍ରାନ୍ସଫର୍ମେସନ୍ – ଥ୍ରି ଡେକାଡସ୍ ଅଫ୍ ଇଣ୍ଡିଆସ୍ ଫାଇନାନ୍ସିଆଲ୍ ଆଣ୍ଡ ବ୍ୟାଙ୍କିଙ୍ଗ୍ ସେକ୍ଟର ରିଫର୍ମସ୍ ୧୯୯୧-୨୦୨୧’ ହେଉଛି ଗତ ତିନି ଦଶନ୍ଧି ଧରି ଭାରତର ଆର୍ଥିକ ଓ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଆସିଥିବା ପ୍ରମୁଖ ସଂସ୍କାର ବା ପରିବର୍ତ୍ତନର ଏକ ଦସ୍ତାବିଜ।

୪୦୮ ପୃଷ୍ଠା ବିଶିଷ୍ଟ ଏହି ଇଂରାଜୀ ପୁସ୍ତକରେ ମୋଟ ୨୭ଟି ବିଷୟ ରହିଛି। ତା’ ଭିତରେ ସ୍ଥାନ ପାଇଛି ଭାରତୀୟ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ସଂସ୍କାରର ପ୍ରେକ୍ଷାପଟ, ନୂଆ ଘରୋଇ ବ୍ୟାଙ୍କ୍‌ର ପ୍ରବେଶ, ଭାରତରେ ବିଦେଶୀ ବ୍ୟାଙ୍କ୍‌ର ପ୍ରବେଶ ଏବଂ ଭାରତରେ ବିଦେଶୀୟ ବ୍ୟାଙ୍କ୍‌ର କାରବାର, ଭାରତରେ ବ୍ୟାଙ୍କିଙ୍ଗ୍ ନିୟମ କ୍ଷେତ୍ରରେ ବିବିଧ ସଂସ୍କାର, ବ୍ୟାଙ୍କ୍‌ର ମାଲିକାନା ଓ ପରିଚାଳନା ନିୟମ ଓ ବ୍ୟବସ୍ଥା, ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ କରି ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରର ରୂପାନ୍ତରିକରଣ, କ୍ରେଡିଟ୍ ଇନଫର୍ମେସନ୍ ସିଷ୍ଟମ୍‌ ଲାଗୁ କରି ନୂତନ ଋଣ-ସଂସ୍କୃତିରୁ ଆରମ୍ଭ, ଅଣ-ବ୍ୟାଙ୍କିଙ୍ଗ୍ (ଏନବିଏଫ୍ସି) କ୍ଷେତ୍ରରେ ସଂସ୍କାର, କ୍ଷୁଦ୍ର ଓ ଅଣୁ ଜମାକାରୀଙ୍କୁ ସୁରକ୍ଷା ପ୍ରଦାନ, ଆର୍ଥିକ ଅନ୍ତର୍ଭୁକ୍ତି (ଫାଇନାନ୍ସିଆଲ୍ ଇନକ୍ଲୁଜନ୍) ଏବଂ ଆର୍ଥିକ ସାକ୍ଷରତା ବା (ଫାଇନାନ୍ସିଆଲ୍ ଲିଟେରେସି) ଇତ୍ୟାଦି।

‘ଟ୍ରାନ୍ସଫର୍ମେସନ୍ – ଥ୍ରି ଡେକାଡସ୍ ଅଫ୍ ଇଣ୍ଡିଆସ୍ ଫାଇନାନ୍ସିଆଲ୍ ଆଣ୍ଡ ବ୍ୟାଙ୍କିଙ୍ଗ୍ ସେକ୍ଟର ରିଫର୍ମସ୍ ୧୯୯୧-୨୦୨୧’ ପୁସ୍ତକର ଲେଖକ ଦାଶରଥି ମିଶ୍ର ଓଡ଼ିଶାଲାଇଭ୍‌ର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥଙ୍କୁ ପୁସ୍ତକ ଉପହାର ଦେବା ଅବସରରେ

ବ୍ୟାଙ୍କିଙ୍ଗ୍ ଏବଂ ଆର୍ଥିକ କ୍ଷେତ୍ର ଏକ ଟେକ୍ନିକାଲ୍ ବିଷୟ ହୋଇଥିଲେ ମଧ୍ୟ ଏହା ପ୍ରତ୍ୟେକ ନାଗରିକ ବା ବ୍ୟକ୍ତିଙ୍କର ଦୈନନ୍ଦିନ ଆବଶ୍ୟକତାର କଥା। ତେଣୁ ଏହି ବହିଟି ଅର୍ଥନୀତି ଓ ମ୍ୟାନେଜମେଣ୍ଟର ଛାତ୍ରଛାତ୍ରୀ, ଗବେଷକ, ବ୍ୟାଙ୍କିଙ୍ଗ୍ ଓ ଆର୍ଥିକ କ୍ଷେତ୍ରରେ କାର୍ଯ୍ୟରତ ପେସାଦାର, ଗଣମାଧ୍ୟମ ଏବଂ ଆଇନ ବିଶାରଦମାନଙ୍କ ପାଇଁ ବିଶେଷ ଉପାଦେୟ ହୋଇପାରିବ। ଏହା ସହିତ ଆର୍ଥିକ ଓ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଆଗ୍ରହ ରଖୁଥିବା ପାଠକମାନଙ୍କ ପାଇଁ ମଧ୍ୟ ଏହା ଏକ ସୂଚନାଧର୍ମୀ ପୁସ୍ତକ ହିସାବରେ ବିଚାର କରାଯାଇପାରେ।

