ଭାସ୍କର ପରିଛା

ଫକୀରମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ‘ରେବତୀ’କୁ ଓଡ଼ିଶା ସରକାରଙ୍କ ପ୍ରୌଢ଼ ଶିକ୍ଷା ବିଭାଗର ପାଠ୍ୟକ୍ରମରୁ ଉଦ୍ଧାର କରି ଆଣି ବିଶ୍ୱ ଦରବାରରେ ପରିଚିତ କରାଇଥିବାରୁ କବି ଓ ପ୍ରକାଶକ ମନୁ ଦାଶ ତଥା ଧଉଳି ବୁକ୍ସକୁ ପ୍ରଥମେ ଧନ୍ୟବାଦ ଦିଆଯିବା ଦରକାର।

ଗୋଟିଏ କ୍ଷୁଦ୍ର କାହାଣୀକୁ ବିଶ୍ୱର ୩୬ଟି ଭାଷାରେ ଅନୁବାଦ କରାଇବା ଓ ତାହା ପୁଣି ବିଶ୍ୱ ମହାମାରୀ ସମୟରେ! ନିଶ୍ଚିତ ଭାବରେ ଏହା ଏକ ଦୁଃସାହସିକ ପଦକ୍ଷେପ।

‘ରେବତୀ – ସ୍ପିକିଙ୍ଗ ଇନ ଟଙ୍ଗସ’କୁ ପ୍ରକାଶନ ଇତିହାସରେ ଏକ ବିରଳ ଘଟଣା ବୋଲି କୁହାଯାଇପାରେ। କାରଣ ଏତେ ସଂଖ୍ୟକ ଅନୁବାଦକଙ୍କୁ ଏକାଠି କରି ଏକ ସଂକଳନ ପ୍ରସ୍ତୁତ କରିବା ଏକ ଆୟାସାଧ୍ୟ ବ୍ୟାପାର। ଅଧିକନ୍ତୁ, ପୁସ୍ତକଟିର କଳ୍ପନା କରିବା ଏବଂ ପରେ ପରେ ସେହି ଚିନ୍ତାକୁ କାର୍ଯ୍ୟରେ ପରିଣତ କରିବା ଭିତରେ ସମୟର ବେଶି ବ୍ୟବଧାନ ବି ନଥିଲା।ଫକୀରମୋହନ ସେନାପତି ଆଧୁନିକ ଓଡ଼ିଆ ଗଳ୍ପ ସାହିତ୍ୟର ଜନକ କେବଳ ନୁହଁନ୍ତି, ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଓଡ଼ିଆ ସାହିତ୍ୟର ଅନେକ ବିଭାଗର ଟ୍ରେଣ୍ଡସେଟର ବି ସେ ଥିଲେ। ଶହେ କୋଡ଼ିଏ ବର୍ଷ ତଳେ ଫକୀରମୋହନ ଏହି ଆଇକନିକ୍ କ୍ଷୁଦ୍ର ଗଳ୍ପଟି ଲେଖିଥିଲେ, ଯାହାର ଆବେଦନ ଓ ପ୍ରାସଙ୍ଗକିତା ଆଜି ବି ଅତୁଟ।

କାହାଣୀର ନାୟକ – ଶ୍ୟାମ ବନ୍ଧୁ ମହାନ୍ତିଙ୍କ ପରିବାରକୁ ଧୂଳିସାତ କରିଥିବା କଲେରା ମହାମାରୀର ପୃଷ୍ଠଭୂମିରେ ଲିଖିତ ରେବତୀ ଗଳ୍ପରେ ଯେଉଁ ଅସହାୟତାବୋଧର ପରିପ୍ରକାଶ ଘଟିଛି ତାହା ଗଳ୍ପର ଆତ୍ମିକ ଉତ୍ତରଣକୁ ଏକ ଭିନ୍ନ ସ୍ତରକୁ ନେଇଯାଇଛି ବୋଲି ଧରିନେବାକୁ ହେବ। ଚରିତ୍ରମାନେ ମହାମାରୀର ସଂଘାତ ଭିତରୁ ଉଠି ଆସିବା ଭିତରେ ସମସାମୟିକ ସାମାଜିକ ଅବସ୍ଥାର ନିଚ୍ଛକ ପ୍ରତିଛବିକୁ ତୋଳିଛନ୍ତି ବ୍ୟାସକବି ଏହି କାହାଣୀରେ।

