ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ପାଟଣାଗଡ଼ ରାଣୀ ସଙ୍ଗୀତା ସିଂହଦେଓ ଏବଂ ବଲାଙ୍ଗିର ରାଜକୁମାର କଳିକେଶ ସିଂହଦେଓଙ୍କ ଭିତରେ ହେବ ଜୋରଦାର ଲଢ଼େଇ।

ପଶ୍ଚିମ ଓଡ଼ିଶାର ସବୁଠୁ ହଟ୍ ଲୋକସଭା ଆସନ ହେଉଛି ବଲାଙ୍ଗିର। କାରଣ ଏହି ନିର୍ବାଚନମଣ୍ଡଳୀର ଭୋଟର କାହା ମୁଣ୍ଡରେ କେତେବେଳେ ସୁନା କଳସ ଢାଳିବେ ତାହା କହିବା ମୁସ୍କିଲ୍। ଏଠାକାର ଭୋଟର କେତେବେଳେ କଂଗ୍ରେସ ତ ପୁଣି କେତେବେଳେ ବିଜେପି ଏବଂ ବିଜେଡି ଉପରେ ଆସ୍ଥା ପ୍ରକଟ କରିଥାନ୍ତି। ତେବେ ୨୦୧୯ ନିର୍ବାଚନରେ ବଲାଙ୍ଗିର ଭୋଟର କାହାକୁ ସାଂସଦ ଭାବେ ପ୍ରିଫର କରିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବଲାଙ୍ଗିର ଭୋଟର ଗତ ୨୦୦୯ରୁ ଦିଅର-ଭାଉଜଙ୍କ ଲଢ଼େଇ ଦେଖି ଆସୁଛନ୍ତି। ବଲାଙ୍ଗିର ରାଜକୁମାର କଳିକେଶ ନାରାୟଣ ସିଂହଦେଓ (ଦିଅର) ଏବଂ ପାଟଣାଗଡ଼ ରାଣୀ ସଙ୍ଗୀତା ସିଂହଦେଓ (ଭାଉଜ)ଙ୍କ ମଧ୍ୟରେ ସବୁବେଳେ କଡ଼ା ଟକ୍କର ଚାଲିଥାଏ।

ହେଲେ ଗତ ଦୁଇଟି ନିର୍ବାଚନରେ ଭାଉଜ ସଙ୍ଗୀତା ସିଂହାଦେଓଙ୍କୁ ମାତ୍‌ ଦେଇ ଦିଅର କଳିକେଶ ବିଜୟ ବାନା ଉଡ଼ାଇ ଆସିଛନ୍ତି। ଏଥର ବି ଉଭୟଙ୍କ ଭିତରେ କଡ଼ା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି।

୧୯୯୮ରୁ ୨୦୦୯ – ସଙ୍ଗୀତାଙ୍କ ପାଳି

ସଙ୍ଗୀତା ସିଂହଦେଓ ହେଉଛନ୍ତି ପାଟଣାଗଡ଼ ରାଣୀ। ଆଉ ମଧ୍ୟ ସେ ହେଉଛନ୍ତି ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ପତ୍ନୀ। କେଭି ପାଟଣାଗଡ଼ରୁ ବିଧାୟକ ଭାବେ ନିର୍ବାଚିତ ହେଉଥିବା ବେଳେ ସଙ୍ଗୀତା ବଲାଙ୍ଗିର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥାନ୍ତି।

୧୯୯୮ରେ ସଙ୍ଗୀତା ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ପରେ ୧୯୯୯ ଏବଂ ୨୦୦୪ରେ ହୋଇଥିବା ନିର୍ବାଚନରେ ସେ ବିଜୟୀ ହୋଇଥିଲେ। କିନ୍ତୁ ୨୦୦୯ରେ ଓଲଟି ଯାଇଥିଲା ବଲାଙ୍ଗିର ରାଜନୀତିର ପଶାପାଲି।

୨୦୦୯ରେ ବିଜେବି-ବିଜେଡି ମେଣ୍ଟ ଭାଙ୍ଗିବାରୁ ଏଠାରେ ବିଜେଡି ସଙ୍ଗୀତାଙ୍କ ବିପକ୍ଷରେ ବଲାଙ୍ଗିର ରାଜକୁମାର କଳିକେଶ ନାରାୟଣ ସିଂହଦେଓଙ୍କୁ ପ୍ରାର୍ଥୀ କରିଥିଲା। ସଙ୍ଗୀତାଙ୍କ ଅମଳରେ ବଲାଙ୍ଗିରର ଅନେକ ବିକାଶମୂଳକ କାମ ହୋଇଥିଲେ ମଧ୍ୟ ଭୋଟର ୨୦୦୯ରେ କଳିକେଶଙ୍କୁ ନିର୍ବାଚିତ କରିଥିଲେ। କଳିକେଶ ଯୁବକ ହୋଇଥିବାରୁ ଏବଂ ବଲାଙ୍ଗିର ରାଜ ପରିବାରର ସଦସ୍ୟ ହୋଇଥିବାରୁ ସେ ଭୋଟରଙ୍କୁ ଆକର୍ଷିତ କରିବାରେ ସମର୍ଥ ହୋଇଥିଲେ। ଏହାସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ମଧ୍ୟ ଏଠାରେ କାମ ଦେଇଥିଲା। ଫଳରେ ୨୦୧୪ରେ ବି କଳିକେଶ ସଙ୍ଗୀତାଙ୍କୁ ପରାଜିତ କରିବାରେ ସମର୍ଥ ହୋଇଥିଲେ।

