ଓଡ଼ିଶାଲାଇଭ୍ ବ୍ୟୁରୋ

ବାପ୍ପି ଦା… ବଲିଉଡ ଜଗତର ରକଷ୍ଟାର ଥିଲେ ବାପି ଲାହିରୀ। ସେ ନିଜେ ଗାଉଥିଲେ, ଲେଖୁଥିଲେ ଏବଂ ଗୀତକୁ ସଙ୍ଗୀତରେ ସଜାଉ ଥିଲେ। ତେଣୁ ସେ ଥିଲେ ଗୀତ ସ୍ୱର ଓ ସଙ୍ଗୀତର ତ୍ରିବେଣୀ ସଙ୍ଗମ। ଡିସ୍କୋ କିଙ୍ଗ୍ ଭାବରେ ନିଜର ଭିନ୍ନ ଏକ ପରିଚୟ ସୃଷ୍ଟି କରି ସେ ଦର୍ଶକଙ୍କ ମନ ମୋହିଥିଲେ।

ଅଶୀ ଏବଂ ନବେ ଦଶକରେ ଡିସ୍କୋ ସଙ୍ଗୀତରେ ସେ ଆଣିଥିଲେ ଅନନ୍ୟ ବିପ୍ଳବ। କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ସଙ୍ଗୀତ ପ୍ରେମୀ ତାଙ୍କ ମ୍ୟୁଜିକର ତାଳରେ ଝୁମୁ ଥିଲେ। ନୂତନ ପିଢ଼ିଙ୍କ ମନକୁ ଝୁଇଁଲା ପରି ଦମଦାର ଡ୍ୟାନ୍ସ ନମ୍ବରରେ ସେ ଦେଉଥିଲେ ତାଙ୍କ ମ୍ୟୁଜିକର ଛୁଙ୍କ। ଏଭଳି ଜଣେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକଙ୍କ ବିୟୋଗ ଭାରତୀୟ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।

ବାପ୍ପିଙ୍କ ବାଲ୍ୟ ଜୀବନ

୧୯୫୨ ମସିହା ନଭେମ୍ବର ୨୭ ତାରିଖରେ ପଶ୍ଚିମବଙ୍ଗ ଜଲପାଇଗୁଡ଼ିର ଏକ ବଙ୍ଗାଳୀ ବ୍ରାହ୍ମଣ ପରିବାରରେ ବାପ୍ପି ଲାହିରୀଙ୍କ ଜନ୍ମ। ତାଙ୍କ ବାପା ଅପରେଶ ଲାହିରୀ ବଙ୍ଗଳାର ଜଣେ ପ୍ରସିଦ୍ଧ ଗାୟକ ଏବଂ ମାଆ ବାଂଶୁରୀ ଲାହିରୀ ଶାସ୍ତ୍ରୀୟ ସଙ୍ଗୀତରେ ସଙ୍ଗୀତଜ୍ଞ ଥିଲେ। ମାଆ ବାପାଙ୍କର ଏକ ମାତ୍ର ସନ୍ତାନ ବାପ୍ପି ମାତ୍ର ତିନି ବର୍ଷ ବୟସରୁ ତବଲା ବଜାଇବା ଶିଖିଥିଲେ। ୪ ବର୍ଷ ବୟସରେ ଲତା ମଙ୍ଗେସକରଙ୍କ ଏକ ଗୀତରେ ସେ ତବଲା ବଜାଇ ଚର୍ଚ୍ଚାକୁ ଆସିଥିଲେ। ପ୍ରାରମ୍ଭରୁ ବାପା ମାଆ ଥିଲେ ତାଙ୍କର ସଙ୍ଗୀତ ଗୁରୁ।

୧୯ ବର୍ଷରେ ଆସିଥିଲେ ମୁମ୍ବାଇ

୧୯ ବର୍ଷ ବୟସରେ ମୁମ୍ବାଇ ଆସିଥିଲେ ବାପ୍ପି ଲାହିରୀ ଆଉ ୭୦ ଦଶକରେ ପାଦ ଥାପିଥିଲେ ବଲିଉଡ ସଙ୍ଗୀତ ଜଗତରେ। ୧୯୭୩ ମସିହାରେ ‘ନହ୍ନା ଶିକାରୀ’ ଚଳଚିତ୍ରରେ ସେ ପ୍ରଥମ ଥର ପାଇଁ ସଙ୍ଗୀତ ସଂଯୋଜନା କରିଥିଲେ ଏବଂ ତାଙ୍କ ପ୍ରଥମ ହିନ୍ଦୀ ସଂୟୋଜିତ ସଙ୍ଗୀତ ହେଉଛି ‘ତୁ ହି ମେରା ଚନ୍ଦା’। ୧୯୭୪ ମସିହାରେ ସେ ପ୍ରଥମ ଥର ପାଇଁ ବଙ୍ଗଳା ଚଳଚିତ୍ର ‘ଦାଦୁ’ରେ ସଙ୍ଗୀତ ସଂଯୋଜନା କରିଥିଲେ ଯେଉଁଥିରେ କଣ୍ଠ ଦାନ କରିଥିଲେ ସ୍ୱର ସମ୍ରାଜ୍ଞୀ ଲତା ସଙ୍ଗେସକର।