ଆଧୁନିକ ଶିକ୍ଷାର ଅଭିଶାପ ଏହି କ୍ଷୁଦ୍ର ଗଳ୍ପରେ ସୂକ୍ଷ୍ମ ଭାବରେ ସାମ୍ନାକୁ ଆସେ। ୧୮୯୮ ମସିହାରେ ‘ଉତ୍କଳ ସାହିତ୍ୟ’ରେ ପ୍ରଥମେ ପ୍ରକାଶିତ ହୋଇଥିବା ‘ରେବତୀ’ ଭାରତୀୟ ସାହିତ୍ୟରେ ଯଦି ଏକ ଅବିସ୍ମରଣୀୟ ସ୍ଥାନ ଅଧିକାର କରିପାରିଛି, ତାହା ପଛରେ ରହିଛି ସେ ସମୟର ସାମାଜିକ ଚଳଣୀ। ଅଧିକନ୍ତୁ, କାହାଣୀଟି ଲିଙ୍ଗ, ଆଧୁନିକତା ଏବଂ ଔପନିବେଶିକ ଭାରତୀୟ ସମାଜର ମୌଳିକ ଏବଂ ମାର୍ମିକ ଦୃଷ୍ଟିକୋଣ ପ୍ରଦାନ କରିବା ଭିତରେ ତାର କାଳଜୟୀ ଅସ୍ତିତ୍ୱକୁ ବଜାୟ ରଖିପାରିଛି।

‘ରେବତୀ’ ଏକ ଦୁଃଖଦ କାହାଣୀ, ଯେଉଁଥିରେ ଶିକ୍ଷିତ ହେବା ପାଇଁ ଜଣେ ଯୁବତୀର ସ୍ୱପ୍ନ, ପରିବର୍ତ୍ତନ ପାଇଁ ନିଜ ଭିତରେ ଗୁଞ୍ଜରିତ ହେଉଥିବା ଗଭୀର ଅବବୋଧ – ଏ ସବୁ ଚୁରମାର ହୋଇଯାଏ ମହାମାରୀର ଘାତ ପ୍ରତିଘାତ ଭିତରେ।

ରେବତୀ ତା ପିତାମାତା ଏବଂ ତା ମନର ମଣିଷକୁ କଲେରାରେ ହରାଇ ବସେ। ରେବତୀ ପାଇଁ ତାହା ଥିଲା ଭାଗ୍ୟର ଏକ ଅଦ୍ଭୁତ ଏବଂ ବିଡ଼ମ୍ବନାପୂର୍ଣ୍ଣ ଘଟଣା, ଯାହାକି ନିର୍ମମ ଭାବରେ ବିସ୍ମୟକର। ରେବତୀର ଭବିଷ୍ୟତ କେବଳ ସ୍ନେହୀ ଜେଜେମା ହାତରେ। ଅବାଞ୍ଛିତ ବସ୍ତୁକୁ ଅଗ୍ରହଣ କରିଥିବାରୁ ଶ୍ୟାମବନ୍ଧୁଙ୍କ ପରିବାର ଉପରେ ଘୋଟିଗଲା ଏହି କଳା ବାଦଲ!

