ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ରାସ୍ତା ଅନୁସରଣ କରିବେ କି ଦାମ? ଏହି ପ୍ରଶ୍ନ ଏବେ ରାଜନୀତିକ ମହଲରେ ଉଙ୍କି ମାରୁଛି। ତାଛଡ଼ା ଡାକ୍ତର ଦାମୋଦର ରାଉତ ଆଜି ନୂଆଦିଲ୍ଲୀ ଯାଇଥିବାରୁ ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି।
୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଡାକ୍ତର ଦାମୋଦର ରାଉତ ଦଳ ବିରୋଧୀ କାମ ପାଇଁ ବିଜେଡିରୁ ବହିଷ୍କୃତ ହୋଇଛନ୍ତି। ଏବେ ସେ କୌଣସି ପାର୍ଟିରେ ସାମିଲ ହୋଇ ନାହାନ୍ତି।
ଗତ କିଛିଦିନ ତଳେ ସେ ବ୍ରଜ ତ୍ରିପାଠୀଙ୍କ ସମତାକ୍ରାନ୍ତି ଦଳରେ ସାମିଲ ହୋଇଥିଲେ। ଦଳର ନାଁ ବିଜୁ ସମତାକ୍ରାନ୍ତି ରଖିବାକୁ ଦାମ ପ୍ରସ୍ତାବ ଦେଇଥିଲେ। ହେଲେ ଏହାକୁ ନେଇ ଦାମ ଏବଂ ବ୍ରଜଙ୍କ ଭିତରେ ତାଳମେଳ ଅଭାବ ରହିବାରୁ ସେ ଦଳ ଛାଡ଼ିଥିଲେ।
ଦାମ କହିଥିଲେ ଯେ ୨୦୧୯ ନିର୍ବାଚନରେ ସେ କଂଗ୍ରେସକୁ ସମର୍ଥନ କରିବେ। ଦାମ କଂଗ୍ରେସରୁ ପ୍ରାର୍ଥୀ ହେବା ନେଇ ମଧ୍ୟ ଚର୍ଚ୍ଚା ହେଲା। କିନ୍ତୁ ଆଜି ସେ ଦିଲ୍ଲୀ ଯାଇଥିବାରୁ ଏବଂ ବିଜେପିର ନେତାମାନଙ୍କୁ ଭେଟିବାର ଥିବାରୁ ବିଜେପି ଆସିବା ନେଇ ଆଲୋଚନା ହେଉଛି।
ଦାମ ଏବଂ ବୈଜୟନ୍ତ ପଣ୍ଡାଙ୍କ ଭିତରେ ଭଲ ସମ୍ପର୍କ ରହିଥିଲା। ଦାମଙ୍କୁ ଯେତେବେଳେ ବିଜେଡି ବହିଷ୍କାର କଲା ସେତେବେଳେ ବୈଜୟନ୍ତ ବିଜେଡିକୁ ତୀର ମାରିଥିଲେ। ଦାମଙ୍କୁ ତାଙ୍କ ବାସଭବନରେ ବୈଜୟନ୍ତ ସାକ୍ଷାତ କରିଥିଲେ। ଏବେ ବୈଜୟନ୍ତ ବିଜେପିରେ ଯୋଗ ଦେଇଥିବାରୁ ଦାମ ସେହି ରାସ୍ତା ଅନୁସରଣ କରୁଥିବା ଚର୍ଚ୍ଚା ହେଉଛି।


















