ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ୟାସକବି ଫକୀର ମୋହନଙ୍କ ପ୍ରସିଦ୍ଧ ଗଳ୍ପ ‘ରେବତୀ’ ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏହି ଗଳ୍ପଟି ଏବେ ଦେଶ ବିଦେଶର ୩୬ଟି ଭାଷାରେ ଅନୁଦିତ ହୋଇଛି। ଫକୀରମୋହନଙ୍କ  ପୁଣ୍ୟ ତିଥିରେ ଏହି  ଅନୁଦିତ ଗଳ୍ପର ସଂକଳନ  ‘ସ୍ପିକିଙ୍ଗ ଇନ ଟଙ୍ଗସ’ ଲୋକାର୍ପିତ ହୋଇଛି।

ଭୁବନେଶ୍ୱରର ଧଉଳି ବୁକ୍ସ ପକ୍ଷରୁ ଏହି ଅଭିନବ ଉଦ୍ୟମ କରାଯାଇଛି। କଲେରା  ରୋଗରେ କିଭଳି ଏକ ପରିବାର ଧ୍ୱସ୍ତ ହୋଇଛି ସେହି ପୃଷ୍ଠଭୂମିରେ ୧୮୯୮ ମସିହାରେ ଲିଖିତ ବ୍ୟାସକବିଙ୍କ ଏହି ଗଳ୍ପଟି ଅନ୍ଧବିଶ୍ୱାସର ଦୂରୀକରଣ ଓ ଶିକ୍ଷାର ବିକାଶ ଉପରେ ଆଧାରିତ। ଭାରତର ୨୫ଟି ଓ ବିଦେଶର ୧୩ଟି ଭାଷାରେ ରେବତୀ ଅନୁଦିତ ହେବା ଏକ ବିରଳ ସାହିତ୍ୟିକ ଉଦ୍ୟମ। ବିଶ୍ୱ ସ୍ତରରେ ଏକ ନିର୍ଦ୍ଦିଷ୍ଟ କୌଣସି ଗଳ୍ପ ଏତେ ଗୁଡ଼ିଏ ଭାଷାରେ ଅନୁବାଦ ହୋଇଥିବାର ଦୃଷ୍ଟାନ୍ତ ନାହିଁ ବୋଲି କହିଛନ୍ତି ସଂକଳକ ଓ ସମ୍ପାଦକ ମନୁ ଦାଶ। ବିଶ୍ୱ ପ୍ରକାଶନ ଇତିହାସରେ ମଧ୍ୟ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି।

ଜାପାନ, ଉଜବେକିସ୍ଥାନ, ଋଷିଆ, ତୁର୍କୀ, ସ୍ପେନ, ପୋଲାଣ୍ଡ, ନେପାଳ ଓ  ଅନ୍ୟାନ୍ୟ ବହୁ ଦେଶର ଭାଷାରେ ରେବତୀ ଗଳ୍ପର ଅନୁବାଦ କରିଛନ୍ତି ସେହି ସବୁ ଭାଷାର ପ୍ରତିଷ୍ଠିତ ଲେଖକ ଓ ଅନୁବାଦକ।ବିଶିଷ୍ଟ ଚିତ୍ରଶିଳ୍ପୀ ଯତୀନ ଦାସ ପୁସ୍ତକର ପ୍ରଚ୍ଛଦ ଚିତ୍ର ଆଙ୍କିଥିବାବେଳେ କରନେଲ ବିଶ୍ୱବିଦ୍ୟାଳୟର ଇଂରେଜୀ ବିଭାଗ ପ୍ରଫେସର ସତ୍ୟ ପି ମହାନ୍ତି, ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ବିଶିଷ୍ଟ କବି ସୀତାକାନ୍ତ ମହାପାତ୍ର, ଲେଖିକା ନମିତା ଗୋଖଲେ, ବିଶିଷ୍ଟ ଭାଷାବିତ ବିଏନ ପଟ୍ଟନାୟକ, ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ ଇଂରାଜୀ ବିଭାଗ ପ୍ରଫେସର ଯତୀନ ନାୟକ  ପ୍ରମୁଖ ଏହି ସଂକଳନ ସମ୍ପର୍କରେ ବିଶଦ ଆଲୋଚନା କରିଛନ୍ତି।

ଏହି ବହୁଭାଷୀ ଗଳ୍ପ ସଂକଳନଟି ଗବେଷକ, ତୁଳନାତ୍ମକ ସାହିତ୍ୟର ଛାତ୍ର ଓ ବିଶ୍ୱ ସାହିତ୍ୟରେ ଯେଉଁମାନେ ଆଗ୍ରହ ରଖୁଛନ୍ତି ତାଙ୍କ ପାଇଁ ଉପାଦେୟ ହେବ ବୋଲି କହିଛନ୍ତି ମନୁ ଦାଶ।

Comment