ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୧୯ ନିର୍ବାଚନ ପୂର୍ବରୁ ତଥାଗତ ଝଟକା। ବିଜେଡିର ନା ପୂର୍ବରୁ ନିର୍ବାଚନ ଲଢ଼େଇକୁ ତଥାଗତ କହିଲେ ଗୁଡ୍‌ବାଏ।

“ମୁଁ କୌଣସି ଦଳରେ ଯୋଗ ଦେବାର ନାହିଁ। ମୁଁ ରାଜନୀତିକ ଜୀବନରୁ ଓହରି ଯାଉଛି। ତେବେ ଓଡ଼ିଶାରେ ଯାହା କାର୍ଯ୍ୟ କରିବି ସାମାଜିକ ସ୍ତରରେ କରିବି”

ବିଜେଡି ସାଂସଦ ତଥାଗତ ସତପଥୀଙ୍କର ଏହି ଧାଡ଼ିଏ ମନ୍ତବ୍ୟ ଅନେକ କିଛି ସ୍ପଷ୍ଟ କରୁଛି। ତଥାଗତ କେବଳ ୨୦୧୯ ନିର୍ବାଚନ ନୁହେଁ, ବିଜେଡି ଛାଡ଼ିବା ପାଇଁ ପ୍ରସ୍ତୁତ ହେଉଥିବା ଏହି ବୟାନରୁ ସ୍ପଷ୍ଟ ହେଉଛି।

ଅନୁଗୁଳରେ ଏକ ସଭାରେ ତଥାଗତ ୨୦୧୯ ନିର୍ବାଚନ ଲଢ଼ିବେନି ବୋଲି ଇସାରା ଦେଇଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତିରେ ବଢ଼ିଥିଲା ଚର୍ଚ୍ଚା। ଢେଙ୍କାନାଳ-ଅନୁଗୁଳ ଲୋକସଭା ଆସନରୁ ଚାରି ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ତଥାଗତ ହଠାତ୍ କାହିଁକି ନିର୍ବାଚନ ଲଢ଼ିବେନି ବୋଲି ସ୍ପଷ୍ଟ କଲେ ତାକୁ ନେଇ ସେ ମୁହଁ ଖୋଲିଛନ୍ତି।

ନିର୍ବାଚନ ନଲଢ଼ିବା ସମ୍ପର୍କରେ ତଥାଗତ ଆଜି ବିଭିନ୍ନ ଦିଗ ସମ୍ପର୍କରେ କହିଛନ୍ତି। ସେ ସାମ୍ବାଦିକତା ପାଇଁ, ନିଜ ପରିବାରକୁ ସମୟ ଦେବା ପାଇଁ ଏବଂ ଯୁବପିଢ଼ିଙ୍କୁ ସୁଯୋଗ ଦେବା ପାଇଁ ନିର୍ବାଚନ ଲଢୁ ନଥିବା କହିଥିଲେ ମଧ୍ୟ ଏହା ପଛରେ ଭିନ୍ନ କାରଣ ରହିଥିବା ଚର୍ଚ୍ଚା ହେଉଛି।

ଗତ ଦୁଇ ବର୍ଷ ହେଲା ତଥାଗତ ଏବଂ ବିଜେଡି ଭିତରେ ଦୂରତା ବଢୁଥିବା ଚର୍ଚ୍ଚା ହୋଇଥିଲା। ବିଭିନ୍ନ ପ୍ରସଙ୍ଗରେ ସେ ନିଜ ସମ୍ପାଦିତ ଖବରକାଗଜରେ ରାଜ୍ୟ ସରକାରଙ୍କୁ ତୀର୍ଯ୍ୟକ ସମାଲୋଚନା କରି ଆସୁଥିଲେ। ଏହି ସମାଲୋଚନାକୁ ନେଇ ବିବାଦ ମଧ୍ୟ ମୁଣ୍ଡ ଟେକିଥିଲା। କିନ୍ତୁ ନିର୍ବାଚନ ଲଢ଼ିବା ନଲଢ଼ିବା ସମ୍ପର୍କରେ କୌଣସି ଆଲୋଚନା ହୋଇ ନଥିଲା।

ଏବେ ୨୦୧୯ ନିର୍ବାଚନ ପାଖେଇ ଆସୁଥିବାରୁ ଏବଂ ଟିକେଟକୁ ନେଇ ଅଙ୍କ କଷା ଚାଲିଥିବାରୁ ତଥାଗତ ନିଜ ଆଡୁ ନିର୍ବାଚନ ଲଢ଼ିବାକୁ ନା କହିଛନ୍ତି। ବିଜେଡି ତାଙ୍କୁ ଟିକେଟ ‘ନା’ କହିବା ପୂର୍ବରୁ ତଥାଗତ ନିଜଆଡୁ ‘ନମସ୍କାର’ କହି ରାଜନୀତି ପାଣିପାଗକୁ ଗରମ କରିଛନ୍ତି।

୧୯୯୮ରେ ବିଜୁ ଜନତା ଦଳ ଟିକେଟରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ତଥାଗତ। ହେଲେ ୧୯୯୯ରେ ହୋଇଥିବା ନିର୍ବାଚନରେ ତଥାଗତ କଂଗ୍ରେସର କାମାକ୍ଷା ପ୍ରସାଦ ସିଂହଦେଓଙ୍କଠାରୁ ପରାଜିତ ହୋଇଥିଲେ।

