ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ ୧୪ ବର୍ଷ ଧରି ଶାନ୍ତିର ପ୍ରତୀକ ଧଉଳିକୁ ପ୍ରଛଦପଟ୍ଟରେ ରଖି ଏହାର ବାର୍ତ୍ତାକୁ ପ୍ରସାର କରିଆସୁଛି ଧଉଳି-କଳିଙ୍ଗ ମହୋତ୍ସବ।

  • ଶାନ୍ତିସ୍ତୂପ ଧଉଳି ପାଦ ଦେଶରେ ଚାଲିବ ଧଉଳି-କଳିଙ୍ଗ ମହୋତ୍ସବ
  • ୧୦ ତାରିଖ ଯାଏଁ ଚାଲିବ ମହୋତ୍ସବ
  • ୩ଦିନ ଧରି କଳାକାରମାନେ ମୋହିବେ ଦର୍ଶକଙ୍କ ମନ
  • ରୁଚିବୁଦ୍ଧ ସମ୍ମାନ ପାଇବେ ଲେଖକ ଡକ୍ଟର ସୁବାସ ପାଣି

ଫେବ୍ରୁଆରି ୮ ତାରିଖ ଶୁକ୍ରବାର ସନ୍ଧ୍ୟାରୁ ଆରମ୍ଭ ହେବ ଧଉଳି-କଳିଙ୍ଗ ମହୋତ୍ସବ। ଶାନ୍ତିସ୍ତୂପ ଧଉଳି ପାଦଦେଶରେ ଏହି ମହୋତ୍ସବ ତିନି ଦିନ ଧରି ଚାଲିବ। ଓଡ଼ିଶା ଡ୍ୟାନ୍‌ସ ଏକାଡେମୀ ପକ୍ଷରୁ ଆୟୋଜିତ ଏହି ମହୋତ୍ସବ ୧୦ ତାରିଖରେ ଉଦଯାପିତ ହେବ। ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଏହି ମହୋତ୍ସବକୁ ସହଯୋଗ କରିଆସୁଛି।

ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ପରିବେଶିତ ହେବ ‘ଗୀତା ମହାତ୍ମ୍ୟ’। ଏହି ନୃତ୍ୟକୁ ପଦ୍ମଶ୍ରୀ ଅରୁଣା ମହାନ୍ତି ସଂଯୋଜନା କରିଛନ୍ତି। ଏହାକୁ ଓଡ଼ିଶା ସମେତ ଦିଲ୍ଲୀ, ବେଙ୍ଗାଳୁରୁ ଓ ଚେନ୍ନାଇର କଳାକାରମାନେ ନୃତ୍ୟ ପରିବେଷଣ କରିବେ। ଭଗବତ୍‌ ଗୀତାର ମହାନତାକୁ ଏଥିରେ ସ୍ଥାନ ଦିଆଯାଇଛି।  

ପ୍ରଥମ ସଂଧ୍ୟାର ଦ୍ୱିତୀୟ ପର୍ଯ୍ୟାୟରେ କଳାବର୍ଦ୍ଦନ ଗ୍ରୁପ ତରଫରୁ ନୃତ୍ୟ ପରିବେଷଣ କରାଯିବ। ଏହାପରେ ମୟୂରଭଞ୍ଜ ଛଉ ନୃତ୍ୟ ପରିବେଷଣ କରିବେ କଳାକାର।

ଦ୍ୱିତୀୟ ଦିନରେ ଗୁରୁ ଧନେଶ୍ୱର ସ୍ୱାଇଁ ଓ ସାଥୀ କଳାକାରଙ୍କ ସହ ଭୁବନେଶ୍ୱର ବାଦ୍ୟ ବାଣୀ କଳାକାରଙ୍କ ଦ୍ୱାରା ‘ମହୋଦଧି’(ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ) ପରିବେଷଣ କରାଯିବ।

ଏହାସହ  ଦ୍ୱିତୀୟ ସଂଧ୍ୟାରେ ଗୁରୁ ରତିକାନ୍ତ ମହାପାତ୍ର ଓ ସାଥୀ କଳାକାରଙ୍କ ସହ ଶ୍ରୀଜନ ଏକାଡେମୀର କଳାକାରମାନେ ମଧ୍ୟ ନୃତ୍ୟପରିବେଷଣ କରିବେ। ଏହାସହ ସେଦିନ ସଂଧ୍ୟାରେ ଅନ୍ୟ ଏକ ଆକର୍ଷଣ ରହିବ ମଣିପୁରରୁ ଆସିଥିବା କଳାକାରମାନଙ୍କ ଦ୍ୱାରା ପରିବେଶିତ ହେବାକୁ ଥିବା ସମରକଳା ’ଥଙ୍ଗ-ଟା’।

ଗୁରୁ ରାଜେନ ମନ୍‌ ଗ୍ୟାଙ୍ଗ୍‌ଙ୍କ ତତ୍ତ୍ୱାବଧାନରେ କଳାକାରମାନେ ଏହି ସମରକଳାକୁ ପରିବେଷଣ କରିବେ।