ସେନାପତିଙ୍କ ଲକ୍ଷ୍ୟ ଥିଲା ଉନବିଂଶ ଶତାବ୍ଦୀର ଶେଷ ଆଡ଼କୁ ଉପନିବେଶବାଦୀ ଓଡ଼ିଶାର ଜଟିଳ ସାମାଜିକ ବାସ୍ତବତାକୁ ଜାଗ୍ରତ କରିବା। ଗଳ୍ପର ଅଭିପ୍ରାୟ ଅତ୍ୟନ୍ତ ସ୍ପଷ୍ଟ: ପରିବର୍ତ୍ତନର ଅପରିହାର୍ଯ୍ୟତା, ପରିବର୍ତ୍ତନ ପ୍ରତି ସ୍ୱାଭାବିକ ପ୍ରତିରୋଧ ଏବଂ ଏଥିପାଇଁ ଯେଉଁ ମୂଲ୍ୟ ଦେବାକୁ ହୋଇଛି।

ଯଦି ରେବତୀ ଆଜି ସୀମା ଡେଇଁ ବିଶ୍ୱ ସାହିତ୍ୟରେ ନିଜ ପାଇଁ ଏକ ସ୍ଥାନ ରେଖାଙ୍କିତ କରି ପାରିଛି ତାର କାରଣ ପରିବର୍ତ୍ତନକୁ ଭେଦ କରିବାର ଏକ ଗଭୀର ଅନ୍ତର୍ଦୃଷ୍ଟି। ଏଇଥିପାଇଁ କାହାଣୀଟି ପ୍ରତ୍ୟେକଟି ପାଠକର ହୃଦୟକୁ ଛୁଇଁଆସିଛି।ପ୍ରାୟ ସାତଶହ ପୃଷ୍ଠାର ଏକ ବିଶାଳ ପୁସ୍ତକ ଏହି  ସଂକଳନ – ‘ରେବତୀ: ସ୍ପିକିଙ୍ଗ ଇନ ଟଙ୍ଗସ’। ମୂଳ ଓଡ଼ିଆ କାହାଣୀକୁ ବିଶ୍ୱର ତିନି ଡଜନ ଭାଷାରେ ପରଷା ଯାଇଛି ଏଥିରେ। ୨୩ଟି ଭାରତର ଅନୁସୂଚୀତ ଭାଷା ଏବଂ ଦୁଇଟି ଅଣ-ଅନୁସୂଚୀତ ଭାଷା ଯଥା – ଆହମିଆ, ବେଲୁଚି, ବଙ୍ଗଳା, ବୋଡୋ, ଡୋଗ୍ରି, ଇଂରାଜୀ, ଫରାସୀ, ଜର୍ମାନ, ଗୁଜୁରାଟୀ, ହିବ୍ରୁ, ହିନ୍ଦୀ, ଜାପାନୀ, କନ୍ନଡ, କଶ୍ମୀରି, ଖାସି, କୋଙ୍କଣୀ, ମୈଥିଳି, ମାଲାୟାଲମ, ମଣିପୁରୀ, ମରାଠୀ, ନେପାଳୀ, ପୋଲାଣ୍ଡ, ପଞ୍ଜାବୀ-ଗୁରୁମୁଖୀ, ପଞ୍ଜାବୀ-ଶାହମୁଖୀ, ରୁଷୀୟ, ସମ୍ବଲପୁରୀ-କୋଶଲି, ସଂସ୍କୃତ, ସାନ୍ତାଳୀ, ସିନ୍ଧି, ସିଂହଳୀ, ସ୍ପେନିଶ, ତାମିଲ, ତେଲୁଗୁ, ଉଜବେକ ଆଦି।

ଏହି ପ୍ରୟାସର ସମ୍ମାନଜନକ ଦିଗଟି ହେଉଛି, ଅଧିକାଂଶ ଭାରତୀୟ ତଥା ବିଦେଶୀ ଅନୁବାଦକ ନିଜ ନିଜ ଭାଷାରେ ଜଣେ ଜଣେ  ପ୍ରଶଂସିତ ଓ ପ୍ରତିଷ୍ଠିତ ଲେଖକ। ସ୍ପଷ୍ଟ ଭାବରେ କହିଲେ, ରେବତୀକୁ ନିଜ ଭାଷାରେ ପରିବେଷଣ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଛନ୍ତି।

