ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କଂଗ୍ରେସର ଗଡ଼ ରାଜନଗର ନିର୍ବାଚନ ମଣ୍ଡଳୀରେ ୨୦୧୯ ନିର୍ବାଚନରେ ହେବ ଜୋରଦାର ଲଢ଼େଇ।

ଓଡ଼ିଶାର ଉପକୂଳ ରାଜନୀତିରେ ରାଜନଗର ବିଧାନସଭା ଆସନ ସବୁବେଳେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଭଳି ଏଥର ମଧ୍ୟ ଏହି ଆସନରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ଜୋରଦାର ହେବ ବୋଲି ପର୍ଯ୍ୟବେକ୍ଷକମାନେ ଅନୁମାନ କରିଛନ୍ତି। ପୂର୍ବରୁ ବହୁ ସମୟ ଧରି ରାଜନଗର ନିର୍ବାଚନ ମଣ୍ଡଳୀଟି କଂଗ୍ରେସ ହାତରେ ଥିଲା। ଏଣୁ ୨୦୧୯ରେ ବିଜେଡି ପ୍ରାର୍ଥୀକୁ ହରାଇ ଏହି ଆସନକୁ ପୁଣି ହାତେଇବ ବୋଲି କଂଗ୍ରେସ ଆଶା ରଖିଛି।

୨୦୧୪ରେ ବର୍ତ୍ତମାନର ବିଧାୟକ ଅଂଶୁମାନ ମହାନ୍ତି ବିଜୁ ଜନତା ଦଳର ଧ୍ରୁବଚରଣ ସାହୁଙ୍କୁ ୫,୬୧୩ ଭୋଟରେ ପରାସ୍ତ କରିଥିଲେ। ଅଂଶୁମାନଙ୍କ ବାପା ନଳିନୀକାନ୍ତ ମହାନ୍ତି ଏହି ଆସନରୁ ୧୯୯୭ରୁ ୨୦୦୪ ପର୍ଯ୍ୟନ୍ତ ଲଗାତର ୮ ଥର ଜିତି ଏକ ରେକର୍ଡ ସୃଷ୍ଟି କରିଥିଲେ। କିନ୍ତୁ ୨୦୦୯ ନିର୍ବାଚନରେ ନଳିନୀ ମହାନ୍ତି ବିଜେଡିର ଅଲେଖ ଜେନାଙ୍କଠାରୁ ମାତ୍ର ୪,୩୩୫ ଭୋଟ୍‌ରେ ହାରିଯାଇଥିଲେ।

ତେବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଲେଖ ଜେନାଙ୍କୁ ୨୦୧୪ରେ ପୁଣି ଥରେ ଟିକେଟ୍ ଦେବା ପାଇଁ ମନା କରିଦେଇଥିଲେ। ତାଙ୍କ ସ୍ଥାନରେ ଧ୍ରୁବଚରଣ ସାହୁଙ୍କୁ ପ୍ରାର୍ଥୀ କରାଯାଇଥିଲା। କିନ୍ତୁ ଏହା କାମ ଦେଇନଥିଲା ଓ ଅଂଶୁମାନ ମହାନ୍ତି ୫୦୦୦ରୁ ଅଧିକ ଭୋଟ୍‌ରେ ଧ୍ରୁବ ସାହୁଙ୍କୁ ହରାଇ ଦେଇଥିଲେ। ଘଟଣାଚକ୍ରରେ ୨୦୦୯ରେ ଜିତିଥିବା ଅଲେଖ ଜେନା ପରେ ବିଜେପିରେ ମିଶିଥିଲେ। ଶ୍ରୀ ଜେନା ଏହି ନିର୍ବାଚନ ମଣ୍ଡଳୀରେ ଅନେକ ଲୋକହିତକର କାମ କରିଥିବା ସତ୍ତ୍ୱେ ବିଜେଡି ତାଙ୍କୁ ଅପମାନିତ କରି ଟିକେଟ୍ ଦେଇନଥିଲା। ଯାହାଫଳରେ ସେ ତାଙ୍କ ସମର୍ଥକଙ୍କ ସହିତ ବିଜେପିକୁ ଡେଇଁଥିଲେ।

ରାଜନୀତି ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ ବିଜେଡିର ଆଉ ଜଣେ ଅସନ୍ତୁଷ୍ଟ ପ୍ରାର୍ଥୀ କୃତ୍ତିବାସ ପାତ୍ର ମଧ୍ୟ ଏଥର ପ୍ରତିବନ୍ଧକ ହୋଇପାରନ୍ତି। ଆସନ୍ତା ମେ’ ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଅଂଶୁମାନ ମହାନ୍ତି ଓ ଧ୍ରୁବ ସାହୁଙ୍କ ମଧ୍ୟରେ ମୁଖ୍ୟତଃ ଲଢ଼େଇଟି ହେବା ଦେଖାଯାଉଛି।

ଶାସକ ବିଜେଡି ପକ୍ଷରୁ ଏହି ନିର୍ବାଚନ ମଣ୍ଡଳୀକୁ ଅବହେଳା କରାଯାଉଛି ବୋଲି ଅଂଶୁମାନ ତାଙ୍କ ନିର୍ବାଚନ ପ୍ରଚାରରେ କହୁଥିବା ଦେଖାଯାଉଛି। ରାଜନଗରର ରାସ୍ତାଘାଟ, ସ୍ୱାସ୍ଥ୍ୟ ସୁବିଧା ଓ ପାନୀୟ ଜଳ ଆଦି ନ ମିଳିବା ପଛରେ ନବୀନ ସରକାରର ବୈମାତୃକ ଭାବ ମୁଖ୍ୟ କାରଣ ବୋଲି ଅଂଶୁମାନ ଲୋକଙ୍କୁ ବୁଝାଉଥିବା କୁହାଯାଉଛି। ତେଣେ ଧ୍ରୁବ ସାହୁ ଯିଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଉପରେ ମୁଖ୍ୟତଃ ନିର୍ଭର କରୁଛନ୍ତି ସେ କେତେଦୂର ଅଂଶୁମାନ ମହାନ୍ତିଙ୍କ ଭୋଟ୍‌କୁ କାଟିପାରିବେ ତାହା ଦେଖିବାର କଥା।

LEAVE A REPLY

Please enter your comment!
Please enter your name here