ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିର ସମୟରେ ସାରା ବିଶ୍ଵରେ ସମସ୍ତଙ୍କ ଜୀବନଧାରଣର ମାନ ଉପରେ ବେଶ୍ ଗୁରୁତ୍ଵ ଦିଆଯାଉଛି। ଏଥିପାଇଁ କର୍ମଜୀବୀଙ୍କ ସର୍ବନିମ୍ନ ପାରିଶ୍ରମିକ ବଦଳରେ ଜୀବନଧାରଣର ମାନ ବଢ଼ାଇବା ପାଇଁ ପାରିଶ୍ରମିକ ବା ‘ଲିଭିଂ ୱେଜ୍’ ଉପରେ ଅଧିକ ଚର୍ଚ୍ଚା ହେଉଛି।

ଜୀବନଧାରଣର ମାନ ଉନ୍ନତ କରିବା ପ୍ରତି ବ୍ୟକ୍ତିର ଅଧିକାର। ଏହା ଦ୍ଵାରା ସେମାନେ ନିଜ ସହ ନିଜ ପରିବାର ବର୍ଗଙ୍କ ପାଇଁ ମଧ୍ୟ କିଛି ସମ୍ଭାବନା ସୃଷ୍ଟି କରିପାରିବେ। ତେବେ ଏହି ପରିପ୍ରେକ୍ଷୀରେ ଜଣେ କର୍ମଜୀବୀଙ୍କ ଉତ୍ତମ ଜୀବନଧାରଣ ପାଇଁ ‘ଲିଭିଂ ୱେଜ୍’ କ’ଣ ରହିବା ଦରକାର, ଏହା ଏକ ବଡ଼ ପ୍ରଶ୍ନ।

ବିଶ୍ଵର ବିଭିନ୍ନ ଦେଶରେ ଆର୍ଥିକ, ସାମାଜିକ ତଥା ଭୌଗଳିକ ପରିସ୍ଥିତି ଦୃଷ୍ଟିରେ ରଖି ଲିଭିଂ ୱେଜ୍ ସ୍ଥିର କରାଯାଇଥାଏ। ଏହା ବିଭିନ୍ନ ପ୍ରକାର ମାନଦଣ୍ଡକୁ ନେଇ ଧାର୍ଯ୍ୟ କରାଯାଇ ଥାଏ।

ବିଭିନ୍ନ ଅଞ୍ଚଳରେ କର୍ମଜୀବୀଙ୍କ ଅବସ୍ଥା ଓ ଜୀବନଧାରଣର ମାନ ବୃଦ୍ଧି ପାଇଁ ଲିଭିଂ ୱେଜ କେତେ ରହିବା ଦରକାର, ଏନେଇ ଅନ୍ତର୍ଜାତୀୟ ସଂସ୍ଥା ୱେଜଇଣ୍ଡିକେଟର ଫାଉଣ୍ଡେସନ୍ ପକ୍ଷରୁ ରିପୋର୍ଟ ପ୍ରକାଶ କରାଯାଉଛି। ସଂସ୍ଥା ପକ୍ଷରୁ ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ଓଡ଼ିଶାରେ ଜଣେ କର୍ମଜୀବୀ ନିଜ ପାଇଁ ଏବଂ ନିଜ ପରିବାରର ଭଲ ଜୀବନଯାପନ ପାଇଁ ମାସକୁ ୧୯ ହଜାର ୯୫୦.୫୦ ଟଙ୍କା ରୋଜଗାର କରିବା ଆବଶ୍ୟକତା ଥିବା ଦର୍ଶାଯାଇଛି।

ଭାରତୀୟ ରାଜ୍ୟମାନଙ୍କ ପାଇଁ କ’ଣ ରହିଛି ‘ଲିଭିଂ ୱେଜ୍’