ସଂକଳନର ସମ୍ପାଦକ ମନୁ ଦାଶ କୁହନ୍ତି: ବିଶ୍ୱ ପ୍ରକାଶନ ଇତିହାସରେ ଏହା ହେଉଛି ପ୍ରଥମ ପ୍ରୟାସ। ଗବେଷକ, ବିଦ୍ୱାନ, ସାହିତ୍ୟ ପଢ଼ାଉଥିବା ଅଧ୍ୟାପକ ଏବଂ ସମଗ୍ର ବିଶ୍ୱ ସାହିତ୍ୟର ଛାତ୍ରମାନଙ୍କୁ ଦୃଷ୍ଟିରେ ରଖି ଏହା ପ୍ରସ୍ତୁତ କରାଯାଇଛି। ସେହି ଦୃଷ୍ଟିରୁ ଏହି ସଂକଳନଟି ଏକ  ସଂଗ୍ରହଯୋଗ୍ୟ ଗ୍ରନ୍ଥ।

ସଂକଳନର ଦୁଇଟି ଦିଗ ସ୍ପଷ୍ଟ ଭାବରେ ସାମ୍ନାକୁ ଆସେ। ଏକ, ଜାତୀୟ ଏବଂ ଆନ୍ତର୍ଜାତୀୟ ପାଠକଙ୍କୁ ଓଡ଼ିଆ ସାହିତ୍ୟର ସମୃଦ୍ଧ  ଅବୟବ ସହ ପରିଚିତ କରାଇବା ଏବଂ ଦୁଇ, ବିଭିନ୍ନ ଦେଶର ଅନୁବାଦକମାନଙ୍କୁ ଏକତ୍ରିତ କରିବା।

ଜର୍ମାନ ଲେଖକ ଏବଂ ରାଜନେତା ଜୋହାନ ୱଲଫଗଙ୍ଗ ଫନ୍ ଗୋଏଥେଙ୍କ ଦ୍ୱାରା ପ୍ରଥମ କରି ବ୍ୟବହୃତ ତତ୍ତ୍ୱ ‘ବିଶ୍ୱ ସାହିତ୍ୟ’ର ନିକଟତର ହୋଇପାରିଛି ରେବତୀର ଏହି ଅନୁବାଦ ସଂକଳନ। ଏହା ଏକ ଛୋଟ ସଫଳତା ନୁହେଁ, କାରଣ ଗଳ୍ପଟି ବର୍ତ୍ତମାନ ତାର ମୂଳ ଭୌଗୋଳିକ ଭୂଖଣ୍ଡକୁ ଅତିକ୍ରମ କରି ବିଶ୍ୱର ପାଠକଙ୍କ ନିକଟରେ ପହଞ୍ଚି ପାରିଛି।ଯଦି ସାମାଜିକ ଗଣମାଧ୍ୟମର ଆଗମନ ପରେ ବିଶ୍ୱ ସାହିତ୍ୟର ଅବାଧ ଚଳ ପ୍ରଚଳ ସମ୍ଭବ ହୋଇ ପାରିଛି ଏବଂ ଗୋଟିଏ ଦେଶରୁ ଅନ୍ୟ  ଦେଶକୁ ଓ ଭାଷାକୁ ସାହିତ୍ୟର ପ୍ରସାର ସହଜରେ ହୋଇ ପାରୁଛି, ରେବତୀ ତାର ଉଦାହରଣ। ସେହି ଦୃଷ୍ଟିରୁ ମନୁ ଦାଶଙ୍କ ପରିକଳ୍ପନାର ଅଦ୍ଵିତୀୟତାକୁ ସ୍ୱୀକାର କରିବା ପାଇଁ ହେବ।

