ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

୨୦୧୯ ନିର୍ବାଚନରେ କ’ଣ ହେବ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ଭାଗ୍ୟ? ସେ ପୁଣି ଟିକେଟ ପାଇବେ ନା ଆଉ କିଏ ବାଜି ମାରିନେବ ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସିଦ୍ଧାନ୍ତ ଓଡ଼ିଶାଲାଇଭ୍‌କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ‘ମୁଁ ଏଥିପାଇଁ ବ୍ୟସ୍ତ ନୁହେଁ’।

“ଦଳରେ ଅଛି। ଲୋକମାନଙ୍କ ଭଲ ପାଇବା ମୋ’ ପ୍ରତି ଅଛି। ଦୁଇ ଥର ମୁଁ ସାଂସଦ ହୋଇଛି। ଯଦି ମୋର ଦକ୍ଷତା ଥିବ ତାହାଲେ ମୋ ନେତା ମତେ ପୁଣି ଟିକେଟ ଦେବେ”, ‘ଓଡ଼ିଶାଲାଇଭ୍‌’କୁ କହିଛନ୍ତି ସିଦ୍ଧାନ୍ତ ମହାପାତ୍ର।

ଚର୍ଚ୍ଚା ସବୁବେଳେ ଚର୍ଚ୍ଚା

ଟିକେଟ ନମିଳିବା ଚର୍ଚ୍ଚା ପ୍ରସଙ୍ଗରେ ସିଦ୍ଧାନ୍ତ କହିଛନ୍ତି ଯେ ଏଭଳି ଚର୍ଚ୍ଚାର କାରଣ କ’ଣ ତାହା ମୁଁ କହି ପାରିବି ନାହିଁ। ଆମ ଦଳର ସଭାପତି ହିଁ କହି ପାରିବେ କିଏ ଟିକେଟ ନେବ ଏବଂ କିଏ ପାଇବନି। ଯେ ପର୍ଯ୍ୟନ୍ତ ଆମ ନେତା ଏ ବିଷୟରେ ସ୍ପଷ୍ଟ ସୂଚନା ଦେଇ ନାହାନ୍ତି ସେପର୍ଯ୍ୟନ୍ତ ଏମିତି ଚର୍ଚ୍ଚା ଲାଗି ରହିବ। ଚର୍ଚ୍ଚା କେବଳ ସବୁବେଳେ ଚର୍ଚ୍ଚା। ଏଥିପାଇଁ ମୁଁ ବ୍ୟସ୍ତ ନୁହେଁ। ଚର୍ଚ୍ଚା ସବୁବେଳେ ଚର୍ଚ୍ଚାରେ ହିଁ ରହିବା ଦରକାର ବୋଲି ସିଦ୍ଧାନ୍ତ କହିଛନ୍ତି।

ଟିକେଟ ପାଇଁ ଚିନ୍ତିତ ନୁହେଁ

୨୦୦୯ ଏବଂ ୨୦୧୪ରେ ବ୍ରହ୍ମପୁର ଲୋକସଭା ଆସନରେ ମୋର ଯିଏ ପ୍ରତିଦ୍ୱନ୍ଦ୍ୱୀ ଥିଲେ ସେମାନେ ଏବେ ବିଜେଡିରେ। ଦଳ ସେମାନଙ୍କୁ ସ୍ୱାଗତ କରିଛି। ଏଣୁ ଅନ୍ୟ ଦଳରୁ ନେତାମାନେ ଆସୁ ଥିବାରୁ ଏହାକୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ। ଏଥିପାଇଁ ‘ମୁଁ ଆଦୌ ଚିନ୍ତିତ ନୁହେଁ’।

ସିଦ୍ଧାନ୍ତ କହିଛନ୍ତି, “ଟିକେଟ କିଏ ଫାଇନାଲ କରୁଛି ସେ କଥା ମୁଁ କହିପାରିବି ନାହିଁ। ଯିଏ ବି ଟିକେଟ ଫାଇନାଲ କରନ୍ତୁ ଯାଏ ଆସେ ନାହିଁ। କିନ୍ତୁ ଆମ ଦଳର ନେତା ହିଁ ଟିକେଟରେ ମୋହର ମାରିବେ। ଯଦି ସେ ମତେ ଦକ୍ଷ ଭାବିବେ ତାହାଲେ ମୁଁ ଟିକେଟ ପାଇବି।”

