ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରି ସାରିଲେଣି। ନିର୍ବାଚନରେ କିଏ ପ୍ରାର୍ଥୀ ହେବେ ସେ ନେଇ କଳ୍ପନା ଜଳ୍ପନା ବି ଜୋର ଧରିଲାଣି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ୨୧ଟି ଲୋକସଭା ଆସନରେ ବର୍ତ୍ତମାନ ସ୍ଥିତି କ’ଣ ରହିଛି ଓଡ଼ିଶାଲାଇଭ ପକ୍ଷରୁ ତାହାର ଏକ ପ୍ରାକ-ନିର୍ବାଚନୀ ଚିତ୍ର ଉପସ୍ଥାପନ କରାଯାଉଛି। ସେହି କ୍ରମରେ ଆସନ୍ତୁ ଆଜି ଆଖି ପକାଇବା କନ୍ଧମାଳ ଲୋକସଭା ଆସନ ଉପରେ।
ଆଦିବାସୀ ଅଧ୍ୟୁଷିତ ହେଲେ ମଧ୍ୟ କନ୍ଧମାଳ ଏକ ଗୁରୁତ୍ୱପୂର୍ଣ୍ଣ ଲୋକସଭା ଆସନ। ଏଠାରୁ ବହୁ ହେଭିୱେଟ ନେତା ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏଥର କିନ୍ତୁ ସ୍ଥିତି ପୂରାପୂରି ଅଲଗା। ଭୋଟରମାନେ ସ୍ଥାନୀୟ ଲୋକଙ୍କ ପ୍ରାର୍ଥୀତ୍ୱକୁ ଏବେ ଜୋର ଦେଉଛନ୍ତି।

୨୦୦୮ରେ ନିର୍ବାଚନମଣ୍ଡଳୀ ପୁନର୍ଗଠନ ପରେ କନ୍ଧମାଳ ଆସନ ସାଧାରଣ ବର୍ଗଙ୍କ ଆସନ ହେଲା ଓ ତା’ ପରଠାରୁ ବହୁ ବାହାରର ନେତା ଏଠାରୁ ଲୋକସଭାକୁ ଯିବା ପାଇଁ ଆଗ୍ରହୀ ହୋଇଛନ୍ତି।
କନ୍ଧମାଳ ଅସଂରକ୍ଷିତ ଆସନ ଘୋଷଣା ହେବା ପରେ ସବୁ ଦଳ ମଧ୍ୟ ପ୍ରାୟ ବାହାରର ଲୋକଙ୍କୁ ହିଁ ପ୍ରାର୍ଥୀ ଭାବେ ଠିଆ କରାଇ ଆସିଛନ୍ତି। ଏହି ଆସନରୁ ୨୦୦୯ ନିର୍ବାଚନରେ ରୁଦ୍ର ମାଧବ ରାୟ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେହିଭଳି ୨୦୧୪ରେ ହେମେନ୍ଦ୍ର ସିଂହ ଓ ସେହି ବର୍ଷ ଉପନିର୍ବାଚନରେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ନିର୍ବାଚନ ଜିତିଥିଲେ। ଏ ସମସ୍ତେ ଶାସକ ବିଜେଡିର ପ୍ରାର୍ଥୀ ଥିଲେ।
ସେହିଭଳି କଂଗ୍ରେସ ପକ୍ଷରୁ ସ୍ୱର୍ଗତ ହରିହର କରଣ ଓ ସୁଜିତ ପାଢ଼ୀଙ୍କୁ ପ୍ରାର୍ଥୀ କରାଯାଇଥିଲା। ଭିନ୍ନ ଭିନ୍ନ ନିର୍ବାଚନରେ ବିଜେପି ପକ୍ଷରୁ ରୁଦ୍ର ମାଧବ ରାୟ, ସୁକାନ୍ତ ପାଣିଗ୍ରାହୀ ଓ ପ୍ରାକ୍ତନ ଆଇପିଏସ ଅଫିସର ଅଶୋକ ସାହୁଙ୍କୁ ପ୍ରାର୍ଥୀ ଭାବେ ଛିଡ଼ା କରାଯାଇଥିଲା।
ତେବେ ଭୋଟରଙ୍କ ଅଭିଯୋଗ ହେଉଛି ଯେ ପ୍ରାର୍ଥୀମାନେ ବାହାରୁ ଆମଦାନୀ ହେଉଥିବା କାରଣରୁ ଏହି ସଂସଦୀୟ କ୍ଷେତ୍ରର ଉନ୍ନତି ପାଇଁ ସେମାନେ ବିଶେଷ ଧ୍ୟାନ ଦେଉନାହାନ୍ତି। ନିର୍ବାଚିତ ନେତାମାନଙ୍କୁ କେବଳ ସଭା ସମିତି ଓ ଉତ୍ସବରେ ଦେଖିବାକୁ ମିଳୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

କନ୍ଧମାଳର ସର୍ବସାଧାରଣଙ୍କ ପକ୍ଷରୁ ଏହାକୁ ଏଥର ନିର୍ବାଚନରେ ଏକ ପ୍ରସଙ୍ଗ କରାଯାଇଛି। ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ କୁହାଯାଇଛି ଯେ ଜିଲ୍ଲାରେ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଢେର ପ୍ରତିଭା ଅଛନ୍ତି। କିନ୍ତୁ ସେମାନଙ୍କ କଥା ବିଚାରକୁ ନିଆ ଯାଉନାହିଁ।
ନିକଟରେ କନ୍ଧମାଳ ଛାତ୍ର ସମାଜ ପକ୍ଷରୁ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଏକ ରାଲି ଆୟୋଜିତ ହୋଇଥିଲା। ବାହାର ଲୋକଙ୍କୁ ପ୍ରାର୍ଥୀ କରାଯିବା ଘଟଣାକୁ ଏହି ରାଲିରେ ବିରୋଧ କରାଯାଇଥିଲା। ବାହାରର ନେତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବା ସେମାନଙ୍କ ପ୍ରତି ଅପମାନ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।
କନ୍ଧମାଳ ଲୋକସଭା ଆସନ ଅଧୀନରେ ସାତଟି ବିଧାନସଭା ଆସନ ରହିଛି। ଏଗୁଡ଼ିକ ହେଲା ଫୁଲବାଣୀ(ଆଦିବାସୀ), ବାଲିଗୁଡା(ଆଦିବାସୀ), ଜି ଉଦୟଗିରି(ଆଦିବାସୀ), ଭଞ୍ଜନଗର(ସାଧାରଣ ବର୍ଗ), ଦଶପଲ୍ଲା(ହରିଜନ), ବୌଦ୍ଧ(ସାଧାରଣ ବର୍ଗ) ଓ କଣ୍ଟାମାଳ(ସାଧାରଣ ବର୍ଗ)।



