କିଶୋର କୁମାରଙ୍କ ଚଳଚ୍ଚିତ୍ର ‘ବଢ଼ତି କା ନାମ ଦାଢ଼ି’ ଚଳଚିତ୍ରରେ ସେ ଅଭିନୟ ମଧ୍ୟ କରିଥିଲେ। ତେବେ ପାରମ୍ପରିକ ଭାରତୀୟ ସଙ୍ଗୀତରେ ରକ୍ ଏବଂ ଡିସ୍କୋର ଛୁଙ୍କ ଦେଇ ନୂଆ ଢଙ୍ଗରେ ଦର୍ଶକଙ୍କୁ ମତୁଆଲା କରିଥିବା ବାପ୍ପି ଦା’ଙ୍କୁ ପ୍ରଥମେ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ହେଲେ ସେ ହାର ମାନି ନଥିଲେ।

ସଙ୍ଗୀତ ଜଗତରେ ୫୦ ବର୍ଷର ଯାତ୍ରା

ତାଙ୍କ କ୍ୟାରିୟରର ମୋଡ଼ ବଦଳାଇଥିଲା ତାହିର ହୁସେନ୍‌ଙ୍କ ହିନ୍ଦୀ ଚଳଚ୍ଚିତ୍ର ଜଖମି (୧୯୭୫), ଯାହା ପାଇଁ ସେ ସଙ୍ଗୀତ ରଚନା କରିଥିଲେ ଏବଂ ପ୍ରଚ୍ଛଦପଟ ଗାୟକ ଭାବରେ ଡେବ୍ୟୁ ମଧ୍ୟ କରିଥିଲେ। ୮୦ ଏବଂ ୯୦ ଦଶକରେ ଅନେକ ଚଳଚିତ୍ରରେ ବ୍ଲକବଷ୍ଟର ଗୀତ ଦେଇ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ ବାପ୍ପି। ଜଖମୀ, ଆପ କି ଖାତିର, ହିମତୱାଲା, ଘାୟଲ, ଆଜ କା ଅର୍ଜୁନ, ସୈଲାବ, ଦ’ ଡାର୍ଟି ପିକଚର, ଗୁଣ୍ଡେ, ବାଗୀ ୩ ଭଳି ଅନେକ ହିନ୍ଦି ଚଳିଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ଅନେକ ଚଳଚ୍ଚିତ୍ରରେ ସେ ନିଜେ ମଧ୍ୟ କଣ୍ଠଦାନ କରିଛନ୍ତି। ଡିସ୍କୋ ଗୀତ ବ୍ୟତୀୟ ସେ ଗଜଲରେ ମଧ୍ୟ ସଙ୍ଗୀତ ସଂଯୋଜନା କରିଥିଲେ। ୧୯୮୫ ମସିହାର ଚଳଚ୍ଚିତ୍ର ‘ଐତବାର’ରେ ଥିବା ‘କିସ୍ ନଜର କୋ ତେରା ଇନ୍ତଜାର ଆଜ ଭି ହେ’ ଏବଂ ‘ଆୱାଜ ଦି ହୈ’ ଭଳି ଗଜଲର ସଂଯୋଜନା କରିଥିଲେ।

ନିଜ ୫୦ ବର୍ଷର ସଙ୍ଗୀତ କ୍ୟାରିୟରରେ ସେ ୫୦୦ରୁ ଅଧିକ ଫିଲ୍ମରେ ୫୦୦୦ରୁ ଅଧିକ ସଙ୍ଗୀତ ସଂୟୋଜନା କରିଥିଲେ। କେବଳ ହିନ୍ଦୀ ନୁହେଁ, ବଙ୍ଗଳା, ଓଡ଼ିଆ, ମରାଠି, ତାମିଲ, ତେଲୁଗୁ, ମାଲାୟଲମ, କନ୍ନଡ଼, ଗୁଜୁରାଟୀ, ପଞ୍ଜାବୀ, ଭୋଜପୁରୀ, ଅହମିଆ ଭାଷା ସହିତ ବାଂଲାଦେଶୀ ଚଳଚ୍ଚିତ୍ର ଏବଂ ଇଂରାଜୀରେ ବି ସଙ୍ଗୀତ ସଂଯୋଜନା କରିଛନ୍ତି। ୧୯୮୬ ମସିହାରେ ୩୩ଟି ଫିଲ୍ମ ପାଇଁ ୧୮୦ଟି ଗୀତ ରେକର୍ଡିଂ କରି ସେ ଗିନିସ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିଲେ।