ତୃତୀୟ ମହଲା କ’ଣ ଜାଣିନି

ତୃତୀୟ ମହଲା ସହ ସମ୍ପର୍କ କେମିତି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସିଦ୍ଧାନ୍ତ କହିଛନ୍ତି ଯେ ତୃତୀୟ ମହଲା କ’ଣ ତାହା ଜାଣିନି। ମିଡିଆରୁ ହିଁ ତୃତୀୟ ମହଲା ନାଁ ଶୁଣିଛି। ଦଳର ସାଂସଦ ଭାବେ ମୋ ନେତାଙ୍କ ପାଖକୁ ଯାଏ। ମୋର ଯାହା କାମ ଥାଏ ତାହା କରିକି ଆସେ। ତାଛଡ଼ା ମତେ ଯେତେବେଳେ ଯାହା ଦାୟିତ୍ୱ ମିଳିଥାଏ  ତାକୁ ଗୁରୁତ୍ୱ ଦେଇଥାଏ।  ତେବେ କାହା ସହ ସମ୍ପର୍କ ଭଲ ଏବଂ ଖରାପ ତାହା ଏଯାଏଁ ଆକଳନ କରିନି।

“ମୋ’ ନିର୍ବାଚନମଣ୍ଡଳୀରେ ମୁଁ କଥାରେ ନୁର୍ହେ କାମରେ କରିକି ଦେଖାଇଛି”, କହିଛନ୍ତି ସିଦ୍ଧାନ୍ତ।

ମତେ ଯଦି ଯୋଗ୍ୟ ଭାବିବେ ଟିକେଟ ଦେବେ

“ମୋର ନେତା ହେଉଛନ୍ତି ନବୀନ ପଟ୍ଟନାୟକ। ମୁଁ ହେଉଛି ତାଙ୍କର ଜଣେ ବଡ଼ ପ୍ରଶଂସକ। ୨୦୦୯ରେ ମୁଁ ଦଳକୁ ଆସିଥିଲି। ମତେ ବ୍ରହ୍ମପୁର ଲୋକସଭା ଆସନରୁ ଟିକେଟ ଦେଇଥିଲେ। ୨୦୧୪ରେ ମତେ ପୁଣି ଭରସା କରି ଟିକେଟ ଦେଇଥିଲେ। ଯଦି ଏଥର ସେ ମତେ ଉପଯୁକ୍ତ ଭାବନ୍ତି ତାହାଲେ ମୁଁ ପୁଣି ଟିକେଟ ପାଇବି। ତାଛଡ଼ା ମୁଁ ବହୁତ କିଛି ପାଇ ସାରିଛି। ଅଧିକ ଆଶା କରିବା ଠିକ୍ ନୁହେଁ। ମତେ ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ହେବାକୁ ଦିଆଯାଉ”, କହିଛନ୍ତି ସିଦ୍ଧାନ୍ତ।

ଲୋକଙ୍କ ଭଲ ପାଇବା ଅଛି

୨୦୦୯ରେ ପ୍ରଥମ ଥର ପାଇଁ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲି। ସେତେବେଳେ ଯେତିକି ଭୋଟ ପାଇଥିଲି ୨୦୧୪ରେ ତାହା ତିନି ଗୁଣା ବଢ଼ିଥିଲା। ଏଥିରୁ ହିଁ ସ୍ପଷ୍ଟ ହେଉଛି ଲୋକଙ୍କ ଭଲ ପାଇବା କେତେ ରହିଛି ବୋଲି କହିଛନ୍ତି ସିଦ୍ଧାନ୍ତ।

“ମୁଁ କାହା ସହ ଖରାପ ବ୍ୟବହାର କରିନି କି ମୁଁ କାହା ସହ ଖରାପ ହୋଇନି। ଏଣୁ ମୋ ସହିତ କିଏ କାହିଁକି ଖରାପ ହେବ”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ସିଦ୍ଧାନ୍ତ।

ଟିକେଟ ନମିଳିଲେ ପ୍ରଚାର କରିବି

“ଟିକେଟ ନମିଳିଲେ ମୁଁ ଦୁଖିତ ହେବି ନାହିଁ। କାରଣ ଦଳ ମତେ ଯାହା ଦାୟିତ୍ୱ ଦେବ ତାହା କରିବି। ଦଳ ଯଦି ଚାହିଁବି ମୁଁ ପ୍ରଚାର କରିବି”, କହିଛନ୍ତି ସିଦ୍ଧାନ୍ତ।

ମୋ’ ନେତାଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

“ମୋ ନେତା ନବୀନ ପଟ୍ଟନାୟକଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ଏବଂ ଭଲ ପାଇବା ଅଛି। ସେଥିପାଇଁ ମୁଁ ବିଜେଡିକୁ ଆସିଛି। ଭଲପାଇବା ଦେବା ଏବଂ ନେବାରେ ମୁଁ ବିଶ୍ୱାସ କରେ”, କହିଛନ୍ତି ସିଦ୍ଧାନ୍ତ ମହାପାତ୍ର।

Comment