ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପାଇଁ ଆଉ ଅଳ୍ପ କେଇ ଘଣ୍ଟା ସମୟ ରହିଥିବା ବେଳେ ନେତାମାନଙ୍କ ଯିବା ଆସିବା ଚାଲିଛି। ସୋମବାର ଦିନ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଓ ହେଭିୱେଟ ନେତା ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେଉଥିବା ବେଳେ ବିଗତ ଦୁଇ ତିନି ଦିନ ଧରି ନେତା ଓ କର୍ମୀଙ୍କ ଏପଟ ସେପଟ ହେବା ଚାଲିଛି।
ଓଲିଉଡର ଗାୟକ ହୁମାନ ସାଗର ବିଜେଡିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସାଗର ଦଳରେ ସାମିଲ ହୋଇଥିଲେ। ଟିଟିଲାଗଡ଼ରେ ଜନ୍ମିତ ସାଗରଙ୍କ ଯୋଗଦାନକୁ ଶାସକ ଦଳ ପକ୍ଷରୁ ବଡ଼ ଆକାରରେ ଦେଖାଯାଉଛି।

“ମୁଁ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱରେ ପ୍ରଭାବିତ ହୋଇ ବିଜେଡିରେ ଯୋଗ ଦେଲି”, କହିଛନ୍ତି ହୁମାନ ସାଗର। ସାଗରଙ୍କ ବ୍ୟତୀତ ଜୟପାଟଣା ବ୍ଲକର ପ୍ରାୟ ୬୦ କଂଗ୍ରେସ ଓ ବିଜେପି ନେତା ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି। ଏହି ଯୋଗଦାନ ସମୟରେ କଟକ ସାଂସଦ ଭର୍ତ୍ତୃହରି ମହତାବ ପ୍ରମୁଖ ଉପସ୍ଥିତ ଥିଲେ।
ଇତିମଧ୍ୟରେ, ପୂର୍ବତନ କଂଗ୍ରେସ ସାଂସଦ କୃପାସିନ୍ଧୁ ଭୋଇଙ୍କ ସାନ ଭାଇ ଜଗବନ୍ଧୁ ଭୋଇ ବିଜେପିରେ ଯୋଗ ଦେଇଛନ୍ତି। ଶୁଣାଯାଉଛି ସେ ବିଜେପିର ବରଗଡ଼ ଲୋକସଭା ପ୍ରାର୍ଥୀ ହେବେ। ତେଣେ ବରଗଡ଼, କଟକ ଓ ପୁରୀ ଜିଲ୍ଲାର ବହୁ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଏଣେ ଚିଲିକାର ବିଜେପି ନେତା ଦିଲୀପ ବେହେରା ନିଜ ସମର୍ଥକଙ୍କ ସହ କଂଗ୍ରେସରେ ସାମିଲ ହୋଇଛନ୍ତି।


















