ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଦଳୀୟ ଟିକେଟ ପାଇଁ ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କ ମଧ୍ୟରେ ଛକାପଞ୍ଝା ଚାଲିଛି।

 (କଟକରୁ ପ୍ରଣବ କୁମାର ନନ୍ଦୀ) ବାଜିସାରିଛି ନିର୍ବାଚନ ବିଗୁଲା ତେବେ ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀରେ କାହାକୁ ମିଳିବ ଟିକେଟ୍ ? ସମଗ୍ର ବିଧାନସଭା ନିର୍ବାଚନମଣ୍ଡଳୀରେ ଏ ପ୍ରଶ୍ନ ଏବେ ଘୂରି ବୁଲୁଛି। ଶାସକ ବିଜେଡି ଦଳ ସହିତ ଭାଜପା ଓ କଂଗ୍ରେସ ଦଳରେ ଏକାଧିକ ଆଶାୟୀ, ରାଜ୍ୟର ଏହି ତିନି ପ୍ରମୁଖ ରାଜନୈତିକ ଦଳ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ହୋଇଛି।

ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଚିଟଫଣ୍ଡ ସଂପୃକ୍ତି ସୃଷ୍ଟି କରିଛି ସଂଖ୍ୟାଧିକ ଆଶାୟୀ

ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଚିଟଫଣ୍ଡ ସଂପୃକ୍ତି ଅଭିଯୋଗ ହିଁ ବିଜେଡି ବହୁ ଆଶାୟୀ ସୃଷ୍ଟି କରିଛି। ବିଧାୟକ ବିଶ୍ୱାଳଙ୍କୁ ଯଦି ଟିକେଟ ନ ମିଳେ ତେବେ ସ୍ଥିତି କ’ଣ ହେବ ସେନେଇ ସାଧାରଣରେ ଚର୍ଚ୍ଚା ଚାଲିଛି। ଏହି ଆଶଙ୍କା ହିଁ  ବିଜେଡିରେ ଏକାଧିକ ଆଶାୟୀ ସୃଷ୍ଟି ହେବାର କାରଣ ହୋଇଛି।

ବର୍ତ୍ତମାନ ଏହି ଆଶାୟୀ ତାଲିକାରେ ବିଜେଡିର ବରିଷ୍ଠ ନେତା, ଛାତ୍ରନେତା, ମହିଳା ନେତ୍ରୀ ଓ ବହୁ ପୂର୍ବତନ କର୍ପୋରେଟର ସାମିଲ ଅଛନ୍ତି। ସେହିପରି ଭାଜପା ଓ କଂଗ୍ରେସ ଦଳରେ ମଧ୍ୟ ଆଶାୟୀଙ୍କ ଲମ୍ବା ତାଲିକା ରହିଛି।

୨୦୦୯ରୁ ଅର୍ଥାତ ନିର୍ବାଚନମଣ୍ଡଳୀ ପୁନଃ ଗଠନ ଓ ନାମକରଣ ପରଠାରୁ ଚୌଦ୍ୱାର-କଟକ ବିଧାନସଭା ନିର୍ବାଚନମଣ୍ଡଳୀରୁ ବର୍ତ୍ତମାନର ବିଧାୟକ ବିଶ୍ୱାଳ ଦୁଇ ଥର ନିର୍ବାଚିତ ହୋଇଛନ୍ତି।

୨୦୦୯ ନିର୍ବାଚନରେ ବିଶ୍ୱାଳ ବିଜେଡି ପ୍ରାର୍ଥୀ ହୋଇ ସ୍ୱାଧୀନ ପ୍ରାର୍ଥୀ ଦୀପକ ବାରିକଙ୍କୁ ୩୨ ହଜାରରୁ ଅଧିକ ଭୋଟରେ ହରାଇ ନିର୍ବାଚିତ ହୋଇଥିଲେ । ସେହିପରି ୨୦୧୪ ବିଧାନସଭା ନିର୍ବାଚନରେ ବିଶ୍ୱାଳ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ଦଳର ସୁରେଶ ମହାପାତ୍ରଙ୍କୁ ୪୧ ହଜାରରୁ ଅଧିକ ଭୋଟରେ ହରାଇ ନିର୍ବାଚିତ ହୋଇଥିଲେ ।

