ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
(ନୟାଗଡ଼ରୁ ଜିତେନ୍ଦ୍ର ସାହୁ): ନୟାଗଡ଼ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ ହେଉଛି ଖଣ୍ଡପଡ଼ା। କାରଣ ନିର୍ବାଚନ ଆସିଲେ ଏଠି ସବୁ ଦଳରେ ଆଶାୟୀଙ୍କ ଲମ୍ବା ତାଲିକା ସାମ୍ନାକୁ ଆସିଥାଏ। ୨୦୧୯ ନିର୍ବାଚନରେ ମଧ୍ୟ ସେମିତି ଚିତ୍ର ଦେଖିବାକୁ ମିଳିଛି। ବିଜେପି-ବିଜେଡି-କଂଗ୍ରେସରେ ଆଶାୟୀ ମାଳମାଳ ଥିବାରୁ କିଏ ଟିକେଟ ନେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।
ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ଖଣ୍ଡପଡା ଓ ଭାପୁର ବ୍ଲକର ୪୨ଗୋଟି ପଂଚାୟତ ଓ ଖଣ୍ଡପଡା ଏନ.ଏ.ସି କୁ ନେଇ ଗଠିତ। ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ଏହି ନିର୍ବାଚନ ମଣ୍ଡଳୀ କଟକ ଲୋକସଭା ଆସନ ମଧ୍ୟରେ ଆସୁଅଛି। ଏଠାରୁ ବର୍ତ୍ତମାନ ବିଜୁ ଜନତା ଦଳରୁ ଅନୁଭବ ପଟ୍ଟନାୟକ ବିଧାନସଭାରେ ସଦସ୍ୟ ଅଛନ୍ତି। ଗତ ନିର୍ବାଚନରେ ଅନୁଭବ ଆମ ଓଡ଼ିଶା ପାର୍ଟିର ଟାଣୁଆ ନେତା ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ମାତ୍ର ୬୦୧ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।
୨୦୦୯ ମସିହାରେ ବିଜେଡି ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ସିଂ ୧୬୮୧୪ ଖଣ୍ଡ ଭୋଟରେ ମଧ୍ୟ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ପରାସ୍ତ କରିଥିଲେ। ୧୯୫୧ମସିହା ନିର୍ବାଚନ ପରଠୁ ରାଜ ପରିବାର ସର୍ବାଧିକ ୮ଥର ଶାସନ କ୍ଷମତା ରେ ରହିଥିବା ବେଳେ ସ୍ୱର୍ଗତ ଅରୁଣ ପଟ୍ଟନାୟକଙ୍କ ପରିବାର ହାତରେ ୪ଥର ଏବଂ ଅନ୍ୟମାନେ ମାତ୍ର ୩ଥର ଏଠି ଶାସନ କରିଛନ୍ତି।
୧୯୯୦ ପୂର୍ବରୁ ଏହା କଂଗ୍ରେସ ର ଗଡ଼ ଭାବେ ପରିଚିତ ଥିଲା ଏବଂ ପରେ ବିଜେଡି ଏବଂ କଂଗ୍ରେସ ମଧ୍ୟରେ ଲଢେଇ ଦେଖିବାକୁ ମିଳୁଛି। ୨୦୦୦ମସିହା ପରଠୁ ଏହା ବିଜେଡି ଦଳର ଗଡ଼ ଭାବେ ପରିଗଣିତ ହେଉଛି। ୨୦୦୦ମସିହାରେ ବିଜେଡିକୁ ସର୍ବାଧିକ ୬୯ପ୍ରତିଶତ ଭୋଟ ମିଳିଥିବା ବେଳେ ୨୦୦୯ ଏବଂ ୨୦୧୪ ନିର୍ବାଚନରେ (ଯଥାକ୍ରମେ ୫୪ ଏବଂ୪୭ ) ଏଥିରେ ହ୍ରାସ ଘଟିଛି। ଗତ ନିର୍ବାଚନରେ ପାଖାପାଖି ୮୧ପ୍ରତିଶତ ମତଦାନ ହେଇଥିଲା ଯାହାକି ଏକ ରେକର୍ଡ।
ବିଜେଡିରୁ ଏଥର ଅନୁଭବ ନା ଆଉ କିଏ?