ଲେଖକ ଦାଶରଥି ମିଶ୍ର ତାଙ୍କର ଦୀର୍ଘ ବର୍ଷର ରିଜର୍ଭ ବ୍ୟାଙ୍କ୍ ଅନୁଭୂତି ଆଧାରରେ ଏହି ବିଷୟକୁ ସୁନ୍ଦର ଭାବେ ବୁଝିଛନ୍ତି ଓ ଉପସ୍ଥାପନ କରିବାକୁ ଚେଷ୍ଟା କରିଛନ୍ତି। ଗତ କେତୋଟି ଦଶନ୍ଧି ମଧ୍ୟରେ ଆସିଥିବା ଫିନଟେକ୍ ରିଭୋଲ୍ୟୁସନ୍ କଥା ମଧ୍ୟ ସେ ଲେଖିବାକୁ ଭୁଲିନାହାନ୍ତି। ସେହିପରି କୋଭିଡ୍-୧୯ ସମୟରେ ଭାରତୀୟ ଅର୍ଥନୀତି, ବ୍ୟାଙ୍କିଙ୍ଗ୍ କ୍ଷେତ୍ର ଏବଂ ସମୟର ଆବଶ୍ୟକତା ଅନୁଯାୟୀ ଏହି ସବୁ କ୍ଷେତ୍ରରେ ଆସିଥିବା ସଂସ୍କାର ଓ ପରିବର୍ତ୍ତନ ବିଷୟ ମଧ୍ୟ ଏହି ବହିରେ ସ୍ଥାନ ପାଇଛି।

ଭାରତୀୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ପୃଥିବୀର ଅନ୍ୟ ଯେକୌଣସି ଦେଶ ତୁଳନାରେ ପ୍ରଭାବଶାଳୀ ହୋଇଥିଲେ ମଧ୍ୟ ଏ ଦେଶର ହଜାର ହଜାର ଛୋଟ ବଡ଼ ଜମାକାରୀ ଅତୀତରେ ବହୁ ଲାଭଖୋର ଏବଂ ଠକ ଆର୍ଥିକ ସଂସ୍ଥାର ଜାଲରେ ପଡ଼ି ଛଟପଟ ହୋଇଛନ୍ତି। ଯଦିଓ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ବ୍ୟାପକ ସଂସ୍କାର ଏହି ଆର୍ଥିକ ଲୁଟତରାଜକୁ କିଛି ମାତ୍ରାରେ ନିୟନ୍ତ୍ରଣ କରିପାରିଛି, ତେବେ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇପାରି ନାହିଁ। ଆଜି ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍, ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଏବଂ କ୍ୟାସଲେସ୍ ଟ୍ରାଞ୍ଜାକ୍ସନ ଯୁଗରେ ଜଣେ ବ୍ୟକ୍ତି ଦୈନନ୍ଦିନ ବ୍ୟବହାରରେ ଯେତିକି ଆଧୁନିକ ବ୍ୟବସ୍ଥାର ପ୍ରୟୋଗ କରୁଛି ସେ ଅନୁଯାୟୀ ଡିଜିଟାଲ୍ ଡକାୟତି ମଧ୍ୟ ବଢ଼ିଚାଲିଛି। ତେଣୁ ଆର୍ଥିକ ଏବଂ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ସମ୍ପର୍କରେ ଅଧିକରୁ ଅଧିକ ସଚେତନତାର ଆବଶ୍ୟକତା ଦେଖାଦେଇଛି।

ଦାଶରଥି ମିଶ୍ରଙ୍କ ଏହି ପୁସ୍ତକର ପ୍ରକାଶକ ହେଉଛନ୍ତି ପାଟ୍ରିଜ୍। ବହିଟି ଉଭୟ ହାର୍ଡ ବାଉଣ୍ଡ ଓ ପେପର୍ ବ୍ୟାକ୍ ଆକାରରେ ମିଳୁଛି। ଆଗ୍ରହୀ ପାଠକମାନେ ଏହାକୁ ଅନଲାଇନରେ କିଣିପାରିବେ। ଏହାର ପେପର୍ ବ୍ୟାକ୍ ମୁଦ୍ରଣର ଦର ରହିଛି ୬୫୦ ଟଙ୍କା।