ୱେଜଇଣ୍ଡିକେଟର ଫାଉଣ୍ଡେସନ ପକ୍ଷରୁ ୧୬୫ଟି ଦେଶର ବେତନ ସୂଚକାଙ୍କ ୱେବସାଇଟରେ ଉତ୍ତମ ଜୀବନ ଧାରଣ ପାଇଁ ସର୍ବନିମ୍ନ ପାରିଶ୍ରମିକ ବାବଦରେ ଆକଳନ ପ୍ରକାଶ କରିଛି, ଯାହା ସମସ୍ତଙ୍କ ପାଇଁ ମାଗଣାରେ ଉପଲବ୍ଧ କରାଯାଇଛି। ବିଶ୍ୱସ୍ତରରେ ‘ଲିଭିଂ ୱେଜ୍’ ଆକଳନରେ ଥିବା ସମସ୍ୟାର ସମାଧାନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି।

ଚଳିତ ବର୍ଷ ମେ’ ୧ ତାରିଖ ଅନ୍ତର୍ଜାତୀୟ ଶ୍ରମିକ ଦିବସରେ ଫାଉଣ୍ଡେସନ ‘ଲିଭିଂ ୱେଜ୍’ ଆକଳନ ପ୍ରକାଶ କରିଥିଲା। ଏଥିରେ ଓଡ଼ିଶା ବ୍ୟତୀତ ଅନ୍ୟ ଭାରତୀୟ ରାଜ୍ୟଗୁଡ଼ିକର ଉତ୍ତମ ଜୀବନଧାରଣ ପାଇଁ ପାରିଶ୍ରମିକର ଆକଳନ କରାଯାଇଥିଲା। ପଶ୍ଚିମବଙ୍ଗରେ ଏହି ପାରିଶ୍ରମିକ ମାସିକ ପ୍ରାୟ ୧୯ ହଜାର ୨୬୦.୭୪ ଟଙ୍କା ଥିବା ବେଳେ ଆନ୍ଧ୍ରପ୍ରଦେଶ ପାଇଁ ମାସିକ ପ୍ରାୟ ୧୯ ହଜାର ୨୧.୧୫ ଟଙ୍କା ବୋଲି ଆକଳନ କରାଯାଇଛି।

ଓଡ଼ିଶାର ଲିଭିଂ ୱେଜ୍ ଡାଟା

ଓଡ଼ିଶାରେ ଚଳିତ ବର୍ଷଠାରୁ ରାଜ୍ୟ ସରକାର ସର୍ବନିମ୍ନ ପାରିଶ୍ରମିକ ଉପରେ ସଂଶୋଧନ ପ୍ରସ୍ତାବ ଦେଇଥିବାବେଳେ ସରକାରୀ କ୍ଷେତ୍ର ପାଇଁ ଏହି କାର୍ଯ୍ୟକାରୀ ହୋଇସାରିଛି। ଏହି ବ୍ୟବସ୍ଥା ଅନୁସାରେ ଅଣକୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ପାରିଶ୍ରମିକ ଦୈନିକ ୪୫୦ ଟଙ୍କା, ଅର୍ଦ୍ଧକୁଶଳୀଙ୍କ ପାଇଁ ଦୈନିକ ୫୦୦ ଟଙ୍କା, କୁଶଳୀଙ୍କ ପାଇଁ ଦୈନିକ ୫୫୦ ଟଙ୍କା ଏବଂ ଅତି କୁଶଳୀ ଶ୍ରମିକଙ୍କ ପାଇଁ ଦୈନିକ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ତେବେ ‘ଲିଭିଂ ୱେଜ୍’ ଓ ସର୍ବନିମ୍ନ ପାରିଶ୍ରମିକ ମଧ୍ୟରେ ତୁଳନା କରାଗଲେ ବାସ୍ତବତାର ଚିତ୍ର ସାମ୍ନାକୁ ଆସିଥାଏ। ୱେଜଇଣ୍ଡିକେଟର ଫାଉଣ୍ଡେସନ କରିଥିବା ଆକଳନ ଅନୁସାରେ ଓଡ଼ିଶାରେ ‘ଲିଭିଂ ୱେଜ୍’ ଘଣ୍ଟାପ୍ରତି ୯୫.୯୨ ଟଙ୍କା, ଯାହା ଦୈନିକ ୭୬୭.୩୬ ଟଙ୍କା। ଏହାକୁ ନଜରରେ ରଖିଲେ ଆଜି ବିଶ୍ୱର ଅନେକ ଅର୍ଥନୀତିଜ୍ଞ ଓ ସମାଜ ବିଜ୍ଞାନୀଙ୍କ ଦ୍ୱାରା ପ୍ରୋତ୍ସାହିତ ‘ଲିଭିଂ ୱେଜ୍’ ଓଡ଼ିଶାର ଜଣେ ଅତି କୁଶଳୀ ଶ୍ରମିକଙ୍କ ଦୈନିକ ସର୍ବନିମ୍ନ ପାରିଶ୍ରମିକଠାରୁ ଯଥେଷ୍ଟ ଅଧିକ। କେବଳ ଓଡ଼ିଶା ନୁହେଁ ଭାରତର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଏହି ସମାନ ଅବସ୍ଥା ଦେଖିବାକୁ ମିଳୁଛି।

