ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଦୁଇ ବ୍ୟାଟ୍ସମ୍ୟାନ ଆଇସିସି ରାଙ୍କିଙ୍ଗର ଟପ୍‌ ଟେନ୍‌ରେ ରହିଛନ୍ତି। ଏହି ଦୁଇ ବ୍ୟାଟ୍ସମ୍ୟାନ ହେଉଛନ୍ତି ଟିମ୍‌ ଇଣ୍ଡିଆର ଓପନର ସ୍ମୃତି ମନ୍ଧାନା ଓ ଜେମିମା ରୋଡ୍ରିଗ୍ସ। ଆଇସିସି ବ୍ୟାଟିଂ ତାଲିକାରେ ଜେମିମା ରୋଡ୍ରିଗ୍ସ ୪ଟି ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ସ୍ମୃତି ମନ୍ଧାନା ଷଷ୍ଠ ସ୍ଥାନରେ ରହିଛନ୍ତି। ନ୍ୟୁଜିଲ୍ୟାଣ୍ଡ ଦଳର ସୁଜି ବେଟ୍ସ ୭୬୫ ପଏଣ୍ଟ ସହ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୩-୦ରେ ଭାରତୀୟ ମହିଳା ଟିମ୍‌ ହାରିଥିଲା। ଏହା ସତ୍ତ୍ୱେ ଏହି ଦୁଇ ତାରକାଙ୍କ ରାଙ୍କିଙ୍ଗରେ ଉନ୍ନତି ହୋଇଛି। ଜେମିମା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜରେ ୧୩୨ ରନ୍‌ ହାସଲ କରିଥିଲେ। ସେହିପରି ମନ୍ଧାନା ସିରିଜରେ ମୋଟ ୧୮୦ ରନ୍‌ ସଂଗ୍ରହ କରିଥିଲେ।

ସେହିପରି ବୋଲିଂରେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ଦୁଇ ଭାରତୀୟ ଖେଳାଳି ରହିଛନ୍ତି। ଭାରତୀୟ ଦଳର ପୁନମ୍‌ ଯାଦବ ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନରେ ଥିବା ବେଳେ ପ୍ରଥମ ଥର ପାଇଁ ସ୍ପିନର ରାଧା ଯାଦବ ଟପ୍‌ ଟେନ୍‌ରେ ପ୍ରବେଶ କରିଛନ୍ତି। ଅଷ୍ଟ୍ରେଲିଆ ଦଳର ମେଗାନ ସ୍କଟ୍‌ ୭୯୬ ପଏଣ୍ଟ ସହ ବୋଲିଂ ରାଙ୍କିଙ୍ଗର ପ୍ରଥମ ସ୍ଥାନରେ ରହିଛନ୍ତି।

ଅନ୍ୟପଟେ ନିକଟରେ ଟି-୨୦ ରାଙ୍କିଙ୍ଗ୍‌ରେ ଭାରତୀୟ ପୁରୁଷ ଦଳର ବୋଲର କୁଲଦୀପ ଯାଦବ ଆଇସିସି ଟି-୨୦ ବୋଲର ରାଙ୍କିଙ୍ଗ୍‌ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଅଧିନାୟକ ବିରାଟ କୋହଲି ତାଲିକାର ୧୯ତମ ସ୍ଥାନରେ ଥିବା ବେଳେ ରୋହିତ ଶର୍ମା ୭ମ ଓ  କେଏଲ ରାହୁଲ ୧୦ମ ସ୍ଥାନରେ ରହିଛନ୍ତି।

Comment