‘‘ଗତ ତିନି ଦଶନ୍ଧି ଧରି ଭାରତୀୟ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଆସିଥିବା ବ୍ୟାପକ ପରିବର୍ତ୍ତନ ଓ ସଂସ୍କାରକୁ ସାମଗ୍ରିକ ଭାବେ ଏହି ପୁସ୍ତକରେ ଉପସ୍ଥାପନ କରାଯାଇଛି। ବ୍ୟାଙ୍କିଙ୍ଗ୍, ଏନବିଏଫସି ରେଗୁଲେସନ୍, କ୍ରେଡିଟ୍ ଇନଫର୍ମେସନ୍, ଫରେନ୍ ଏକ୍ସଚେଞ୍ଜ, ଗୋଲ୍‌ଡ ପଲିସି ଏବଂ ବ୍ୟାଙ୍କ୍‌ର ମର୍ଜର ଆଦି ବିଷୟରେ ଦାଶରଥି ମିଶ୍ରଙ୍କର ଦୀର୍ଘ ଅନୁଭୂତି ରହିଛି। ତେଣୁ ସେ ଏହିସବୁ ବିଷୟକୁ ସରଳ ତଥା ଚମତ୍କାର ଭାବେ ଉପସ୍ଥାପନ କରିଛନ୍ତି। ବହିଟି ଗବେଷକ, ବ୍ୟାଙ୍କିଙ୍ଗ୍ ଓ ଅର୍ଥନୀତି କାର୍ଯ୍ୟରତ ବ୍ୟକ୍ତି ତଥା ଛାତ୍ରଛାତ୍ରୀମାନଙ୍କ ପାଇଁ ବିଶେଷ ଉପାଦେୟ ହୋଇପାରିବ,’’ ପୁସ୍ତକର ମୁଖବନ୍ଧରେ ଲେଖିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ପୂର୍ବତନ ଡେପୁଟି ଗଭର୍ଣ୍ଣର ଶ୍ୟାମଲା ଗୋପୀନାଥ।

‘‘ପୁସ୍ତକର ଲେଖକ ଦାଶରଥି ମିଶ୍ର ଜଣେ ପୂର୍ବତନ ବରିଷ୍ଠ କେନ୍ଦ୍ରୀୟ ବ୍ୟାଙ୍କ୍ ଅଧିକାରୀ। ଆର୍ଥିକ ଶିକ୍ଷା ଓ ସଚେତନତା କ୍ଷେତ୍ରରେ କାମ କରୁଥିବା ଶ୍ରୀଯୁକ୍ତ ମିଶ୍ର ଏହି ପୁସ୍ତକରେ ଭାରତୀୟ ଆର୍ଥିକ କ୍ଷେତ୍ରରେ ଆସିଥିବା ବ୍ୟାପକ ସଂସ୍କାରରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସୁନ୍ଦର ଭାବେ ଉପସ୍ଥାପନ କରିଛନ୍ତି। ତେଣୁ, ଭାରତୀୟ ଆର୍ଥିକ ସଂସ୍କାରର ପରବର୍ତ୍ତୀ ସମୟରେ ପ୍ରକାଶିତ ପୁସ୍ତକ ବା ପ୍ରକାଶନ ହିସାବରେ ଦାଶରଥି ମିଶ୍ରଙ୍କ ଏହି ବହି ବିଶେଷ ଗୁରୁତ୍ୱ ବହନ କରେ,’’ ବହିର ପଛ-ପ୍ରଚ୍ଛଦ ପୃଷ୍ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ପୂର୍ବତନ ଡେପୁଟି ଗଭର୍ଣ୍ଣର ହାରୁନ୍ ଆର୍‌ ଖାନ୍‌ଙ୍କ ବାର୍ତ୍ତା ପ୍ରକାଶ ପାଇଛି।

‘ଟ୍ରାନ୍ସଫର୍ମେସନ୍ – ଥ୍ରି ଡେକାଡସ୍ ଅଫ୍ ଇଣ୍ଡିଆସ୍ ଫାଇନାନ୍ସିଆଲ୍ ଆଣ୍ଡ ବ୍ୟାଙ୍କିଙ୍ଗ୍ ସେକ୍ଟର ରିଫର୍ମସ୍ ୧୯୯୧-୨୦୨୧’ ପୁସ୍ତକରେ ଦାଶରଥି ମିଶ୍ର ବିଭିନ୍ନ ଜଟିଳ ବା ଟେକ୍ନିକାଲ୍ ବିଷୟକୁ ସରଳ ଭାବେ ବର୍ଣ୍ଣନା କରିବାକୁ ଉଦ୍ୟମ କରିଛନ୍ତି। ଏହାଛଡ଼ା ପ୍ରତ୍ୟେକ ବିଷୟକୁ ଛୋଟ ଛୋଟ ଭାଗରେ ବିଭକ୍ତ କରି ଲେଖିଥିବାରୁ ଏହା ସାଧାରଣ ପାଠକମାନଙ୍କ ପାଇଁ ମଧ୍ୟ ବିଶେଷ ଗ୍ରହଣୀୟ ହୋଇପାରିବ।

(ଲେଖକ ଓଡ଼ିଶାଲାଇଭ୍‌ର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ)

Tags: #BookPublication #BookReview #IndianBanking #FinancialSector #Economy

Comment