ବିଶ୍ୱାଳଙ୍କ ଏବେବି ଏହି ନିର୍ବାଚନ ମଣ୍ଡଳୀରେ ପ୍ରଭାବ ଓ ପତିଆରା ରହିଛି। ଚିଟଫଣ୍ଡ ଅଭିଯୋଗ ଯୋଗୁଁ ଯଦି ବିଶ୍ୱାଳଙ୍କର ଟିକେଟ୍ କଟିଯାଏ, ସେହି ଆଶଙ୍କାରେ ବିଜେଡିରେ ଏକାଧିକ ଆଶାୟୀ ଉଭା ହୋଇଛନ୍ତି।

ବିଜୟ ସମ୍ଭାବନା ଓ ଯୋଗ୍ୟ ପ୍ରାର୍ଥୀଙ୍କୁ ଦଳୀୟ ଟିକେଟ ମିଳିବାର ମାନଦଣ୍ଡ ନିର୍ଦ୍ଧାରଣ କରାଯାଇଥିଲେ ହେଁ ଶେଷ ମୁହୂର୍ତ୍ତରେ ରାଜ୍ୟର ବଦଳୁଥିବା ରାଜନୈତିକ ପାଣିପାଗକୁ ଦୃଷ୍ଟିରେ ରଖି ବିଜେଡି ଥିଙ୍କ୍ ଟ୍ୟାଙ୍କ୍ ବିଶ୍ୱାଳଙ୍କୁ ଛାଡିବାର ରିସ୍କ ନେଇନପାରିନ୍ତି ବୋଲି ସାଧାରଣରେ ଚର୍ଚ୍ଚ ହେଉଛି।

ଏଣୁ ବିଶ୍ୱାଳଙ୍କ ସ୍ଥାନରେ ତାଙ୍କ ପୁତ୍ର ସୈାଭିକ ବିଶ୍ୱାଳଙ୍କୁ ଟିକେଟ୍ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷରେ ଟିକେଟ ନ ମିଳିଲେ ବିଶ୍ୱାଳ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିପାରନ୍ତି ବୋଲି ନିର୍ବାଚନମଣ୍ଡଳୀର ବିଭିନ୍ନ ଖଟିରେ ଆଲୋଚନାର ବିଷୟ ହୋଇଛି। ସେହିପରି ବିଜେଡି ପକ୍ଷରୁ ନୂଆ ମୁହଁକୁ ଟିକେଟ ମିଳିପାରେ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି।

 

ବିଜେପିରୁ କିଏ ହେବେ ପ୍ରାର୍ଥୀ

ଭାଜପାର ପୁରୁଖା ନେତା ନୟନ କିଶୋର ମହାନ୍ତି ପୂର୍ବରୁ ଏକାଧିକବାର ପ୍ରାର୍ଥୀ ହୋଇସାରିଛନ୍ତି। ଏଥର ମଧ୍ୟ ମହାନ୍ତି ଟିକେଟ ଦୌଡରେ ସର୍ବାଗ୍ରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏପରିକି ମହାନ୍ତି ପଥପ୍ରାନ୍ତ ସଭା ମାଧ୍ୟମରେ ଏହି ନିର୍ବାଚନମଣ୍ଡଳୀରେ ଭୋଟରମାନଙ୍କ ନିକଟତର ହେବା ପାଇଁ ମଧ୍ୟ ପ୍ରୟାସ ଆରମ୍ଭ କରିଥିବା ପରିଲକ୍ଷିତ ହେଉଛି। ଏହାଛଡା ଚଳିତବର୍ଷ ଆଇନଜୀବୀ ପ୍ରମୋଦ ସାହୁ ବିଜଦ ପକ୍ଷରୁ ପ୍ରାର୍ଥୀ ହେବା ପାଇଁ ଅଣ୍ଟା ଭିଡ଼ି ବିଭିନ୍ନ ସଭା ସମିତି କରିଚାଲିଛନ୍ତି।

