ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଲୱାମା ଆତଙ୍କବାଦୀ ଆକ୍ରମଣର ବଦଲା ନେଇଛି ଭାରତ। ପାକିସ୍ତାନ ସୀମାରେ ଭାରତୀୟ ବାୟୁସେନା ବଡ଼ ଧରଣର ସର୍ଜିକାଲ ଷ୍ଟ୍ରାଇକ କରିଥିବା ଦାବି କରୁଛି। ଏଥିରେ ୩୦୦ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଉଛି।
ତେବେ ଏହି ସର୍ଜିକାଲ ଷ୍ଟ୍ରାଇକ କେମିତି ଥିଲା ଏବଂ ଆତଙ୍କବାଦୀ ଦମନ ପାଇଁ ଭାରତୀୟ ବାୟୁସେନା କ’ଣ ବ୍ୟବହାର କରିଥିଲା ଜାଣନ୍ତୁ।
୨୧ ମିନିଟର ଅପରେସନ
ଭାରତୀୟ ବାୟୁସେନାର ଏହି ଅପରେସନ ୨୧ ମିନିଟର ଥିଲା। ଏହି ୨୧ ମିନିଟରେ ୧୨ ମିରାଜ ଫାଇଟର ପାକିସ୍ତାନର ଅଲଗା ଅଲଗା ଦିଗରୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୩୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ଦାବି କରାଯାଉଛି। ଏଥିରେ ୧୦୦ କିଲୋଗ୍ରାମର ବୋମା ମଧ୍ୟ ମାଡ଼ କରାଯାଇଛି।
ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ସଚିବ ବିଜୟ ଗୋଖଲେ କହିଛନ୍ତି, “ମଙ୍ଗଳବାର ସକାଳେ ବାଲାକୋଟରେ ଏୟାର ଷ୍ଟ୍ରାଇକ କରାଯାଇଥିଲା। ଜୈସ୍-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର କମାଣ୍ଡର ସମେତ ଆତଙ୍କବାଦୀ ନିହତ ହୋଇଛନ୍ତି। ଦୁଇ ବର୍ଷ ହେଲା ପାକିସ୍ତାନ ଆତଙ୍କବାଦୀ ଷଡ଼ଯନ୍ତ୍ର କରୁଥିଲା। ହେଲେ ଆତଙ୍କବାଦ ରୋକିବା ପାଇଁ କୌଣସି ପଦକ୍ଷେପ ନେଉ ନଥିଲା ପାକ୍।”
ଫ୍ରେବୁଆରୀ ୧୪ରେ ଜମ୍ମୁ-କଶ୍ମୀର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ସିଆର୍ପିଏଫ୍ ଯବାନଙ୍କ ଗାଡ଼ିରେ ବିସ୍ଫୋରକ ଭର୍ତ୍ତି କାର୍ ଧକ୍କା ଦେବାରୁ ୪୦ରୁ ଅଧିକ ଯବାନ ନିହତ ହୋଇଥିଲେ। ଏହାକୁ ନେଇ ସାରା ଦେଶରେ ପାକିସ୍ତାନ ବିରୋଧୀ ହାୱା ବହିଥିଲା।


