୨୦୦୯ରୁ ୨୦୧୯ – କଳିକେଶଙ୍କ ହାତରେ ମଙ୍ଗ

୨୦୦୪ରେ କଳିକେଶ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ତାଙ୍କୁ ପ୍ରଥମେ ସେତେବେଳର ସଇଁତଳା ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା ବିଜେଡି। ପ୍ରଥମ ଥର ପାଇଁ ହେଲେ ମଧ୍ୟ କଳିକେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ପରେ ୨୦୦୯ ନିର୍ବାଚନରେ କଳିକେଶ ଲୋକସଭା ନିର୍ବାଚନ ମଇଦାନକୁ ଓହ୍ଲାଇ ବିଜୟ ମୁକୁଟ ପିନ୍ଧିଥିଲେ। ୨୦୧୪ରେ ବି ସେ ଦିଲ୍ଲୀ ଦରବାରକୁ ଯାଇଥିଲେ।

କଂଗ୍ରେସରୁ ଶରତ!

ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ, ବଲାଙ୍ଗୀର, ଟିଟଲାଗଡ ଓ କଣ୍ଟାବାଞ୍ଜି ବିଧାନସଭା ଆସନକୁ ନେଇ ବଲାଙ୍ଗିର ଲୋକସଭା ଆସନ ଗଠିତ ହୋଇଛି। ଏହି ଆସନରେ ୧୯୯୮ ପୂର୍ବରୁ ସବୁବେଳେ ତ୍ରିମୁଖି ଲଢ଼େଇ ହୋଇ ଆସୁଥିଲା। ଏହାର ଫାଇଦା କଂଗ୍ରେସକୁ ଯାଉଥିଲା।

୧୯୯୧ ଏବଂ ୧୯୯୬ରେ ହୋଇଥିବା ଲୋକସଭା ନିର୍ବାଚନରେ କଂଗ୍ରେସର ଶରତ ପଟ୍ଟନାୟକ ହିଁ ବାଜି ମାରି ନେଉଥିଲେ। ତେବେ ଗତ ତିନୋଟି ନିର୍ବାଚନରେ ଅଭିଜ୍ଞ ଶରତ ପରାଜିତ ହୋଇ ଆସୁଛନ୍ତି। ୨୦୧୯ରେ କଂଗ୍ରେସ ଟିକେଟ କିଏ ପାଇବ ତାହା ସ୍ଥିର ହୋଇ ନଥିବା ବେଳେ ଶରତଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଯଦି ଶରତ ପୁଣି ଟିକେଟ ପାଆନ୍ତି ତାହାଲେ ବଲାଙ୍ଗିରରେ ତ୍ରିମୁଖି ଲଢ଼େଇ ହେବା ଥୟ।

ସଙ୍ଗୀତା ଜପୁଛନ୍ତି ନମୋ ମନ୍ତ୍ର

ବଲାଙ୍ଗିର ଲୋକସଭା ଆସନରୁ ପୁଣି ବାଜିମାତ୍ କରିବା ପାଇଁ ପାଟଣାଗଡ଼ ରାଣୀ ସଙ୍ଗୀତା ସିଂହଦେଓ ନମୋ ମନ୍ତ୍ର ଜପୁଛନ୍ତି। ନରେନ୍ଦ୍ର ମୋଦି ସରକାରଙ୍କ ସଫଳ ଲୋକପ୍ରିୟ ଯୋଜନା ତାଙ୍କୁ ୨୦୧୯ ନିର୍ବାଚନ ବୈତରଣୀ ପାର୍ କରିବ ବୋଲି ସେ ଆଶା କରିଛନ୍ତି। ଏପଟେ ମୋଦି ମଧ୍ୟ ଗତ ମାସରେ ବଲାଙ୍ଗିର ଗସ୍ତରେ ଯାଇ ଭୋଟରଙ୍କୁ ମନରେ ଉତ୍ସାହ ଭରିଛନ୍ତି। ଏଣୁ ସଙ୍ଗୀତା ମୋଦିଙ୍କ ଭରସାରେ ନିର୍ବାଚନ ଲଢ଼ିବାକୁ ସଜ ହେଉଛନ୍ତି।

କଳିକେଶଙ୍କୁ ଭରସା ନବୀନ

ବିଜେଡିର ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକଙ୍କୁ ଭରସା କରି ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇବେ କଳିକେଶ। ନବୀନ ସରକାର ଅମଳର ଲୋକପ୍ରିୟ ଯୋଜନା ଏବଂ କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ରାଜନୀତିକୁ ସରଗରମ କରିବା ପାଇଁ କଳିକେଶଙ୍କ ଟିମ୍ ରଣନୀତି ପ୍ରସ୍ତୁତ କରୁଛନ୍ତି।

ବଲାଙ୍ଗିରରେ ବର୍ତ୍ତମାନ ଯେଉଁଭଳି ମାହୋଲ ସୃଷ୍ଟି ହେଲାଣି ଏଥିରୁ ସ୍ପଷ୍ଟ ହେଉଛି ଯେ ଆଗାମୀ ଦିନରେ ଖେଳ ଜମିବ। ୨୦୦୯ ଏବଂ ୨୦୧୪ ପରି ୨୦୧୯ରେ ଦିଅର-ଭାଉଜଙ୍କ ଭିତରେ ଲଢ଼େଇ ଜମିବ ବୋଲି ରାଜନୀତି କରିଡରରେ ଚର୍ଚ୍ଚା ହେଉଛି।

ତେବେ ମୋଦି ମନ୍ତ୍ର ଜପି ଜପି ସଙ୍ଗୀତା ନିର୍ବାଚନ ବୈତରଣୀ ପାର୍ ହେଉଛନ୍ତି ନା କଳିକେଶ ପୁଣି ବାଜି ମାରୁଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।

Comment