ପଲିନ୍ ଓସେ

“ଏହି ଲିଭିଂ ୱେଜ୍ ପ୍ରକାଶନ ଆମର ୨୫ ବର୍ଷର କଠିନ ପରିଶ୍ରମକୁ ଦର୍ଶାଉଛି। ସବୁ କର୍ମଜୀବୀ ନିଜେ କେତେ ଟଙ୍କା ରୋଜଗାର କରିବା ଦରକାର, ସେ ବିଷୟରେ ସଚେତନ ହେବା ଉଦ୍ଦେଶ୍ୟରେ ଆମେ ୨୦୦୦ ମସିହାରୁ ଏହାକୁ ପ୍ରକାଶ କରି ଆସୁଛୁ। ଏହାଦ୍ଵାରା ପାରିଶ୍ରମିକ ସ୍ଥିର କରିବା ଦିଗରେ ଥିବା ବିଭିନ୍ନ ପ୍ରତିବନ୍ଧକକୁ ଆମେ ଦୂର କରିପାରିଛୁ। ଚାକିରି କରୁଥିବା ଲୋକ, ସେମାନଙ୍କ ସହକର୍ମୀ, ମାଲିକ ଏବଂ ଶ୍ରମିକମାନଙ୍କ ପାଇଁ ଏହା ବହୁଳ ଭାବେ ସହାୟକ ହେଉଛି ବୋଲି ଆମର ଆଶା”, କହିଛନ୍ତି ୱେଜଇଣ୍ଡିକେଟର ଫାଉଣ୍ଡେସନର ସହ ପ୍ରତିଷ୍ଠାତା ତଥା ଲିଭିଂ ୱେଜ୍ ଟିମର ଗ୍ଲୋବାଲ ଲିଡ୍ ପଲିନ୍ ଓସେ।

‘ଲିଭିଂ ୱେଜ୍’ ଆକଳନର ଲକ୍ଷ୍ୟ

ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ବିଜ୍ଞାପିତ ବୈଧାନିକ ସର୍ବନିମ୍ନ ମଜୁରୀ ଶ୍ରମିକ ଏବଂ ସେମାନଙ୍କ ପରିବାରର ଉତ୍ତମ ଜୀବନଧାରଣ ପାଇଁ ଯଥେଷ୍ଟ ହୋଇନପାରେ। ଏହି ଭଳି ପରିସ୍ଥିତିର ସମସ୍ତଙ୍କୁ ସଚେତନ କରାଇବା ଲାଗି ଉତ୍ତମ ଜୀବନଧାରଣର ସର୍ବନିମ୍ନ ପାରିଶ୍ରମିକ ବା ‘ଲିଭିଂ ୱେଜ୍’ର ପରିକଳ୍ପନା କରାଯାଇଛି।  

