ଡାକ୍ତର ସରୋଜିନୀ ଷଡ଼ଙ୍ଗୀ

ଗର୍ଭବତୀ ନାରୀର ଦ୍ୱିତୀୟ ତ୍ରୟମାସରେ କିପ୍ରକାର ଶାରୀରିକ ଲକ୍ଷଣ ପ୍ରକାଶ ପାଏ ଏବଂ କିପରି ତା ଯତ୍ନ ନେବା, ଆସନ୍ତୁ ଜାଣିବା…

ଚତୁର୍ଥ ମାସ

  • ଏହି ସମୟରେ ଚର୍ମରେ ପରିବର୍ତ୍ତନ ଦେଖାଯାଏ। କେତେକଙ୍କର ମୁହଁରେ କଳାଦାଗ ହୋଇଯାଏ।
  • ଏହି ସମୟରେ ବେଶୀ କ୍ଲାନ୍ତି ଲାଗିଥାଏ। ତେଣୁ ବେଶୀ ସମୟ ବିଶ୍ରାମ ନେବା ଉଚିତ୍।
  • ଜଣ ଜଣଙ୍କର କୋଷ୍ଠକାଠିନ୍ୟ ହୋଇଥାଏ। ଏହା ଏକ ସାଧାରଣ ସମସ୍ୟା।
  • ବହୁଗର୍ଭା ମହିଳାମାନେ ଗର୍ଭରେ ଶିଶୁର ଘୂର୍ଣ୍ଣନ ବେଳେବେଳେ ଅନୁଭବ କରିପାରନ୍ତି।

ଗର୍ଭର ଚତୁର୍ଥ ମାସରେ ମା ଯତ୍ନ

  • ପ୍ରସୂତି ବିଶେଷଜ୍ଞଙ୍କର ପରାମର୍ଶ ନେଇ ଲୌହସାର, କ୍ୟାଲସିୟମ୍, ଭିଟାମିନ୍ ତଟକା ଫଳମୂଳ ଓ ପନିପରିବା ଖାଇବା ଉଚିତ୍।
  • ଚା’, ମଦ, ଧୂମପାନ, ମୃଦୁପାନୀୟ ତଥା ମନଇଚ୍ଛା ଔଷଧ ଖାଇବା ଉଚିତ୍ ନୁହେଁ।
  • ପ୍ରତ୍ୟେକ ଦିନ ପ୍ରାତଃ ଭ୍ରମଣ ଓ ସାନ୍ଧ୍ୟ ଭ୍ରମଣ କରିବା ଉଚିତ୍।
  • ଗୋଡ଼ ତଳକୁ ନ କରି ଉପରକୁ କରି ବିଶ୍ରାମ ନେବେ।
  • ଏଇ ସମୟରେ ଆରାମ ଦାୟକ, ଢିଲା ପୋଷାକ ପିନ୍ଧିବା ଉଚିତ।

ପଞ୍ଚମ ମାସ

  • ଏହି ସମୟରେ ସପ୍ତାହକୁ ଗୋଟିଏ ପାଉଣ୍ଡ୍ ଓଜନ ବଢ଼ିଥାଏ।
  • ଶିଶୁ ବଢ଼ିବା ସଙ୍ଗେ ସଙ୍ଗେ ଗର୍ଭାଶୟ ମଧ୍ୟ ବଢ଼ିଥାଏ ଏବଂ ଅନ୍ତନାଳୀ ଉପରେ ଚାପ ପକାଇଥାଏ।
  • ଜଣ ଜଣଙ୍କର ସ୍ଫିତ ଶୀରା ଦେଖାଦେଇଥାଏ। ତେଣୁ ବହୁ ସମୟଧରି ଛିଡ଼ା ହେବା ଉଚିତ ନୁହେଁ। ଷ୍ଟକିଂ ପିନ୍ଧିବା ଉଚିତ। ବସିବା ବେଳେ ଗୋଡ଼ ଉପରକୁ ଚାପ ନପକାଇ ଗୋଡ଼ ଉପରକୁ ଟେକି ରଖିଲେ ଆରାମ ଲାଗେ। ଏହି ସମୟରେ ଶିଶୁ ଘୂର୍ଣ୍ଣନ ପେଟ ଉପର ବା ତଳିପେଟରେ ଅନୁଭବ କରିହୁଏ। ଜଣଜଣଙ୍କର ତଳିପେଟରେ କଷ୍ଟ ଅନୁଭବ ହୋଇଥାଏ। ଏହି କଷ୍ଟ ଲିଗାମେଣ୍ଟ ପେନ୍ ପାଇଁ ହୋଇଥାଏ। କାରଣ ଜରାୟୁ ବଢ଼ିଲାବେଳେ ଜରାୟୁକୁ ଘେରିରହିଥିବା ମାଂସପେଶୀ ଓ ତନ୍ତୁ ପ୍ରସାରିତ ହୋଇଥାଏ। ତେଣୁ ଶୀଘ୍ର କଡ଼ ନ ଲେଉଟାଇ ଧୀରେ ଧୀରେ ଚାଲିବା ଓ କଡ଼ ଲେଉଟାଇବା ଜରୁରୀ।