ଯେହେତୁ ବିଶ୍ୱ ସାହିତ୍ୟରେ ପ୍ରତିଦିନ ନୂଆ ନୂଆ ଧାରା ସୃଷ୍ଟି ହେଉଛି ଏବଂ ସାହିତ୍ୟରେ ଅନୁବାଦର ପ୍ରଭାବ ଓ ଉପସ୍ଥିତି ଅଧିକରୁ ଅଧିକ ଦେଖିବାକୁ ମିଳୁଛି, ରେବତୀ ଭଳି ଅନ୍ୟ କାଳଜୟୀ ଗଳ୍ପର ଅନୁବାଦ ଉପରେ ପ୍ରକାଶକ ଓ ଲେଖକଙ୍କ ଦୃଷ୍ଟି ନିବଦ୍ଧ ହେବା ଅତ୍ୟନ୍ତ ସ୍ଵାଭାବିକ।

ସାହିତ୍ୟ ଯେହେତୁ ସଂସ୍କୃତି ଉପରେ ବି ପ୍ରଭାବ ପକାଇଥାଏ, ରେବତୀ ଭଳି ଅନ୍ୟ  କାହାଣୀର ପୁନଃକଥନ ପାଇଁ ଏଇଟି ହେଉଛି ଭଲ ସମୟ।ଜଗତୀକରଣକୁ ଅର୍ଥନୀତି ଓ ରୋଜଗାର ଭିତରେ ସୀମିତ ନ ରଖି ସାହିତ୍ୟକୁ ଯେତେବେଳେ ତାହା ସମ୍ପ୍ରସାରିତ ହୁଏ, ରେବତୀର ବିଶ୍ୱ ଅନୁବାଦ ଭଳି ଘଟଣା ଘଟେ। ଏହିପରି ବିଶ୍ୱୀକରଣକୁ ନିଶ୍ଚିତଭାବେ ସ୍ୱାଗତ କରିବା ଦରକାର।

ବିଭିନ୍ନ ଭାଷାରେ ଅନୁଦିତ ରେବତୀ ଗଳ୍ପ ସେ ସଂକ୍ରାନ୍ତ ପରୀକ୍ଷା ନିରୀକ୍ଷା ପାଇଁ ମଧ୍ୟ ଏକ ଦୃଷ୍ଟାନ୍ତ ସୃଷ୍ଟି କରିପାରିଛି ବୋଲି ଧରିନେବାକୁ ହେବ। ଆଲୋଚ୍ୟ ସଂକଳନଟି ବର୍ତ୍ତମାନ ସମୟର ବହୁ ଚର୍ଚ୍ଚିତ ‘ଗ୍ଲୋବୋଜ୍’ ସାହିତ୍ୟର ଅବଧାରଣା କ୍ଷେତ୍ରରେ ଏକ ମହତ ଓ ଉପଯୁକ୍ତ ସଂଯୋଜନା ଏହା ନିଃସନ୍ଦେହ।

ଚନ୍ଦ୍ରାହାସ ଚୌଧୁରୀଙ୍କ ମୁଖବନ୍ଧ, ପ୍ରଫେସର ହିମାଂଶୁ ମହାପାତ୍ର ଏବଂ ଦେବେନ୍ଦ୍ର କୁମାର ଦାଶଙ୍କ ସାରଗର୍ଭକ ଅନୁଶୀଳନ ଏବଂ ସର୍ବୋପରି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ଯତିନ ଦାସଙ୍କ ସ୍ୱତନ୍ତ୍ର ପ୍ରଚ୍ଛଦ ରେବତୀ ବହୁଭାଷୀ ସଂକଳନର ମହତ୍ତ୍ୱକୁ ଅନେକ ପରିମାଣରେ ବଢ଼ାଇଦେଛି।

‘ରେବତୀ’ – ଅନେକ ଭାଷାରେ ସମସାମୟିକ ସାହିତ୍ୟ ପ୍ରକାଶନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ କହିଲେ ଅତ୍ୟୁକ୍ତି ହେବନାହିଁ।

ରେବତୀ ସ୍ପିକିଙ୍ଗ ଇନ ଟଙ୍ଗସ

ମନୁ ଦାଶ

ଧଉଳି ବୁକ୍ସ

ଭୁବନେଶ୍ୱର

୨୪୯୫ ଟଙ୍କା

LEAVE A REPLY

Please enter your comment!
Please enter your name here