‘ଲିଭିଂ ୱେଜ୍’ ଭଲ ଜୀବନଧାରଣ ପାଇଁ ହେଉଥିବା ବିଭିନ୍ନ ଖର୍ଚ୍ଚ ଉପରେ ଆଧାରିତ। ଏଥିରେ ଖାଦ୍ୟ, ଜଳ, ବାସଗୃହ, ବିଜୁଳି, ଶିକ୍ଷା, ପରିବହନ, ପୋଷାକ, ଫୋନ୍ (କଲ୍ ଏବଂ ଡାଟା), ଅପ୍ରତ୍ୟାଶିତ ଖର୍ଚ୍ଚ ଏବଂ ଟିକସ ଓ ସାମାଜିକ ନିରାପତ୍ତା ଭଳି ଉପାଦାନ ଅନ୍ତର୍ଭୁକ୍ତ। ଯଦିଓ ଏହାକୁ ଆଇନ ଅନୁସାରେ ମାନ୍ୟତା ମିଳି ନାହିଁ, ହେଲେ ଦରମା ଉପରେ ଆଲୋଚନା ସମୟରେ ଏହା ଶ୍ରମିକ ଏବଂ ଟ୍ରେଡ୍ ୟୁନିୟନମାନଙ୍କ ପାଇଁ ବହୁତ ସହାୟକ ହୋଇପାରେ।

ଆଜିର ସମୟରେ ଅଧିକାଂଶ ଦେଶରେ ବୈଧାନିକ ସର୍ବନିମ୍ନ ପାରିଶ୍ରମିକ ଭଲ ଜୀବନଧାରଣ ପାଇଁ ପାରିଶ୍ରମିକଠାରୁ ବେଶ୍ କମ୍ ରହିଛି। ଏଥିପାଇଁ ‘ଲିଭିଂ ୱେଜ୍’ ଡାଟାର ଆବଶ୍ୟକତା ବହୁତ ଗୁରୁତ୍ଵପୂର୍ଣ୍ଣ। ଏପ୍ରିଲ ୨୦୨୪ ସୁଦ୍ଧା ମାତ୍ର ୨୬ଟି ଦେଶରେ ଜାତୀୟ ସର୍ବନିମ୍ନ ପାରିଶ୍ରମିକ ୱେଜ୍ ଇଣ୍ଡେକ୍ସର ‘ଲିଭିଂ ୱେଜ୍’ ଆକଳନଠାରୁ ଅଧିକ ରହିଛି।

ବିଶ୍ଵରେ ଲିଭିଂ ୱେଜ୍ ଓ ସର୍ବନିମ୍ନ ପାରିଶ୍ରମିକ ମଧ୍ୟରେ ତୁଳନା

ପୂରଣ ହେବକି ଭାରତୀୟ କର୍ମଜୀବୀଙ୍କ ଦୀର୍ଘ ଦିନର ଆଶା?

କେନ୍ଦ୍ର ସରକାର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ) ସହ ମିଶି ଭାରତରେ ୨୦୨୫ ସୁଦ୍ଧା ‘ଲିଭିଂ ୱେଜ୍’ ବ୍ୟବସ୍ଥାକୁ ଲାଗୁ କରିବା ଦିଗରେ କାମ କରୁଛନ୍ତି। ଏହା ଦେଶରେ ସାମାଜିକ କଲ୍ୟାଣ ଏବଂ କର୍ମଜୀବୀମାନଙ୍କ ପାଇଁ ଏକ ବଡ଼ ପ୍ରୋତ୍ସାହନ ହେବ।

