ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଗାଁ ରତନପୁରରେ ଶେଷକୃତ୍ୟ ସମ୍ପନ୍ନ
  • ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ
  • ଗାଁରେ ଶୋକାକୂଳ ପରିବେଶ
  • ସହିଦଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର୍

ପଞ୍ଚଭୂତରେ ଲୀନ ହେଲା ସହିଦ ଯବାନ ମନୋଜ ବେହେରାଙ୍କ ପାର୍ଥିବ ଶରୀର। ଜନ୍ମମାଟି କଟକ ଜିଲ୍ଲାର ନିଆଳି ଅନ୍ତର୍ଗତ ରତନପୁରରେ ଶନିବାର ରାତିରେ ମନୋଜଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମନୋଜଙ୍କ ସାନ ଭାଇ ମୁଖାଗ୍ନି ଦେଇଥିଲେ।

ଶୋକାକୂଳ ପରିବେଶରେ ମନୋଜଙ୍କୁ ବିଦାୟ ଦେଇଛନ୍ତି ଗ୍ରାମବାସୀ ଏବଂ ଅତ୍ମୀୟ ସ୍ୱଜନ। ମନୋଜ ଅମର ରହେ ଧ୍ୱନିରେ ପରିବେଶ କମ୍ପିଥିଲା। ସିଆର୍‌ପିଏଫ୍ ଏବଂ ଓଡ଼ିଶା ପୋଲିସ ପକ୍ଷରୁ ସହିଦ ଯବାନ ମନୋଜଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା, କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ନିଆଳି ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ଜମ୍ମୁ-କଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ମନୋଜ ସହିଦ ହୋଇଥିଲେ। ବୁଧବାର ଅପରାହ୍ଣରେ ମନୋଜଙ୍କ ପାର୍ଥିବ ଶରୀର ନୂଆଦିଲ୍ଲୀରୁ ଭୁବନେଶ୍ୱର ଏୟାପୋର୍ଟକୁ ସ୍ୱତନ୍ତ୍ର ବିମାନରେ ଅଣାଯାଇଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟ ବରିଷ୍ଠ ମନ୍ତ୍ରୀ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ପରେ ମନୋଜଙ୍କ ପାର୍ଥିବ ଶରୀରକୁ ସ୍ୱତନ୍ତ୍ର ଗାଡ଼ିରେ ରତନପୁର ଅଭିମୁଖେ ନିଆଯାଇଥିଲା। ମନୋଜଙ୍କ ଶେଷ ଦର୍ଶନ କରିବା ପାଇଁ ଗାଁରେ ହଜାର ହଜାର ଲୋକଙ୍କର ଭିଡ଼ ଜମିଥିଲା।

କଟକ ଜିଲ୍ଲାପାଳ ମନୋଜଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଅନୁମ୍ପା ମୂଳକ ରାଶି ପ୍ରଦାନ କରିଥିଲେ। ସହିଦ ପରିବାରଙ୍କୁ ୨୫ ଲକ୍ଷ ଟଙ୍କା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

Comment