ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

“ମୋ’ ଜୀବନର ଏହା ହେଉଛି ସବୁଠାରୁ ବଡ଼ ମୋଡ଼। ମୁଁ ନିକଟରେ ଯେଉଁ ଯାଗାରେ ପହଞ୍ଚିଛି ସେଥିପାଇଁ ମତେ ୨୨ ବର୍ଷ ଲାଗିଗଲା।”- ଆଜି ପୁଣି ଏହି କଥା ଦୋହରାଇଛନ୍ତି ବିଜେପି ନେତା ବୈଜୟନ୍ତ ପଣ୍ଡା।

ଆଜି ଭୁବନେଶ୍ୱରରେ ଏକ ପୁସ୍ତକ ଉନ୍ମୋଚନ ସଭାରେ ଯୋଗ ଦେବା ଅବସରରେ ବୈଜୟନ୍ତ ତାଙ୍କର ନୂଆ ରାଜନୈତିକ ପରିଚୟକୁ ଲକ୍ଷ୍ୟ କରି ଏହି କଥା କହିଥିଲେ। ସେ କହିଥିଲେ ଯେ, ଏହା ତାଙ୍କ ଜୀବନର ସବୁଠାରୁ ଏକ ଗୁରୁତ୍ୱପୁର୍ଣ୍ଣ ସମୟ।

ବୁଧବାର ଦିନ ବୈଜୟନ୍ତଙ୍କୁ ସ୍ୱାଗତ କରିବା ପାଇଁ ବିଜେପି ସମର୍ଥକମାନଙ୍କ ପକ୍ଷରୁ ଏକ ଲମ୍ବା ରାଲି କରାଯାଇଥିଲା। ତାଙ୍କୁ ବିମାନବନ୍ଦରରୁ ପଛୋଟି ନେଇ ପାର୍ଟି ଅଫିସରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ମୁଣ୍ଡରେ ପଦ୍ମଫୁଲିଆ ଟୋପି ଏବଂ ବେକରେ ଦଳୀୟ ଗାମୁଛା ପକାଇ ବୈଜୟନ୍ତ କହିଥିଲେ ଯେ, ୨୨ବର୍ଷ ତଳେ ଯେଉଁ ବିଜୁ ଜନତା ଦଳ ଗଠନ କରାଯାଇଥିଲା ତା’ ପଛରେ ବିଜେପିର ସହଯୋଗ ରହିଥିଲା। ଏପରିକି ବିଜେପି ସମର୍ଥନରେ ବିଜେଡି ସରକାରକୁ ଆସିଥିଲା।

ବିଜୁ ଜନତା ଦଳକୁ ତାତ୍ସଲ୍ୟ କରି ବୈଜୟନ୍ତ କହିଥିଲେ ଯେ, ସେହି ଦଳକୁ (ବିଜେପି) ବାଛିବାକୁ ତାଙ୍କୁ ୨୨ ବର୍ଷ ଲାଗିଗଲା। ଆଜି ପୁସ୍ତକ ଉନ୍ମୋଚନ ସଭାରେ ଅନ୍ୟ କୌଣସି ରାଜନୈତିକ ଆଲୋଚନା କରିନଥିଲେ ମଧ୍ୟ ଗତକାଲିର ତାଙ୍କର ସେହି ମନ୍ତବ୍ୟକୁ ଦୋହରାଇବାକୁ ଭୁଲିନଥିଲେ ବୈଜୟନ୍ତ।

ଆଗରୁ ସବୁବେଳେ ସାଧାରଣତଃ ନୀଳ ରଙ୍ଗର କୁର୍ତ୍ତା ପିନ୍ଧୁଥିବା ବୈଜୟନ୍ତଙ୍କୁ ଆଜି ଇଷତ୍‌ ଲାଲ୍‌ କୁର୍ତ୍ତାରେ ଦେଖିବାକୁ ମିଳିଥିଲା।

Comment