ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ବାପା ହେଉଛନ୍ତି କଂଗ୍ରେସର ମହାଦ୍ରୁମ। ୬ ଥର କଂଗ୍ରେସ ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇ ସେ ନିଜର ଲୋକପ୍ରିୟତା ପ୍ରମାଣ କରିଛନ୍ତି। ୨୦୦୯ରେ ସେ ସୁନ୍ଦରଗଡ଼ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହେବା ସହ ସ୍ୱଳ୍ପ ସମୟ ପାଇଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଥିଲେ।
ତାଙ୍କ ଅମଳର କେତେ ନେତା ଦଳ ବଦଳାଇ ସାରିଲେଣି। ହେଲେ ସେ ଏବେ ଯାଏଁ ବି କଂଗ୍ରେସରେ ରହିଛନ୍ତି। ହେଲେ ଆଜି ତାଙ୍କ ଝିଅ ବିଜେଡିରେ ଯୋଗ ଦେବା ଖବର ରାଜନୀତିକ ବିଶ୍ଲେଷକଙ୍କୁ ଚକିତ କରିଛି। ଆମେ ଏଠାରେ କଂଗ୍ରେସର ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳ ଏବଂ ତାଙ୍କ ଝିଅ ସୁନିତା ବିଶ୍ୱାଳଙ୍କ କଥା କହୁଛୁ।
ହେମାନନ୍ଦ କଂଗ୍ରେସରେ ରହିଥିବା ବେଳେ ସୁନିତା ବିଜେଡିରେ ସାମିଲ ହେବା ଘଟଣା ରାଜନୀତି କରିଡରକୁ ହଲ୍ଚଲ୍ କରିଛି।
“ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେଡିକୁ ଆସିଛି। ଦଳର ସଭାପତି ଯାହା ନିଷ୍ପତ୍ତି ନେବେ ତାକୁ ମୁଁ ଆଗାମୀ ଦିନରେ ଗ୍ରହଣ କରିବି। ଶଶୂଘର ଲୋକଙ୍କ ସହ ଆଲୋଚନା କରିବା ପରେ ମୁଁ ଏହି ପଦକ୍ଷେପ ନେଇଛି”, କହିଛନ୍ତି ସୁନିତା ବିଶ୍ୱାଳ।
ବାପା ରାଜନୀତିରୁ ସନ୍ନ୍ୟାସ ନେବା ପରେ ପୁଅମାନେ ରାଜନୀତିରେ ଯୋଗ ଦେଉଥିଲେ। କିନ୍ତୁ ଏବେ ଟ୍ରେଣ୍ଡ ବଦଳିଛି। ଝିଅମାନେ ସକ୍ରିୟ ରାଜନୀତିକୁ ଆସୁଛନ୍ତି। ହେମାନନ୍ଦ ଯେତେବେଳେ କହିଥିଲେ କି ବୟସାଧିକ ନେତା ରାଜନୀତିରୁ ସନ୍ନ୍ୟାସ ନେଇଯିବା ଦରକାର ସେତେବେଳେ ତାଙ୍କ ଝିଅ ସୁନିତାଙ୍କୁ ନେଇ ଚର୍ଚ୍ଚା ବଢ଼ିଥିଲା। ଉତ୍ତରାଧିକାରୀ ସୂତ୍ରରେ ସୁନିତା କଂଗ୍ରେସରୁ ପ୍ରାର୍ଥୀ ହେବେ ବୋଲି କୁହାଯାଉଥିଲା।
ହେଲେ ନିର୍ବାଚନର ଠିକ୍ ପୂର୍ବରୁ କଂଗ୍ରେସକୁ ଝଟକା ଦେଇଛନ୍ତି ସୁନିତା। ରାଜନୀତିରେ ସୁନିତା ନୂଆ ହେଲେ ମଧ୍ୟ ସୁନ୍ଦରଗଡ଼ରେ ତାଙ୍କର ଭଲ ପ୍ରଭାବ ରହିଛି। ସେଥିପାଇଁ କଂଗ୍ରେସ ତାଙ୍କୁ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି କରିଥିଲା।
ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ସୁନିତା ଟିକେଟ ଲବିରେ ଥିଲେ। କିନ୍ତୁ ଏହି ଆସନରୁ ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀଙ୍କୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେବାରୁ ଏବଂ ତାଙ୍କ ନାଁ ଦିଲ୍ଲୀ ଯାଇଥିବାରୁ ସୁନିତା ବିଜେଡିରେ ସାମିଲ ହୋଇଛନ୍ତି।
ଏପଟେ ବିଜେଡି ମହିଳା ପ୍ରାର୍ଥୀ ଖୋଜୁଥିବା ବେଳେ ସୁନିତାଙ୍କ ଯୋଗଦାନ ଦଳକୁ ଆହୁରି ମଜଭୁତ କରିବ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି।
୨୦୧୪ ନିର୍ବାଚନରେ ସୁନ୍ଦରଗଡ଼ ଲୋକସଭା ଆସନ ବିଜେଡି ହାତରୁ ଖସି ଯାଇଥିଲା। ବିଜେପିର ଜୁଏଲ ଓରାମ ଏଠାରୁ ନିର୍ବାଚନ ଲଢ଼ି କେନ୍ଦ୍ର ମନ୍ତ୍ରୀ ହୋଇଥିଲେ। ୨୦୧୯ରେ ସୁନ୍ଦରଗଡ଼ ଲୋକସଭା ଆସନକୁ କବ୍ଜା କରିବାକୁ ଚାହୁଁଛି ବିଜେଡି। ଆଦିବାସୀ ଏବଂ ମହିଳା ଭୋଟ ହାତେଇବା ପାଇଁ ବିଜେଡି ସୁନ୍ଦରଗଡ଼ରୁ ସୁନିତାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।
“ଏହା ମୋ’ ପାଇଁ ଦୁଃଖଦାୟକ ଘଟଣା। ଏହାଛଡ଼ା ସେ ମୋ’ ଝିଅ ହୋଇଥିଲେ ମଧ୍ୟ ସେ ଏବେ ଅନ୍ୟ ଘରର ବୋହୂ। ଏଣୁ ସେ ତା’ ଇଚ୍ଛା ଅନୁଯାୟୀ ନିଷ୍ପତ୍ତି ନେଇଛି। ଏଥିରେ ମୋର କିଛି କହିବାର ନାହିଁ”, କହିଛନ୍ତି ହେମାନନ୍ଦ ବିଶ୍ୱାଳ।


















