ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଏକାଧିକ ଆଶାୟୀ। ଏବେ ହାଇକମାଣ୍ଡଙ୍କ ଉପରେ ନଜର।

କଂଗ୍ରେସ ଭବନରେ ଆଜି ବସିଥିଲା ପିଇସି କମିଟି ବୈଠକ। ଏହି ବୈଠକରେ କେନ୍ଦ୍ରୀୟ ସ୍କ୍ରିନିଂ କମିଟି ପକ୍ଷରୁ ଚୂଡ଼ାନ୍ତ କରାଯାଇଥିବା ପ୍ରାର୍ଥୀ ତାଲିକାକୁ ନେଇ ମାନସମନ୍ଥନ କରିଥିଲେ କଂଗ୍ରେସ ନେତା। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରଭାରୀ ଜିତେନ୍ଦ୍ର ସିଂ ଏବଂ ଅନ୍ୟ ବରିଷ୍ଠ ନେତାମାନେ ସାମିଲ ହୋଇ ସ୍କ୍ରିନିଂ କମିଟି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ପ୍ରାର୍ଥୀ ତାଲିକା ଉପରେ ଆଲୋଚନା ହୋଇଥିଲା।

ଏହି ତାଲିକାକୁ ପିଇସି କମିଟି ମୋହର ମାରି ସିଇସି ନିକଟକୁ ପଠାଇ ଦେଇଛି। ସିଇସିରେ ନାଁ ଚୂଡ଼ାନ୍ତ ହେବା ପରେ ହାଇକମାଣ୍ଡଙ୍କ ପାଖକୁ ଯିବ ତାଲିକା। ହାଇକମାଣ୍ଡ କାହାକୁ କାଟୁଛନ୍ତି ଏବଂ କାହାକୁ ରଖୁଛନ୍ତି ତାକୁ ହିଁ ଅପେକ୍ଷା।

ଅଧିକାଂଶ ନିର୍ବାଚନମଣ୍ଡଳୀରେ ଅଛନ୍ତି ଏକାଧିକ ଆଶାୟୀ। ଏକାଧିକ ଆଶାୟୀ ହିଁ କଂଗ୍ରେସ ନେତାଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି।

“ପ୍ରାର୍ଥୀ ତାଲିକାକୁ ଆମେ ସିଇସି ନିକଟକୁ ପଠାଇ ଦେଇଛୁ। ଯୁବକ, ମହିଳା ଏବଂ ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଏଥର ଗୁରୁତ୍ୱ ଦିଆଯାଇଛି। ଖୁବ୍‌ଶୀଘ୍ର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ”, କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ମିଳିଥିବା ସୂଚନା ଅନୁଯାୟୀ, କଟକ ଲୋକସଭା ଆସନ ପାଇଁ ଦୁଇ ଜଣ ଦାବିଦାର ଅଛନ୍ତି। ନିକଟରେ କଂଗ୍ରେସରେ ମିଶିଥିବା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଏବଂ ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ। ଏହି ଦୁଇ ଜଣଙ୍କ ଭିତରୁ ହାଇକମାଣ୍ଡ କାହା ବାୟୋଡାଟାରେ ମୋହର ମାରୁଛନ୍ତି ତାକୁ ହିଁ ଅପେକ୍ଷା।

ସେହିପରି ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ଜର୍ଜ ତିର୍କୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ନାଁ ରହିଛି। ହେମାନନ୍ଦ କଂଗ୍ରେସର ବରିଷ୍ଠ ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ। ସେ ପୂର୍ବରୁ ସୁନ୍ଦରଗଡ଼ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଜର୍ଜ ତିର୍କୀ ଏବେ କଂଗ୍ରେସକୁ ଆସିଛନ୍ତି। ଏ ଦୁହିଁଙ୍କ ଭିତରୁ ହାଇକମାଣ୍ଡ କାହାକୁ ବାଛୁଛନ୍ତି ତା’ ଉପରେ ନଜର ରହିଛି।

କୋରାପୁଟ ଲୋକସଭା ଆସନ ପାଇଁ ତିନି ଜଣଙ୍କ ନାଁ ଉଠିଛି। ପୁରୁଷତମ ଗମାଙ୍ଗ, ମେରି ରୋସନ ଏବଂ ଅନ୍ୟ ଜଣେ ନେତାଙ୍କୁ ନେଇ ଚର୍ଚ୍ଚା ହେଉଛି। ଏମାନଙ୍କ ଭିତରୁ କିଏ ଟିକେଟ ପାଇବ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି।

ପୁରୀ ପାଇଁ ଅମୀୟ ପଟ୍ଟନାୟକ ଏବଂ ସୁଚରିତା ମହାନ୍ତିଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ଏହି ଦୁଇ ଜଣଙ୍କ ନାଁ ବି ସିଇସିକୁ ପଠାଇଛନ୍ତି ପିଇସି। ସେହିପରି ବ୍ରହ୍ମପୁର ପାଇଁ ତ୍ରିନାଥ ବେହେରା ଏବଂ ତିରୁପତି ପାଣିଗ୍ରାହୀଙ୍କ ନାଁ ବି ଦିଲ୍ଲୀ ଯାଇଛି। ଯାଜପୁର ପାଇଁ ଅର୍ଜୁନ ଚରଣ ଦାସ ଏବଂ ମାନସ ଜେନା ବି ଦାବିଦାର ଅଛନ୍ତି।

କେନ୍ଦୁଝର ଲୋକସଭା ଆସନ ପାଇଁ ହରମୋହନ ସୋରେନ ଏବଂ ବିନିତା ମାଝିଙ୍କ ନାଁ ବି ଦିଲ୍ଲୀ ଯାଇଛି।

ଏପଟେ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ଧରଣୀଧର ନାୟକ, ବାଲେଶ୍ୱର ପାଇଁ ନବଜ୍ୟୋତି ପଟ୍ଟନାୟକ, ନବରଙ୍ଗପୁର ପାଇଁ ପ୍ରଦୀପ ମାଝି, ଜଗତସିଂହପୁର ପାଇଁ ବିଭୁପ୍ରସାଦ ତରାଇ, ଭଦ୍ରକ ପାଇଁ ଅନନ୍ତ ସେଠୀଙ୍କ ନାଁ ଦିଲ୍ଲୀ ଯାଇଛି।

ଏସବୁ ନାଁ ଭିତରୁ ହାଇକମାଣ୍ଡ କାହାକୁ କାଟୁଛନ୍ତି ଏବଂ କାହାକୁ ରଖୁଛନ୍ତି ତା’ ଉପରେ ରହିଛି ସମସ୍ତଙ୍କ ନଜର।

Comment