ବାପି ଦା’ଙ୍କ ସଙ୍ଗୀତର ପ୍ରକୃତ ସମାଲୋଚକ ଥିଲେ ତାଙ୍କ ସ୍ତ୍ରୀ

୧୯୭୭ ମସିହାରେ ଚିତ୍ରାଣୀ ଲାହିରୀଙ୍କୁ ବିବାହ କରିଥିଲେ ବାପ୍ପି ଦା। ବିବାହ ବେଳେ ବାପ୍ପିଙ୍କୁ ୨୩ ବର୍ଷ ହୋଇଥିବାବେଳେ ଚିତ୍ରାଣୀଙ୍କୁ ହୋଇଥିଲା ମାତ୍ର ୧୮ ବର୍ଷ । ତାଙ୍କ ଔରସରୁ ଜନ୍ମ ହୋଇଥିଲେ ଦୁଇଟି ସନ୍ତାନ, ପୁଅ ବାପ୍ପା ଲାହିରୀ ଏବଂ ଝିଅ ରିମା ଲାହିରୀ। ଏକ ସ୍ୱତନ୍ତ୍ର ସାକ୍ଷତକାରରେ ବାପ୍ପି ନିଜ ପ୍ରେମ କାହାଣୀ ସମସ୍ତଙ୍କ ସହ ସେୟାର କରିଥିଲେ। ଦୁହିଁଙ୍କ ପ୍ରେମ କାହାଣୀ ଗୀତ ‘ପ୍ୟାର ମାଙ୍ଗା ହୈ’ ସହ ଜଡ଼ିତ ବୋଲି ବାପ୍ପି କହିଥିଲେ।

ଏକ ଗୀତ ରେକର୍ଡ କରିବା ପାଇଁ ଚିତ୍ରାଣୀଙ୍କ ସହ ସେ ଟାରଡେଓ ଷ୍ଟୁଡିଓ ଯାଇଥିଲେ, ଯେଉଁଠି ବାପ୍ପି ଗୀତର ଲିରିକ୍ସ ‘ ପ୍ୟାର ମାଙ୍ଗା ହୈ ତୁମହି ସେ, ନା ଇନକାର କରୋ, ପାସ ବେଠୋ ଜରା ଆଜ ତୁମ, ଇକରାର କରୋ’ ଗାଇଥିଲେ। ସେ କହିଥିଲେ ଯେ ଏହି ଗୀତଟି ଚିତ୍ରାଣୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଛି।

‘ଦ ଗୋଲଡେନ ମ୍ୟାନ’

ନିଜ ସଙ୍ଗୀତ ବ୍ୟତୀତ ତାଙ୍କ ଲୁକ୍ ପାଇଁ ଖୁବ ଚର୍ଚ୍ଚାରେ ରହୁଥିଲେ ବାପ୍ପି ଦା’। ସ୍ୱର୍ଣ୍ଣ ଆଭୂଷଣ ପିନ୍ଧି ସେ ଭାରତୀୟ ସ୍ରୋତାଙ୍କ ନିକଟରେ ‘ଗୋଲଡେନ ମ୍ୟାନ’ ଭାବରେ ଖୁବ ପରିଚିତ ଥିଲେ। ବେକରେ ମୋଟା ମୋଟା ସୁନାର ଚେନ୍, ହାତରେ ମୁଦି, ବ୍ରେସଲେଟ୍ ଆଉ ଷ୍ଟାଇଲିସ ଚଷମା ପିନ୍ଧି ଏକ ନିଆରା ଅନ୍ଦାଜରେ ଦର୍ଶକଙ୍କ ସାମ୍ନାରେ ସଙ୍ଗୀତ ପରିବେଷଣ କରୁଥିଲେ ବାପ୍ପି ଦା’।

ଏକ ସାକ୍ଷାତକାରରେ କହିଥିଲେ ଯେ, ପିଲାଟିବେଳୁ ଆମେରିକାର ରକଷ୍ଟାର ଏଲଭିସ ପ୍ରେସଲିଙ୍କର ସେ ଥିଲେ ଜଣେ ବଡ଼ ଫ୍ୟାନ୍। ଏଲଭିସ କନସର୍ଟ ଗୁଡ଼ିକରେ ବହୁତ ସୁନାର ଚେନ୍ ପିନ୍ଧୁଥିଲେ, ଯାହାର ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା। ସେ ତାଙ୍କ ଭଳି ନିଜର ଲୁକ୍ ଏବଂ ଷ୍ଟାଇଲକୁ ହଟକେ ଏବଂ ପ୍ରଭାବଶାଳୀ କରିବାକୁ ଚାହୁଁଥିଲେ। ଏପରିକି ସଙ୍ଗୀତ ଜଗତରେ ସଫଳ ହେଲେ ତାଙ୍କ ପରି ସୁନା ପିନ୍ଧିବେ ବୋଲି ମଧ୍ୟ ନିଷ୍ପତ୍ତି ନେଇଥିଲେ। ଶେଷରେ ସେ ତାଙ୍କ ଭଳି ସୁନା ଅଳଙ୍କାର ପିନ୍ଧିବା ଆରମ୍ଭ କଲେ। ତାଙ୍କର ସୁନା ପ୍ରତି ଥିବା ସଉକ ହିଁ  ତାଙ୍କୁ ‘ଗୋଲଡେନ ମ୍ୟାନ ‘ ର ପରିଚୟ ଦେଇଥିଲା।