ହେଲେ ୨୦୦୪, ୨୦୦୯ ଏବଂ ୨୦୧୪ରେ ନିର୍ବାଚିତ ହୋଇ ତଥାଗତ ନିଜର ଦବ୍‌ଦବା ଜାହିର କରିଥିଲେ। କିନ୍ତୁ ୨୦୧୯ ନିର୍ବାଚନ ପୂର୍ବରୁ ନିର୍ବାଚନକୁ ନା କହି ରାଜନୀତିରେ ହଟଚମଟ ସୃଷ୍ଟି କରିଛନ୍ତି ତଥାଗତ।

କୁହାଯାଉଛି ଯେ ଚାରି ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ମଧ୍ୟ ନିଜ ନିର୍ବାଚନମଣ୍ଡଳୀର ଭୋଟରଙ୍କ ସହ ତଥାଗତଙ୍କର ଭଲ ସମ୍ପର୍କ ନାହିଁ। କିଛି ବଡ଼ ଧରଣର ସଭା ସମିତିରେ ହିଁ କେବଳ ତଥାଗତଙ୍କୁ ଦେଖିବାକୁ ମିଳିଥାଏ ବୋଲି ଭୋଟରମାନେ ଅଭିଯୋଗ କରି ଆସୁଥିଲେ। ଏଣୁ ବିଜେଡି ମ୍ୟାନେଜର ୨୦୧୯ ନିର୍ବାଚନରେ ତଥାଗତଙ୍କୁ ଟିକେଟ ନଦେବା ପାଇଁ ଗଣିତ କଷୁଥିବା କୁହାଯାଉଛି। ଏଣୁ ଏହା ପୂର୍ବରୁ ତଥାଗତ ନିଜ ଆଡୁ ରାଜନୀତିକୁ ବାଏ ବାଏ କରିଥିବା କୁହାଯାଉଛି।

ଦ୍ୱିତୀୟ କଥା ହେଉଛି ଗତ ଦୁଇ ବର୍ଷ ହେଲା ବିଭିନ୍ନ କାରଣ ନେଇ ବିଜେଡି ଗୁଡ୍‌ବୁକ୍‌ରେ ନଥିଲେ ତଥାଗତ। ନିଜ ଖବରକାଗଜରେ ତଥାଗତ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଅଡୁଆରେ ପଡ଼ିଥିଲେ। ଖାଲି ସେତିକି ନୁହେଁ, ବିଜେଡିର କିଛି ଆଗଧାଡ଼ିର ନେତାଙ୍କୁ ଟାର୍ଗେଟ କରି ତଥାଗତ ବିଜେଡିଠାରୁ ଦୂରଉଥିବା ଚର୍ଚ୍ଚା ହୋଇଥିଲା।

୨୦୧୭ରେ ସେ ଏକ ସାଧାରଣ ସଭାରେ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କୁ ଟାର୍ଗେଟ କରି ନବୀନ ବିଦା କରିଥିବା କିଛି ମନ୍ତ୍ରୀ ଚୋର ବୋଲି କହିଥିଲେ। ଏହା ରାଜନୀତି ପାଣିପାଗକୁ ସରଗରମ କରିଥିଲା। ଏହାସହ ସେ ମୂଷା ଉପାଖ୍ୟାନ ଏବଂ ଜଳ ସମ୍ପଦ ବିଭାଗକୁ ସମାଲୋଚନା କରି ‘ଜଳ ଯୁଦ୍ଧ’ ନାଁରେ ପ୍ରବନ୍ଧ ଲେଖିଥିଲେ। ଏହାକୁ ନେଇ ତଥାଗତ ବେଶ୍ ଚର୍ଚ୍ଚାରେ ରହିଥିଲେ। ଏଣୁ ଏସବୁକୁ ନେଇ ବିଜେଡି ମ୍ୟାନେଜର ତଥାଗତଙ୍କୁ ଟିକେଟ ଦେଇ ନପାରନ୍ତି ବୋଲି ଆଲୋଚନା ହେଉଥିଲା।

ଏସବୁ ଘଟଣାକୁ ଦୃଷ୍ଟିରେ ରଖି ତଥାଗତ ଆଗୁଆ ନିର୍ବାଚନ ନଲଢ଼ିବା ପାଇଁ ସ୍ପଷ୍ଟ କରିଥିବା କୁହାଯାଉଛି।

ଯୁବପିଢ଼ିଙ୍କୁ ସୁଯୋଗ

ତଥାଗତ ଗଣମାଧ୍ୟମରେ ମନ୍ତବ୍ୟ ଦେବା ବେଳେ ଗୋଟିଏ ବଡ଼ କଥା କହିଥିଲେ। ନୂଆ ମୁହଁ ତଥା ଯୁବପିଢ଼ିଙ୍କୁ ସୁଯୋଗ ଦେବା ଦରକାର। ଏଣୁ ଢେଙ୍କାନାଳ, ଅନୁଗୁଳ ଲୋକସଭା ଆସନରେ ତଥାଗତଙ୍କ ସ୍ଥାନ ନେବାକୁ ଯୁବକ କିଏ ତାକୁ ନେଇ ଚର୍ଚ୍ଚା ଜୋରଦାର ହୋଇଛି।

କୁହାଯାଉଛି କଂଗ୍ରେସ ଛାଡ଼ି ଗତ ବର୍ଷ ବିଜେଡିକୁ ଆସିଛନ୍ତି ସୁଧିର ସାମଲ। ତାଙ୍କର ଢେଙ୍କାନାଳରେ ଭଲ ସଙ୍ଗଠନ ରହିଛି। ତାଙ୍କୁ ଏବେ ବିଜେଡିରେ ଗୁରୁତ୍ୱ ଦିଆଯାଉଛି। ୨୦୧୯ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି।

Comment