ଓଡ଼ିଶାଲାଇଭ୍ ବ୍ୟୁରୋ

ଯାଜପୁର ଜିଲ୍ଲାର ବଡ଼ଚଣା ଥାନା ଅନ୍ତର୍ଗତ କଡ଼ାଇ ଶାସନ ଗ୍ରାମର ବିଶିଷ୍ଟ ଲାଖରାଜଦାର ଓ ସମାଜସେବୀ ସ୍ୱର୍ଗତ ବାଞ୍ଛାନିଧି ଦାଶ (୧୮୯୯-୧୯୭୪)ଙ୍କ ଜୀବନୀ ପୁସ୍ତକ ‘ମୋ ବାପା ଓ ମୁଁ’ ଇତି ମଧ୍ୟରେ ପ୍ରକାଶ ପାଇଛି। ସ୍ୱର୍ଗତଙ୍କର ପୁତ୍ର ପ୍ରଫେସର ଗଗନେନ୍ଦ୍ର ନାଥ ଦାଶ ବହିଟି ଲେଖି ଥିବାବେଳେ ଏହାକୁ ସମ୍ପାଦନା କରିଛନ୍ତି ଡକ୍ଟର ସନ୍ତୋଷ କୁମାର ମହାନ୍ତି। ଓଡ଼ିଶାର ‘ପ୍ରଫୁଲ୍ଲ’ ପ୍ରକାଶନ ସଂସ୍ଥା ବହିଟିକୁ ପ୍ରକାଶ କରିଛି।

ବହିଟିରେ ସ୍ୱର୍ଗତ ଦାଶଙ୍କ ଜୀବନର ସଂଘର୍ଷମୟ ଘଟଣା ତଥ୍ୟ ଆଧାରରେ ବିସ୍ତାରିତ ଭାବେ ଉଲ୍ଲେଖ କରାଯାଇଛି। ୧୯୫୦ ଦଶକରେ ହୋଇଥିବା ଭାଗଚାଷ ଆନ୍ଦୋଳନର ଅନେକ ଅନାଲୋଚିତ କଥା ଏଥିରେ ସ୍ଥାନିତ ହୋଇଛି। ସେହିପରି ୧୯୫୨ର ପ୍ରଥମ ସାଧାରଣ ନିର୍ବାଚନରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ ଜିତିବାରେ ସ୍ୱର୍ଗତ ବାଞ୍ଛାନିଧି ଦାଶଙ୍କ ବିଶେଷ ଭୂମିକା ବର୍ଣ୍ଣିତ ହୋଇଛି।

ପୁଣି ନିର୍ବାଚନରେ ଜିତିବା ପାଇଁ ସାମ୍ୟବାଦୀ ଚିନ୍ତାଧାରାରେ ବିଶ୍ୱାସୀ ନବବାବୁ କିପରି ଛତିଆବଟ ମଣିମା ହରି ଦାସଙ୍କ ଶରଣାପନ୍ନ ହୋଇଥିଲେ ତାହା ବିଶେଷ ପ୍ରଣିଧାନ ଯୋଗ୍ୟ। ବାପା ବାଞ୍ଛାନିଧିଙ୍କ ପ୍ରଭାବରେ ପୁତ୍ର ଗଗନେନ୍ଦ୍ରଙ୍କ ଜୀବନର ସଂଘର୍ଷ ଓ ସଫଳତାର କଥା ମଧ୍ୟ ଏ ବହିର ଅନ୍ୟ ଏକ ଉଲ୍ଲେଖଯୋଗ୍ୟ ଦିଗ।

ଏହି ପୁସ୍ତକରେ ବାଞ୍ଛାନିଧିଙ୍କ ସମ୍ପର୍କରେ ରେଭେନ୍ସା କଲିଜିଏଟ୍ ସ୍କୁଲର ପ୍ରଧାନଶିକ୍ଷକ ହେନରି ଲେମ୍ବାର୍ଟ ଓ ସମାଜସେବୀ ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁଙ୍କ ପ୍ରଶଂସାପତ୍ର (ଟେଷ୍ଟିମୋନିଆଲ୍) ବିଭିନ୍ନ ଚିଠିପତ୍ର, ପୁରୁଣା ନଥି ଓ ବାଞ୍ଛାନିଧି ଦାଶଙ୍କ କେତେକ ଅପ୍ରକାଶିତ ପାଣ୍ଡୁଲିପିର ନିର୍ବାଚିତ ପୃଷ୍ଠା ଆଦିକୁ ମିଶାଇ ସମୁଦାୟ ୭୬ଟି ପ୍ରତିଲିପି ସଂଯୋଜିତ ହୋଇଛି। ଫଳରେ ବହିଟି ଅନନ୍ୟ ହୋଇପାରିଛି। ପୁସ୍ତକଟିର ଐତିହାସିକ ମୂଲ୍ୟ ବୃଦ୍ଧିରେ ଏହା ନିଶ୍ଚିତ ଭାବରେ ସହାୟକ ହୋଇପାରିଛି।

Tags: #Book #Publication #Biography #LateBanchhanidhiDas #DrSantoshKumarMohanty #ProfGaganendraNathDash

Comment