ଭାସ୍କର ପରିଚ୍ଛା

ସୁଜାତା ମିଶ୍ର ଏକ ଜଣାଶୁଣା ନାଁ, ଅନ୍ତତଃ ସୋସିଆଲ ମିଡିଆରେ। ଜଣେ କବି ଭାବରେ ସେ ନିଜ ପାଇଁ ଏକ ସୁରକ୍ଷିତ ସ୍ଥାନ ସୃଷ୍ଟି କରି ପାରିଛନ୍ତି। ଇଂରାଜୀ ସାହିତ୍ୟର ଛାତ୍ରୀ ହୋଇଥିବାରୁ ସେ ଇଂରାଜୀରେ ବି ଲେଖନ୍ତି। ଭାଷା ନିର୍ବିଶେଷରେ, ଜଣେ ଦରଦୀ ମଣିଷ ଭାବରେ ନିଜସ୍ୱ ରଚନାଗୁଡ଼ିକୁ ବାଟ କଢ଼ାଇ ନେବା ଭିତରେ ସେ ଆଜି ଅନେକଗୁଡ଼ିଏ କବିତାର ଅଧିକାରିଣୀ। ସୁଜାତା ମାତ୍ର  ୨୦୧୨ରୁ ଓଡ଼ିଆରେ କବିତା ଲେଖିବା ଆରମ୍ଭ କରନ୍ତି।

‘ତାରା ଫୁଟିଲେ କହିବି’ ସୁଜାତାଙ୍କ ପ୍ରଥମ କବିତା ସଂକଳନ। ବିଭିନ୍ନ ପତ୍ର ପତ୍ରିକାରେ ଓ ବିଶେଷତଃ  ଫେସବୁକରେ ଏଥି ମଧ୍ୟରୁ ବେଶ୍ କିଛି କବିତା ପ୍ରକାଶିତ। ପଚାଶରୁ ଅଳ୍ପ କିଛି ଅଧିକ କବିତାକୁ ନେଇ ପ୍ରକାଶିତ ଏହି ସଂକଳନଟି ନିଶ୍ଚିତ ଭାବେ ଏକ ଉଲ୍ଲେଖନୀୟ ଉଦ୍ୟମ।

ପେଶାଗତ ଭାବରେ ଓ ବାଧ୍ୟବାଧକତା ଭିତରେ ସୁଜାତା କବିତା ଲେଖନ୍ତି ନାହିଁ। ଯେତେବେଳେ ସେ ଯାହା ଦେଖନ୍ତି ଏବଂ ତାଙ୍କ ଅବବୋଧ ଭିତରକୁ ଯାହା ଆସେ ସେ ତାକୁ କବିତାରେ ସଜାଡ଼ନ୍ତି।ସୁଜାତା ମିଶ୍ରଙ୍କ କବିତାଗୁଡ଼ିକ ନାତିଦୀର୍ଘ, ସ୍ୱଚ୍ଛନ୍ଦ ଓ ସେ ଯାହା କହିବା ପାଇଁ ଚାହାଁନ୍ତି ସିଧା ସଳଖ କହନ୍ତି। ଏଥିରେ ଭାବପ୍ରକାଶର କାର୍ପଣ୍ୟ ନଥାଏ କି ଶବ୍ଦର ଅପପୁଷ୍ଟି। ଅଧିକନ୍ତୁ ,ତାଙ୍କ କବିତାଗୁଡ଼ିକ ଆତ୍ମଜୀବନୀମୂଳକ। ସେ ଜଣେ ପ୍ରକୃତି କବି ମଧ୍ୟ। ମଣିଷର ସୁଖ-ଦୁଃଖ, ଜଞ୍ଜାଳ- ଯାତନା ଏସବୁର ମିଶ୍ରଣ ତାଙ୍କ କବିତା।

ଉଦାହରଣ:

ରହିଥାଉ ସେ ସେମିତି
ରହିବାକୁ ଦିଅ ତାକୁ ତା’
ନିଜ ପରି/
ହାତ ରଖୁଚ ତ ରଖ
କିନ୍ତୁ ଖୁବ ଧୀରେ
ନରମ ଭାବେ ଛୁଅଁ ତାକୁ
ଖୁବ କଷ୍ଟ ସେଠି
ଲୁହ ନୁହଁ, ଲହୁ ଜମିଚି ବରଫ ହୋଇ (ଦୁଃଖ)

ସୁଜାତା ମିଶ୍ରଙ୍କ କବିତାରେ ସଫ୍ଟ ରୋମାଣ୍ଟିସିଜମ୍ ବି ବହୁଳ ଭାବରେ ଦେଖିବାକୁ ମିଳେ:

ତୁମେ ଯେବେ ଆସ
ଆଞ୍ଜୁଳାଏ ନୀଳ ସ୍ୱପ୍ନ ନେଇ
ଗଛରୁ ବର୍ଷା ପରି ଝରୁଥିବା
ଶେଫାଳୀ ଫୁଲର ରାସ୍ତାରେ
ସ୍ୱପ୍ନମାନେ ବରଫ ପରି
ତରଳନ୍ତି ଓ ବହିଯାନ୍ତି
ହ୍ରଦଟିଏ ଉଛୁଳିବା ଯାଏଁ। (ତୁମେ ଯେବେ ଆସ)

ସଂକଳନରେ ସ୍ଥାନିତ କିଛି କବିତାରେ ଇତିହାସ ଚେତନାର ପରିପ୍ରକାଶ ମଧ୍ୟ ଆଖିରେ ପଡ଼େ। ଜଣେ କାଶ୍ମୀରୀ ରହସ୍ୟବାଦୀ ଲାଲେଶ୍ୱରୀଙ୍କ ଜୀବନ ଦର୍ଶନ ଭିତ୍ତିରେ ରଚିତ ଏହି ଭ୍ରମଣପ୍ରିୟ କବିତା ତାହାର ଦୃଷ୍ଟାନ୍ତ:

କାଶ୍ମୀରର ଲୋକ ଚିନାର ପତ୍ର ଉପରେ ଚାଲେ
ଚିନାର ପତ୍ର ଉଡ଼ିଉଡ଼ି ତଳକୁ ଖସୁଥିବା ଦେଖେ
ମନର ଅନେକ ସ୍ୱପ୍ନ ବୁଣେ ସେଓ ବଗିଚାରେ
ଶୀତରେ ବରଫ ପାହାଡ଼, ନଦୀ,ହ୍ରଦଙ୍କୁ ଦେଖି
ଚୁପ ହୋଇ ବସେ, ଅଟକି ଯାଉଥିବା ଶ୍ୱାସକୁ
ନିଆଁରେ ସେକେ। ( କାଶ୍ମୀରର ଲୋକ)

ଅଥବା:

ଦିଅ ଚିରିଦିଅ ଚାରିଚଉତା କବିତା
ଟୁକୁଡ଼ାଙ୍କୁ ତାଳଦଣ୍ଡା କେନାଲରେ
ଭସାଇ ଦେଇ ପାର, ଆଜିକାଲି
ସାଧବପୁଅ ଫେରେନା ଜାହାଜରେ। (ଖାଲି)

କବିତାରେ ବିଭିନ୍ନ ପ୍ରକାର ପରୀକ୍ଷାନିରୀକ୍ଷା କରିବାରେ ସୁଜାତା ଆନନ୍ଦ ଅନୁଭବ କରନ୍ତି। ସଂକଳନରେ ସ୍ଥାନିତ କିଛି କବିତା ମଧ୍ୟ ସିରିଜ ଶ୍ରେଣୀର। ‘ସେ’, ‘କୃଷ୍ଣା’ ଓ ‘ବର୍ଷା’ ଇତ୍ୟାଦି। ହଂସଧ୍ୱନି, ରାତ୍ରିବାସ, ପ୍ରିୟ ମଣିଷ ଓ ଖରୀବଣ ଓ ଫୁଇର୍ଷା ଟିଲେ କହିବି ଆଦି ଏକ ଏକ ଚମତ୍କାର ସୃଷ୍ଟି।

ବାଡ଼ି ପଟ ଲେମ୍ବୁଗଛକୁ
କାଟିବି ବୋଲି
ଯେବେ ପଣ କଲି
ପରଦିନ ସେ ଫୁଟିଲା ,ଗଛର
ଗୋଟେ ବି  ଥୁଣ୍ଟ କାଠି ଗାଏବ/
ଆକାଶ ମେଘୁଆ କହି
ଦୁଆର ବନ୍ଦ କଲି
କୁଢ଼ କୁଢ଼ ହୋଇ
ତାରା ଫୁଟିଲେ
କ’ଣ କହିବି ତେବେ….(ତାରା ଫୁଟିଲେ କହିବି)

ବିଶିଷ୍ଟ କବି ହରପ୍ରସାଦ ଦାସଙ୍କ ପ୍ରଶଂସା ଓ ପ୍ରଫେସର ସନ୍ତୋଷ ମହାପାତ୍ରଙ୍କ ପ୍ରଚ୍ଛଦ ସହ ସୁଜାତା ମିଶ୍ରଙ୍କ ଏହି କବିତା ସଂକଳନର ପ୍ରତ୍ୟେକଟି କବିତାରେ ଭାବର ଉଛୁଳା ପରିପ୍ରକାଶ ପାଠକଙ୍କୁ ଧରି ରଖିବ ଏଥିରେ ଦ୍ଵିମତ ନାହିଁ।

ତାରା ଫୁଟିଲେ କହିବି
ସୁଜାତା ମିଶ୍ର
ଇଭେଣ୍ଟସ ପବ୍ଲିକେସନ୍ସ
ଭିଏସଏସ ନଗର
ଭୁବନେଶ୍ୱର
୨୦୨୦

Comment