ଗର୍ଭର ପଞ୍ଚମ ମାସରେ ମା ଯତ୍ନ

  • ପ୍ରସୂତି ବିଶେଷଜ୍ଞଙ୍କ ପାଖରେ ଚେକ୍ଅପ୍ ଓ ସବୁ ପରୀକ୍ଷା କରାଇନେବା ଜରୁରୀ।
  • ସୁଷମ ଖାଦ୍ୟ ଖାଇବା ସହ ଦୁଧ, ଦହି, ଛେନା ଓ ପ୍ରତିଦିନ ୮ ଗ୍ଲାସ ପାଣି ପିଇବା ଜରୁରୀ।
  • ଏ ସମୟରେ ଧୂମପାନ, ମଦ୍ୟପାନ, ଚା, କଫି ଓ ତେଲ ଛଣାଛଣି ଖାଦ୍ୟ ଖାଇବା ଉଚିତ ନୁହେଁ।
  • ପ୍ରତିଦିନ ପ୍ରଚୁର ବିଶ୍ରାମ ନେବା ସମୟରେ ବାମ କଡ଼ ମାଡ଼ି ଶୋଇବା ଭଲ।

ଷଷ୍ଠ ମାସ

  • ଗର୍ଭଧାରଣର ପ୍ରଥମ ତିନି ମାସରେ ଘନଘନ ପରିଶ୍ରା ହେଉଥିବା ବେଳେ ଏ ସମୟରେ ତାହା କମିଯାଏ।
  • ତଳିପେଟ, ସ୍ତନ ଓ ଜଙ୍ଘରେ ଚମ ଫାଟିଯାଇ ଷ୍ଟେଚ୍‌ମାର୍କ ବା ଧଳାଧଳା ଦାଗ ହୋଇଯାଏ। ପ୍ରସବ ପରେ ଏ ଦାଗ ଫିକା ପଡ଼ିଯାଏ।
  • ଓଜନ ଆସ୍ତେ ଆସ୍ତେ ବଢ଼ିଥାଏ ଏବଂ ବେଳେବେଳେ ଜରାୟୁର ସଂକୋଚନ ଜନିତ କଷ୍ଟ ହୋଇଥାଏ। ବେଶୀ କଷ୍ଟ ହେଲେ ଡାକ୍ତରଙ୍କ ପରାମର୍ଶ କରନ୍ତୁ।
  • ବାନ୍ତି କମିଯିବାରୁ ଭୋକ ବଢ଼ିଯାଏ। କିନ୍ତୁ ବେଳେ ବେଳେ ଆମ୍ବିଳା ହାକୁଟି ହୋଇଥାଏ ଓ ଛାତି ପୋଡ଼ିଥାଏ।

ଗର୍ଭର ଷଷ୍ଠ ମାସରେ ମା ଯତ୍ନ

  • ସୁଷମ ଖାଦ୍ୟ, ତଟକା ପନିପରିବା ଓ ଫଳ ଖାଇବା ସହ ବିଶ୍ରାମ ନିଅନ୍ତୁ।

(ସୌଜନ୍ୟ – ଗର୍ଭବତୀ ନାରୀର ଯତ୍ନ)

Comment