ଅପରପକ୍ଷରେ କଂଗ୍ରେସ ଦଳ ପକ୍ଷରୁ ଚୈାଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଭାବେ ମାନସ ଚୈାଧୁରୀ ଓ ଜଗଦୀଶ ମହାନ୍ତିଙ୍କ ନାମ ପ୍ରସ୍ତାବିତ ହୋଇଛି ବୋଲି ଚର୍ଚ୍ଚା ହେଉଛି। ଏହାଛଡା କଂଗ୍ରେସ ଦଳ ମଧ୍ୟ ମହିଳା ର୍ଟମ୍ପ କାର୍ଡ ଖେଳି ବିରୋଧୀ ଦଳକୁ ଚକମା ଦେଇପାରେ ବୋଲି ଜନୈକ ବରିଷ୍ଠ ନେତା କହିଛନ୍ତି ।  ସେହିପରି ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ. ନିକୁଞ୍ଜ ପଶାୟତ ଓ ଆକାଶ ଭୁୟାଁଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସୁଛି।

ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀର ବିଜେଡିର ସାଂଗଠନିକ ଦକ୍ଷତା ପୂର୍ବଭଳି ଅତୁଟ ରହିଛି। ଦଳୀୟ ନେତା ଓ କର୍ମୀମାନେ ନିର୍ବାଚନକୁ ନେଇ ବେଶ ଉତ୍ସାହିତ ଅଛନ୍ତି ।

ଅପରପକ୍ଷରେ ୨୦୧୪ ପରଠାରୁ ଚୈାଦ୍ୱାର-କଟକ ନିର୍ବାଚନମଣ୍ଡଳିରେ ଭାଜପା ଶିବିରରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳୁଛି। ବରିଷ୍ଠ ଭାଜପା ନେତା ମହାନ୍ତି ଏଠାରେ ମଙ୍ଗ ଧରିଛନ୍ତି। ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଓଡିଶା ଗସ୍ତ ରାଜ୍ୟ ଭାଜପା କ୍ୟାମ୍ପରେ ଉତ୍ସାହ ଭରିଦେଇଛି।

ସେହିପରି ସର୍ଜିକାଲ ଷ୍ଟ୍ରାଇକ-୨.୦ ସଫଳତାର ପ୍ରଭାବ ମଧ୍ୟ କର୍ମୀଙ୍କ ଉପରେ ପଡିଛି। ବଦଳୁଥିବା ରାଜନୈତିକ ଘଟଣାବଳୀ ମଧ୍ୟ ଭାଜପା ନେତା ଓ କର୍ମୀଙ୍କୁ ଉତ୍ସାହିତ କରିପାରିଛି ।

କଂଗ୍ରେସ ମଧ୍ୟ ଦେଇପାରେ ପ୍ରାର୍ଥୀ

ସେହିପରି କଂଗ୍ରେସ ଦଳର ଜାତୀୟ ସଭାପତି ରାହୁଲ ଗାନ୍ଧିଙ୍କ ଏକାଧିକ ଥର ଓଡିଶା ଗସ୍ତ ପରଠାରୁ ରାଜ୍ୟ କଂଗ୍ରେସ ଶିବିର ମଧ୍ୟ ଚଳଚଂଳ ହୋଇପଡିଛି। ଏହାର ପଭାବ ମଧ୍ୟ ଚୈାଦ୍ୱାର-କଟକ ନିର୍ବାଚନମଣ୍ଡଳୀର ଦଳୀୟ ନେତା ଓ କର୍ମୀଙ୍କ ଉପରେ ପଡ଼ିଛି ।

ଏହି ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଚୟନ ଚୂଡାନ୍ତ ହୋଇଯିବା ପରେ , ଚୈାଦ୍ୱାର-କଟକ ନିର୍ବାଚନମଣ୍ଡଳିରେ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Comment