ଖଣ୍ଡପଡା ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନର ଚିତ୍ର ଖୁବ ଅସ୍ପଷ୍ଠ। ଗତ ପଂଚାୟତ ନିର୍ବାଚନରେ ଶାସକ ବିଜେଡି ଏବଂ ଆମ ଓଡ଼ିଶା ପାର୍ଟି ମଧ୍ୟରେ କଡା ମୁକାବିଲା ହୋଇଥିଲା। ଆମ ଓଡ଼ିଶା ପାର୍ଟି ଖଣ୍ଡପଡାରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ହାତେଇ ଥିବା ବେଳେ ଭାପୁରରେ ବିଜୁ ଜନତା ଦଳର ପ୍ରାର୍ଥୀ ଅଧ୍ୟକ୍ଷ ପଦ ହାତେଇଇଥିଲେ। କିନ୍ତୁ ନିର୍ବାଚନ ପରେ ହଠାତ ଚିତ୍ର ବଦଳି ଯାଇଛି।
ସୌମ୍ୟରଂଜନ ପଟ୍ଟନାୟକ ବିଜୁ ଜନତା ଦଳରେ ଯୋଗ ଦେଇଥିବା ବେଳେ ଆମ ଓଡ଼ିଶା ପାର୍ଟିର ବିଜେଡିରେ ବିଲୟ ଘଟିଛି। ତେବେ ନିର୍ବାଚନ ମଣ୍ଡଳୀରେ ବିଜେଡିରେ ଦବଦବା ରହିଥିବାବେଳେ ବର୍ତ୍ତମାନର ବିଧାୟକ ଅନୁଭବଙ୍କୁ ବିରୋଧ ଦଳୀୟ କନ୍ଦଳକୁ ପଦାରେ ପକାଇଛି।
ନିଜେ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ତାଙ୍କ ଝିଅ ଟିକେଟ ଲବିରେ ଥିବା ବେଳେ ଭାପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ତଥା ବ୍ଲକ ସଭାପତି ଗୟାଧର ପରିଡ଼ା, ଖଣ୍ଡପଡା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଶିଶିର କୁମାର ସାହୁ, ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଜୟନ୍ତୀମାଳା ମହାନ୍ତି, ବର୍ତ୍ତମାନର ଖଣ୍ଡପଡା ପଂଚାୟତ ସମିତି ଅଧ୍ୟକ୍ଷ ମନୋଜ ପ୍ରଧାନ ବିଧାୟକଙ୍କୁ ବିରୋଧ କରିବା ସହ ଟିକେଟ ଲବିରେ ରହିଛନ୍ତି।
ସେହିପରି ଇଂ ଦୁଷ୍ମନ୍ତ ସ୍ୱାଇଁ ଏବଂ ଇଂ ବିପିନ ବିହାରୀ ଷଡଙ୍ଗୀ ମଧ୍ୟ ବିଜେଡି ଟିକେଟ ଆଶାୟୀ ରହିଛନ୍ତି। ତେବେ ବିଧାୟକ ଶ୍ରୀ ପଟ୍ଟନାୟକ ଓ ଭାପୁର ବିଜୁ ଜନତା ଦଳର ସଭାପତି ତଥା ବ୍ଲକ ଉପାଧ୍ୟକ୍ଷ ଗୟାଧର ପରିଡାଙ୍କ ମଧ୍ୟରେ ଶକ୍ତି ପ୍ରଦର୍ଶନ ବିଜୁ ଜନତା ଦଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ବିଜେପିରେ ପ୍ରାର୍ଥୀ ମାଳ ମାଳ
ବିଜେପିରୁ ସିଦ୍ଧାର୍ଥ ଶେଖର ସିଂ ଙ୍କ ବ୍ୟତୀତ ଆର ଏସ ଏସ ରୁ କ୍ୟାପଟେନ ଶିବପ୍ରସାଦ ଭଞ୍ଜ, ମହିଳା ସଭାନେତ୍ରୀ ଇଂ ଅର୍ଚ୍ଚନା ଦାସ ପ୍ରମୁଖ ଟିକେଟ ଆଶାୟୀ ଅଛନ୍ତି। ଗତ ପଂଚାୟତ ନିର୍ବାଚନରେ ଆମ ଓଡ଼ିଶା ପାର୍ଟି, ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ତ୍ରିମୁଖୀ ଲଢେଇ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଖାସ ଅନୁଗତ କୁହାଯାଉ ଥିବା ସିଦ୍ଧାର୍ଥଙ୍କୁ ଟିକେଟ ମିଳିବ ବୋଲି ଚର୍ଚ୍ଚା ହେଉଛି।
ପଛରେ କଂଗ୍ରେସ
ଖଣ୍ଡଫଡ଼ଶରେ କଂଗ୍ରେସ କିନ୍ତୁ ପଛରେ ପଡିଛି। ୨୦୦୯ ନିର୍ବାଚନରେ ୪୦ ପ୍ରତିଶତ ଭୋଟ ସହ ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସ କିନ୍ତୁ ୨୦୧୪ନିର୍ବାଚନରେ ମାତ୍ର ୧.୪୨ପ୍ରତିଶତ ଭୋଟ ସହ ଅମାନତ ହରେଇଥିଲା। ଭାରତୀୟ ଜାତୀୟ କଂଗ୍ରେସରୁ ବିନୋଦିନୀ ପ୍ରଧାନ ଟିକେଟ ଲବିରେ ଅଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଠାରେ ପରିବାର ବାଦ ରାଜନୀତି ଚାଲିଥିବା ବେଳେ ଭୋଟର କାହା ମୁଣ୍ଡରେ ସିରିପା ବାନ୍ଧୁଛନ୍ତି ତାହା ଆଗାମୀ ମେ୨୩ରେ ହିଁ ଜଣାପଡିବ।


