ଅବଶ୍ୟ ଏହି ସୁନା ପାଇଁ ତାଙ୍କୁ ଅନେକ ସମୟରେ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ହେଲେ ସେ ସବୁକୁ ସେ କାତିର କରି ନଥିଲେ। ସେ ସବୁବେଳ କହୁଥିଲେ ଯେ, ‘ସୁନା ହିଁ ମୋ ପାଇଁ ଭଗବାନ’। ସୁନାକୁ ସେ ନିଜ ଲକିଚାର୍ମ ବୋଲି ଭାବୁଥିଲେ। ତାଙ୍କ ପାଖରେ ସମୁଦାୟ ୪୦ ଲକ୍ଷ ଟଙ୍କାର ସୁନା ଓ ରୂପା ଗହଣା ଥିଲା। ଆଉ ଏହିପରି ସେ ଥିଲେ ୨୨ କୋଟି ଟଙ୍କା ସମ୍ପତ୍ତିର ମାଲିକ।

ଓଡ଼ିଆ ଗୀତରେ ବାପ୍ପିଙ୍କ ଛାପ

ଉଦୟ ଶଙ୍କର ପାଣିଙ୍କ ଦ୍ୱିଭାଷୀ ଫିଲ୍ମ ( ଓଡ଼ିଆ-ବଙ୍ଗଳା ) ‘ମିଛ ମାୟା ସଂସାର’ରେ ସ୍ୱର ସଂଯୋଜନା କରିଥିଲେ ବାପ୍ପି ଦା। ଏହି ଫିଲ୍ମର ସମସ୍ତ ଗୀତ ଖୁବ ମନଛୁଆଁ ହୋଇପାରିଥିଲା। ସେହିପରି ଅନୁଭବ ବର୍ଷାଙ୍କ ଅଭିନୀତ ‘ମୋ ଦୁନିଆ ତୁ ହି ତୁ’ ଓଡ଼ିଆ ଫିଲ୍ମରେ ଇରା ମହାନ୍ତିଙ୍କ ସହ ଶୀର୍ଷକ ଗୀତ ‘ମୋ ଦୁନିଆ’ରେ କଣ୍ଠଦାନ କରି ଚର୍ଚ୍ଚାକୁ ଆସିଥିଲେ। ଏଥିରେ ସ୍ୱର ସଂଯୋଜନା କରିଥିଲେ ମଳୟ ମିଶ୍ର ଓ ଗୀତ ରଚନା କରିଥିଲେ ଅରୁଣ ମନ୍ତ୍ରୀ। ସେହିପରି ‘ଅକୁହା କଥା’ ଫିଲ୍ମର ‘ଭାଙ୍ଗେ ଯଦି ଖେଳଘର’, ‘ହଜି ଯିବାରେ’, ‘କଥା ଥିଲା’, ‘ଆଜି ତୁମରି ଓଠରେ’, ‘ଚିଠି ଚିଠି’, ‘ଧୋ ବାୟା’ ପ୍ରଭୃତି ଗୀତରେ ମଧ୍ୟ ବାପ୍ପି ସାଧନା ସରଗମ, କବିତା କ୍ରିଷ୍ଣାମୂର୍ତ୍ତି ପ୍ରମୁଖଙ୍କ ସହ କଣ୍ଠଦାନ କରିଥିଲେ।

ରାଜନୈତିକ ଜୀବନ

୨୦୧୪ ଜାନୁଆରୀ ୩୧ରେ ବାପ୍ପି ଲାହିରୀ ବିଜେପିରେ ଯୋଗ ଦେଇଥିଲେ। ସେ ପଶ୍ଚିମବଙ୍ଗର ଶ୍ରୀରାମପୁର ଲୋକସଭା ଆସନ ପାଇଁ ନିର୍ବାଚନ ଲଢ଼ିଥିଲେ, କିନ୍ତୁ ସେଥିରେ ସେ କଲ୍ୟାଣ ବାନାର୍ଜାଙ୍କ ଠାରୁ ପରାଜିତ ହୋଇଥିଲେ।

Comment