ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ହାତରେ ବାୟୋଡାଟା ଫର୍ମ। ମନରେ ଆଶଙ୍କା। ଜଣକ ପରେ ଜଣେ ଆଶାୟୀ ଛିଡ଼ା ହୋଇଥିଲେ ଲମ୍ବା ଧାଡ଼ିରେ। ଏହି ଦୃଶ୍ୟ ହେଉଛି ମଙ୍ଗଳବାରର। ଟିକେଟ ପାଇଁ ଜଣକ ପରେ ଜଣେ ଆଶାୟୀ ନବୀନ ନିବାସ ଗେଟରେ ପ୍ରବେଶ କରିଥିଲେ। ଲମ୍ବା ଲାଇନରେ ଛିଡ଼ା ହୋଇଥିଲେ।

ଲମ୍ବା ଲାଇନରେ ଛିଡ଼ା ହୋଇଥିବା ଲୋକଙ୍କ ଭିତରେ ଅନେକ ନୂଆ ମୁହଁକୁ ଦେଖିବାକୁ ମିଳିଛି। ଆଉ କିଛି ପୁରୁଣା ନେତା ବି ଆସି ଟିକେଟ ଲବି କରିଥିଲେ। ହେଲେ ବିଜେଡି ସୁପ୍ରିମୋ କାହାକୁ ଟିକେଟ ଦେବେ ଏବଂ କାହାକୁ କାଟିବେ ତା’ ଉପରେ ସମସ୍ତଙ୍କ ନଜର।

“ବିଜେଡି କାହା ସହ ମେଣ୍ଟ କରିବନି। ଆମେ ଏକାକୀ ନିର୍ବାଚନ ଲଢ଼ିବୁ। ବିଜୟୀ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବ। ଖୁବଶୀଘ୍ର ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇବ”, ମଙ୍ଗଳବାର କହିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ଗୋଟିଏ ପଟେ ନବୀନ ଏହି ମନ୍ତବ୍ୟ ଗଣମାଧ୍ୟମକୁ ଦେଉଥିବା ବେଳେ ଅନ୍ୟପଟେ ବହୁ ଆଶାୟୀଙ୍କ ଭିଡ଼ ନବୀନ ନିବାସରେ ପରିଲକ୍ଷିତ ହୋଇଥିଲା।

ସୋମବାର ଦିନ ମହିଳା ନେତ୍ରୀଙ୍କ ଭିଡ଼ ଲାଗିଥିବା ବେଳେ ଆଜି ଉଭୟ ପୁରୁଷ ଏବଂ ମହିଳା ଆଶାୟୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ନିର୍ବାଚନ କମିଶନର ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପରେ ଆଶାୟୀଙ୍କ ମନରେ ଉତ୍କଣ୍ଠା ବଢ଼ିଛି। ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେଉଥିବାରୁ ଟିକେଟ ପାଇଁ ଜୋରଦାର ଲବି ଆରମ୍ଭ ହୋଇଛି।

ବିଜେଡିରେ ପ୍ରତିଦିନ ଅନ୍ୟ ଦଳରୁ ନେତାମାନେ ଆସି ମିଶୁଛନ୍ତି। ଏଣୁ ଟିକେଟ କିଏ ପାଇବ ତାହା ଏଯାଏଁ ଚୂଡ଼ାନ୍ତ ହୋଇପାରୁନି। ଫଳରେ ଆଶାୟୀଙ୍କ ଲମ୍ବା ତାଲିକା ନବୀନ ନିବାସରେ ପହଞ୍ଚୁଛି।

Comment