ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

୨୦୧୯ ନିର୍ବାଚନରେ ଏକାଠି ଲଢ଼ିବେ ସିପିଆଇ-କଂଗ୍ରେସ!

୨୦୧୯ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଏବଂ ସିପିଆଇ ମଧ୍ୟରେ ହେବ ଆସନ ବୁଝାମଣା। ଏହାକୁ ନେଇ ଗତ କିଛିଦିନ ହେଲା ଚର୍ଚ୍ଚା ଚାଲିଥିଲେ ମଧ୍ୟ କେଉଁ ଦଳ କେତୋଟି ଆସନରେ ଲଢ଼ିବେ ତାକୁ ନେଇ ଅଙ୍କ ଛିଡୁନି।

ସିପିଆଇ ପୂର୍ବରୁ ୧୭ଟି ବିଧାନସଭା ଏବଂ ୨ଟି ଲୋକସଭା ଆସନ ଦାବି କରୁଥିଲା। ହେଲେ ଏଥିରେ କଂଗ୍ରେସ ନେତୃବୃନ୍ଦ ରାଜି ନହେବାରୁ ଏବେ ସିପିଆଇ ୭ଟି ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନ ଦାବି କରୁଥିବା ଜଣାପଡ଼ିଛି। ଏଥିରେ କଂଗ୍ରେସ କି ଆଭିମୁଖ୍ୟ ଗ୍ରହଣ କରୁଛି ତା’ ଉପରେ ସମସ୍ତଙ୍କ ନଜର ରହିଛି।

ସିପିଆଇ ଛତ୍ରପୁର, ବୌଦ୍ଧ, ବ୍ରଜରାଜନଗର, ଏରସମା-ବାଲିକୁଦା, ସୁନ୍ଦରଗଡ଼, ଚିତ୍ରକୋଣ୍ଡା, ଜୁନାଗଡ଼ ବିଧାନସଭା ଏବଂ ଆସ୍କା ଲୋକସଭା ଆସନ ଦାବି କରୁଥିବା ଜଣାପଡ଼ିଛି।

କଂଗ୍ରେସ ପକ୍ଷରୁ କିନ୍ତୁ ଏନେଇ କୌଣସି ସବୁଜ ସଙ୍କେତ ମିଳିନାହିଁ। କଂଗ୍ରେସ ନିଜ ଦଳୀୟ ପ୍ରାର୍ଥୀ ତାଲିକାକୁ ଅପେକ୍ଷା କରିଛି। କେନ୍ଦ୍ରରୁ  ଆସିଥିବା ସ୍କ୍ରିନିଂ କମିଟି କାହା ବାୟୋଡାଟାରେ ମୋହର ମାରୁଛନ୍ତି ତାକୁ ହିଁ ଅପେକ୍ଷା କରିଛି କଂଗ୍ରେସ।

ସିପିଆଇର ରାଜ୍ୟ କାର୍ଯ୍ୟକାରିଣୀ ଆସନ୍ତାକାଲି ବସୁଛି। ମାର୍ଚ୍ଚ ୬ ଏବଂ ୭ରେ ପିସିସି ନିର୍ବାଚନ କମିଟିର ବୈଠକ ବସୁଛି। ଏହି ବୈଠକ ପରେ ହିଁ ସ୍ପଷ୍ଟ ଜଣାପଡ଼ିବ ସିପିଆଇକୁ କଂଗ୍ରେସ କେତେ ଆସନ ଛାଡ଼ିବ।

Comment