‘ଲିଭିଂ ୱେଜ୍’ ନିରନ୍ତର ବିକାଶ ଲକ୍ଷ୍ୟର (ଏସଡିଜି) ଭାବନାକୁ ଆହୁରି ଆଗକୁ ନେଇଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତୀୟ ସମ୍ବିଧାନର ଧାରା ୪୩ରେ ଡିରେକ୍ଟିଭ୍ ପ୍ରିନ୍ସପଲ୍ସ ଅଫ୍ ଷ୍ଟେଟ ପଲିସିରେ ମଧ୍ୟ କର୍ମଜୀବୀମାନଙ୍କ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତିଗୁଡ଼ିକୁ ଏହାଦ୍ଵାରା ପୂରଣ କରାଯାଇପାରିବ।  

କ’ଣ ରହିଛି ଧାରା ୪୩ରେ?

ସମ୍ବିଧାନର ଧାରା ୪୩ରେ କର୍ମଜୀବୀମାନଙ୍କ ‘ଲିଭିଂ ୱେଜ୍’ ବାବଦରେ ସବିଶେଷ ବର୍ଣ୍ଣନା କରାଯାଇଛି। ଏହା ଅନୁସାରେ ଦେଶର ସରକାର ଉପଯୁକ୍ତ ଆଇନ ବା ଅର୍ଥନୈତିକ ସଂଗଠନ କିମ୍ବା ଅନ୍ୟ କୌଣସି ଉପାୟରେ କୃଷି, ଶିଳ୍ପ ତଥା ଅନ୍ୟ କୌଣସି କ୍ଷେତ୍ରରେ କାମ କରୁଥିବା ସବୁ କର୍ମଜୀବୀଙ୍କ କାର୍ଯ୍ୟ, ଜୀବନଧାରଣର ପାରିଶ୍ରମିକ ଏବଂ କାର୍ଯ୍ୟର ସ୍ଥିତିକୁ ସୁରକ୍ଷିତ ରଖିବେ। ଏହାସହ ସେମାନଙ୍କ ଛୁଟି ଏବଂ ସାମାଜିକ ଓ ସାଂସ୍କୃତିକ ସୁଯୋଗର ପୂର୍ଣ୍ଣ ଉପଭୋଗକୁ ସୁନିଶ୍ଚିତ କରିବା ପାଇଁ ପ୍ରୟାସ କରିବେ। ବିଶେଷକରି ଗ୍ରାମାଞ୍ଚଳରେ ବ୍ୟକ୍ତିଗତ କିମ୍ବା ସମବାୟ ଭିତ୍ତିରେ କୁଟୀର ଶିଳ୍ପକୁ ପ୍ରୋତ୍ସାହିତ କରିବାକୁ ପ୍ରୟାସ କରିବେ।

କ’ଣ ରହିଛି ଏହି ‘ଲିଭିଂ ୱେଜ୍’ ଆକଳନର ବିଶେଷତା?

ୱେଜଇଣ୍ଡିକେଟର ଫାଉଣ୍ଡେସନ ଦ୍ୱାରା ପ୍ରକାଶିତ ବାର୍ଷିକ ‘ଲିଭିଂ ୱେଜ୍’ ଆକଳନ ବିଭିନ୍ନ ଦେଶର ଜାତୀୟ ଭାଷା ଏବଂ ମୁଦ୍ରା ଅନୁସାରେ ଉପଲବ୍ଧ। ଏହି ପ୍ରକାଶନକୁ ଆଇକିଆ, ସ୍ନାଇଡର ଇଲେକ୍ଟ୍ରିକ୍, ୟୁନିଲିଭର (ଅଂଶୀଦାର ଭାବରେ), ହର୍ସି କମ୍ପାନୀ ଓ ପିଏମଆଇ (ପ୍ରାୟୋଜକ ଭାବରେ) ଏବଂ ଫେୟାରଫୋନ୍ ଓ ଡିଏସଏମ-ଫାର୍ମେନିକ୍ (ସମର୍ଥକ ଭାବରେ) ଆର୍ଥିକ ସହଯୋଗ ପ୍ରଦାନ କରିଛନ୍ତି।