ତୃତୀୟ ଦିନରେ ଓଡ଼ିଶୀ, କଥକ ସହିତ କଣ୍ଟେମ୍ପରାରୀ ନୃତ୍ୟ ପରିବେଷଣ କରାଯିବ। ଏହାସହ ତୃତୀୟ ସଂଧ୍ୟାର ମୁଖ୍ୟ ଆକର୍ଷଣ ରହିବ ‘ମେକ ଇନ୍‌ ଓଡ଼ିଶା’ ଯେଉଁଥିରେ କଳାକାରମାନେ ଓଡ଼ିଶାର ପ୍ରଗତିର କଥାକୁ ନୃତ୍ୟ ମାଧ୍ୟମରେ ଦର୍ଶକଙ୍କ ପାଖରେ ପହଞ୍ଚାଇବେ।

“୧୪ ବର୍ଷ ହେଲା ଧଉଳି ପାଦ ଦେଶରେ ଧଉଳି-କଳିଙ୍ଗ ମହୋତ୍ସବ ଆୟୋଜିତ ହୋଇ ଆସୁଛି। ଚଳିତବର୍ଷ ଏହି ମେହାତ୍ସବ ୧୫ ବର୍ଷରେ ପହଞ୍ଚିଛି। ୩ ଦିନ ଧରି ଏହି ମହୋତ୍ସବ ଚାଲିବ। ଆଶାକରୁଛି ପ୍ରତିବର୍ଷ ପରି ଚଳିତ ଥର ମଧ୍ୟ ଦର୍ଶକମାନେ ଏହି ମହୋତ୍ସବକୁ ମନଭରି ଉପଭୋଗ କରିବେ।”, କହିଛନ୍ତି ଓଡ଼ିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତି।

ଧଉଳି କଳିଙ୍ଗ ମହୋତ୍ସବ ୨୦୦୩ ମସିହାରୁ ଶାନ୍ତିସ୍ତୂପ ଧଉଳି ପାଦଦେଶରେ ଅନୁଷ୍ଠିତ ହୋଇ ଆସୁଛି। ପୂର୍ବରୁ ଓଡ଼ିଶାରେ କେବଳ କୋଣାର୍କ ମହୋତ୍ସବ ହେଉଥିଲା। ଅନ୍ୟ କୌଣସି ମହୋତ୍ସବ ଯେତେବେଳେ ଆରମ୍ଭ ହୋଇ ନଥିଲା। ସେତେବେଳେ ଧଉଳି କଳିଙ୍ଗ ମହୋତ୍ସବ ଆରମ୍ଭ ହୋଇଥିଲା।

ଧଉଳି-କଳିଙ୍ଗ ମହୋତ୍ସବ ବର୍ତ୍ତମାନ ଦେଶର ଅନ୍ୟ ଡ୍ୟାନ୍ସ ଫେଷ୍ଟିଭାଲ୍ ଭିତରେ ଏକ ଅଗ୍ରଣୀ ଫେଷ୍ଟିଭାଲ୍ ଭାବେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛି। ରାଜ୍ୟ ଓ ଦେଶର ବିଭିନ୍ନ ଶାସ୍ତ୍ରୀୟ ସଙ୍ଗୀତ, ନୃତ୍ୟ, ଲୋକନୃତ୍ୟ ସହ ସମରକଳାର ଅପୂର୍ବ ସମ୍ମିଶ୍ରଣ ଏହି ମଞ୍ଚରେ ପ୍ରତିବର୍ଷ ଅନୁଷ୍ଠିତ ହୋଇ ଆସୁଅଛି।

ପ୍ରତିବର୍ଷ ଧଉଳି କଳିଙ୍ଗ ମହୋତ୍ସବରେ କଳା, ସାହିତ୍ୟ, ସଂସ୍କୃତି ଉପରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷମାନଙ୍କୁ ରୁଚିବୁଦ୍ଧ ସମ୍ମାନରେ ସମ୍ମାନିତ କରାଯାଇଥାଏ।

ରୁଚିବୁଦ୍ଧ ସମ୍ମାନ ପାଇବେ ଡକ୍ଟର ସୁବାସ ପାଣି

୧୫ତମ ଧଉଳି କଳିଙ୍ଗ ମହୋତ୍ସବରେ ଲେଖକ, ସଙ୍ଗୀତକାର ଡକ୍ଟର ସୁବାସ ପାଣିଙ୍କୁ ମିଳିବ। ରୁଚିବୁଦ୍ଧ ସମ୍ମାନତାଙ୍କୁ ପୁରସ୍କାର ବାବଦରେ ୧ ଲକ୍ଷ ଟଙ୍କା, ମାନପତ୍ର ଏବଂ ଉପଢ଼ୌକନ ପ୍ରଦାନ କରାଯିବ।

ସେହିପରି ଚଳିତ ବର୍ଷ ଗୁରୁ ମୋହିନୀ ମହୋନ ପଟ୍ଟନାୟକ ପ୍ରସିଦ୍ଧ ‘ଚଇତି ଘୋଡା’ ନୃତ୍ୟ କଳାକାର ଉତ୍ସବ ଚରଣ ଦାସ, ତବଲାବାଦକ ପ୍ରତାପ ଦାସ ଓ ସାମ୍ବାଦିକ ତଥା ଲେଖକ କେଦାର ମିଶ୍ରଙ୍କୁ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନରେ ସମ୍ମାନିତ କରାଯିବ।

ଧଉଳି-କଳିଙ୍ଗ ମହୋତ୍ସବରେ ‘ଓଡ଼ିଶାଲାଇଭ୍‌’ ଡିଜିଟାଲ ମିଡିଆ ପାର୍ଟନର୍‌ ରହିଛି।

Comment