ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣତଃ ଲୋକେ ‘ଜହ୍ଲାଦ’ ଚାକିରି କରିବାକୁ ପସନ୍ଦ କରନ୍ତି ନାହିଁ, କାରଣ ଏହା ଏତେ ସହଜ ହୋଇନଥାଏ। କାହାକୁ ବି ଫାଶୀରେ ଲଟକାଇବାକୁ ହେଲେ ସେହି ବ୍ୟକ୍ତିଙ୍କ ଭିତରେ ସାହସ ଥିବା ଦରକାର। କିନ୍ତୁ ଶ୍ରୀଲଙ୍କାରେ ଠିକ୍ ଏହାର ଓଲଟା ଦେଖିବାକୁ ମିଳିଛି। ଏଠାରେ ଲୋକଙ୍କ ମଧ୍ୟରେ ଜହ୍ଳାଦ ହେବାକୁ ନେଇ ବେଶ ଚାହିଦା ରହିଛି। ମାତ୍ର ୨ଟି ପଦ ପାଇଁ ଏଠାରେ ୧୦୦ରୁ ଅଧିକ ପ୍ରାର୍ଥୀ ଆବେଦନ କରିଥିଲେ। ଏହି ପ୍ରାର୍ଥୀଙ୍କ ମଧ୍ୟରେ ଆମେରିକୀୟ ନାଗରିକ ମଧ୍ୟ ସାମିଲ ରହିଛନ୍ତି।
ସୂଚନା ଅନୁଯାୟୀ, ଶ୍ରୀଲଙ୍କା ସରକାର ନିଶାଦ୍ରବ୍ୟରେ ସମ୍ପୃକ୍ତ ଥିବା ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦେବାକୁ ଚାହୁଁଛନ୍ତି। ଏନେଇ ରାଷ୍ଟ୍ରପତି ଘୋଷଣା କରିଥିଲେ କି ଆଗାମୀ ଦୁଇ ମାସ ମଧ୍ୟରେ ସମସ୍ତ ଦୋଷୀ ଫାଶୀରେ ଝୁଲିବେ।

ଶ୍ରୀଲଙ୍କାରେ ୨୦୦୪ ମସିହାରୁ ଦୁଷ୍କର୍ମ, ନିଶା ଦ୍ରବ୍ୟ ବ୍ୟାପାରୀ, ହତ୍ୟା ଆଦିକୁ ବଡ଼ ଅପରାଧ ଭାବେ ବିବେଚିତ କରାଯାଉଛି। କିନ୍ତୁ ଏହାର ଦଣ୍ଡ କେବଳ ଆଜୀବନ କାରଦଣ୍ଡ ପର୍ଯ୍ୟନ୍ତ ସୀମିତ ରହିଛି। ଏପରିକି ଏହି ଦେଶରେ ଫାଶୀ ଦେବା ଆଇନଗତ ଭାବେ ବୈଧ କରାଯାଇଥିବା ବେଳେ ୧୯୭୬ରୁ ବର୍ତ୍ତମାନ ପର୍ଯ୍ୟନ୍ତ କାହାକୁ ଫାଶୀ ଦିଆଯାଇନାହିଁ ।
ଶ୍ରୀଲଙ୍କା ନ୍ୟାୟ ଏବଂ କାରାଗର ସୁଧାର ମନ୍ତ୍ରାଳୟ ନିଶା କାରବାରରେ ନିୟୋଜିତ ଥିବା ୪୮ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଏଥିମଧ୍ୟରୁ ୩୦ଜଣ କ୍ଷମା ପାଇଁ ଆବେଦନ କରିଥିବା ବେଳେ ୧୮ ଜଣଙ୍କୁ ତୁରନ୍ତ ଫାଶୀ ଦିଆଯିବ ବୋଲି ଜଣାପଡ଼ିଛି। ପୂର୍ବ ଜହ୍ଳାଦ ଜଣଙ୍କ ୨୦୧୪ରେ ଇସ୍ତଫା ଦେଇଥିବା ବେଳେ ଗତବର୍ଷ ରଖାଯାଇଥିବା ଜହ୍ଳାଦ ଆଜି ଯାଏଁ କେବେ ଚାକିରିକୁ ଆସି ନାହାନ୍ତି। ଦେଖିବାକୁ ଗଲେ ଏଠାରେ ୫ ବର୍ଷ ହେଲା କୌଣସି ସ୍ଥାୟୀ ‘ଜହ୍ଲାଦ’ ନାହାନ୍ତି।