ୱେଜଇଣ୍ଡିକେଟର ଫାଉଣ୍ଡେସନ ଏକ ଅଣ ସରକାରୀ ଓ ଅଣ ଲାଭକାରୀ ଅନ୍ତର୍ଜାତୀୟ ସଂସ୍ଥା। ବିଶ୍ଵସ୍ତରରେ ଉତ୍ତମ ଜୀବନଧାରଣ ପାଇଁ ପାରିଶ୍ରମିକ ଆକଳନକୁ ସମସ୍ତଙ୍କ ପାଇଁ ମୁକ୍ତ ଭାବରେ ଉପଲବ୍ଧ କରାଇବାରେ ଏହା ହେଉଛି ପ୍ରଥମ ସଂଗଠନ। ୱେଜଇଣ୍ଡିକେଟର ଏହାର ଲିଭିଂ ୱେଜ୍ ଡାଟାବେସ୍ ଆରମ୍ଭ କରିବାର ୧୦ ବର୍ଷ ପରେ ଏହି ପ୍ରକାଶନ ଆସିଛି। ଏହା ବିଶ୍ଵସ୍ତରରେ ସର୍ବନିମ୍ନ ପାରିଶ୍ରମିକ, ବେତନ, ଶ୍ରମ ଆଇନ ଏବଂ ସାମୂହିକ ଚୁକ୍ତି ଉପରେ ମୁକ୍ତ ଭାବରେ ଉପଲବ୍ଧ ତଥ୍ୟର ବିସ୍ତୃତ ତାଲିକାରେ ଆହୁରି ନୂଆ କଥା ଯୋଡ଼ିବାରେ ସହାୟକ ହୋଇଛି।  

ସମଗ୍ର ବିଶ୍ୱରେ ଶତାଧିକ ତଥ୍ୟ ସଂଗ୍ରହକାରୀ ସଂସ୍ଥା ଓ ପ୍ରତିଷ୍ଠିତ ବିଶ୍ଵବିଦ୍ୟାଳୟର ବିଶେଷଜ୍ଞଙ୍କ ମିଳିତ ପ୍ରୟାସ ଦ୍ୱାରା ୱେଜଇଣ୍ଡିକେଟର ଫାଉଣ୍ଡେସନର ‘ଲିଭିଂ ୱେଜ୍’ ଡାଟାବେସର ବିକାଶ ଏବଂ ରକ୍ଷଣାବେକ୍ଷଣ କରାଯାଇଛି। ଏଥିରେ ସ୍ଲୋଭାକିଆର କେନ୍ଦ୍ରୀୟ ୟୁରୋପୀୟ ଶ୍ରମ ଶିକ୍ଷା ପ୍ରତିଷ୍ଠାନ (ସିଇଏଲଏସଆଇ), ଅଷ୍ଟ୍ରିଆର କେନ୍ଦ୍ରୀୟ ୟୁରୋପୀୟ ବିଶ୍ୱବିଦ୍ୟାଳୟ, ଭାରତର ଫ୍ଲେମ୍ ବିଶ୍ୱବିଦ୍ୟାଳୟ ଓ ଆଇଆଇଏମ ଅହମଦାବାଦ, ନେଦରଲ୍ୟାଣ୍ଡର ୟୁଟ୍ରେକ୍ଟ ଓ ଇରାସମସ୍ ବିଶ୍ୱବିଦ୍ୟାଳୟ ଏବଂ ଚେକ୍ ଗଣରାଜ୍ୟର ମାସାରିକ୍ ବିଶ୍ୱବିଦ୍ୟାଳୟ ଭଳି ଅନୁଷ୍ଠାନ ସାମିଲ ଅଛନ୍ତି।   

Tags: #LivingWage #Workers #Lifestyle #Economy #WageIndicatorFoundation #Odisha #India

Comment