ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଭଦ୍ରକ ବିଧାନସଭା ଆସନ ପାଇଁ ବିଭିନ୍ନ ଦଳରୁ ଟିକେଟ ଆଶାୟୀଙ୍କ ଭିଡ଼ ପରିଲକ୍ଷିତ ହେଉଥିବା ବେଳେ ଏହି ଆସନରେ ଯେଉଁ ଲଢ଼େଇ ହେବ ତାହା ମଜାଦାର ହେବା ଦେଖାଯାଉଛି। ବର୍ତ୍ତମାନର ବିଧାୟକ ଓ ପୁରୁଖା ନେତା ଯୁଗଳ ପଟ୍ଟନାୟକ କହି ସାରିଛନ୍ତି ଯେ ସେ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇବେ ନାହିଁ। ଏଣୁ ଶାସକ ବିଜେଡି ଏଥର ନୂଆ ମୁହଁ ଦେବା ପାଇଁ ବାଧ୍ୟ। କହିରଖୁ ଯେ, ୨୦୦୯ରୁ ବିଜେଡି ଭଦ୍ରକ ଆସନ ଜିତି ଆସୁଛି।
ଉତ୍ତରାଧିକାର ସୂତ୍ରରେ ଯୁଗଳଙ୍କ ପୁଅ ଅସିତ ଏହି ଆସନ ତାଙ୍କ ପାଇଁ ଥୁଆ ବୋଲି ଧରି ନେଇଛନ୍ତି। ବାପାଙ୍କ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଲା ପରେ ସେ ବିଗତ ୪ ବର୍ଷ ଧରି ନିର୍ବାଚନ ମଣ୍ଡଳୀର ସବୁ କଥା ବୁଝା ବୁଝି କରି ଆସୁଛନ୍ତି। ତେବେ ଟିକେଟ ଦୌଡ଼ରେ ଆଉ ଜଣେ ଅଛନ୍ତି – ସୀତାଂଶୁ ଶେଖର ମହାପାତ୍ର। ଯଦିଓ ତାଙ୍କର କେହି ଧର୍ମ ବାପା ନାହାନ୍ତି ସେ କିନ୍ତୁ ଅନ୍ୟ ଦଳର ପ୍ରାର୍ଥୀଙ୍କ ନିଦ ହଯାଇ ସାରିଲେଣି।
ମହାପାତ୍ର ଜଣେ ଶିଳ୍ପ ଉଦ୍ୟୋଗୀ ଓ ଯୁବକମାନେ ତାଙ୍କ ପଛରେ ଅଛନ୍ତି। ସେହିଭଳି ଆଉ ଜଣେ ଆଶାୟୀ ହେଉଛନ୍ତି ପୂର୍ବ ବିଧାୟକ ମାନସଙ୍କ ଭାଇ ସଂଜୀବ ମଲ୍ଲିକ। ଗଲା ଥର ସେ ଚାନ୍ଦବାଲି ଆସନରୁ ଟିକେଟ ପାଇଁ ଆଶାୟୀ ଥିଲେ। ଏଥର ଭଦ୍ରକରେ ଶାସକ ଦଳର ଆଉ ଜଣେ ବ୍ୟକ୍ତି ମୁଣ୍ଡ ଟେକିଛନ୍ତି। ସେ ହେଲେ ପୂର୍ବ ଡିଆରଡିଏ ଅଧ୍ୟକ୍ଷ ଜଗନ୍ନାଥ ସ୍ୱାଇଁ।

ଗତ ନିର୍ବାଚନରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା କଂଗ୍ରେସ ଏ ପର୍ଯ୍ୟନ୍ତ ସ୍ଥିର କରି ପାରିନି କାହାକୁ ଭଦ୍ରକରୁ ପ୍ରାର୍ଥୀ କରିବ। ପୂର୍ବ ବିଧାୟକ ବିରେନ ପଲେଇଙ୍କ ସାନ ଭାଇ ନରେନ ପଲେଇ କଂଗ୍ରେସ ପକ୍ଷରୁ ଲଢ଼ିପାରନ୍ତି। ଗତ ଥର ନରେନ ୫୫ ହଜାର ଭୋଟ ପାଇଥିଲେ। ପିସିସି ସମ୍ପାଦକ ଦେବରୁପ ମହାନ୍ତି ମଧ୍ୟ କଂଗ୍ରେସରୁ ପ୍ରାର୍ଥୀ ହେବା ପାଇଁ ଇଛୁକ। ନବେ ମସିହାରୁ ଦେବ କଂଗ୍ରେସ ରାଜନୀତିରେ ଅଛନ୍ତି ଓ ତାଙ୍କ ପଛରେ ଗାଁ ଭୋଟ ଅଛି ବୋଲି ସେ ଦାବି କରିଛନ୍ତି। ସେହି ପରି କଂଗ୍ରେସ ଯୁବ ନେତା ନଳିନୀକାନ୍ତ ମହାନ୍ତି ମଧ୍ୟ କଂଗ୍ରେସ ପକ୍ଷରୁ ଟିକେଟ ମିଳିବ ବୋଲି ଆଶା ବାନ୍ଧିଥିବା କୁହାଯାଉଛି।
ଭଦ୍ରକରୁ ବିଜେପିର ପ୍ରାର୍ଥୀ କିଏ ହେବେ? ପ୍ରାର୍ଥୀଙ୍କ ଭିତରେ ସବା ଆଗରେ ଅଛନ୍ତି ଡକ୍ଟର ପ୍ରଦୀପ ନାୟକ। ଗଲା ନିର୍ବାଚନରେ କିନ୍ତୁ ସେ ମାତ୍ର ୮ ହଜାର ଭୋଟ ପାଇଥିଲେ। ବିଜେପିର ଅନ୍ୟ ଦୁଇ ଜଣ ସମ୍ଭାବ୍ୟ ପ୍ରାର୍ଥୀ ହେଉଛନ୍ତି ତୁଷାର ଜେନା ଓ ବିଜେପି ମହିଳା ମୋର୍ଚ୍ଚାର ସଭାପତି ମନସ୍ମିତା ଖୁଣ୍ଟିଆ।


















