ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଭଦ୍ରକ ଲୋକସଭା ଆସନ ପାଇଁ ବିଜେପି, ବିଜେଡି ଖୋଜୁଛନ୍ତି ନୂଆ ମୁହଁ। ନୂଆ, ପୁରୁଣାଙ୍କୁ ନେଇ ଅଙ୍କ କଷୁଛି କଂଗ୍ରେସ।

କିଏ ନେବ ଭଦ୍ରକ ଲୋକସଭା ଆସନରୁ ଟିକେଟ? ଅର୍ଜୁନ ଚରଣ ସେଠୀ, ତାଙ୍କ ପୁଅ ଅଭିମନ୍ୟୁ ସେଠୀ ନା ଆଉ କିଏ? ଏହି ପ୍ରସଙ୍ଗକୁ ନେଇ ଭଦ୍ରକ ରାଜନୀତିରେ ଲାଗି ରହିଛି ହଟଚମଟ। ଦିନ ଯେତେ ଗଡୁଛି ଭୋଟରଙ୍କ ମନରେ ଟିକେଟକୁ ନେଇ ସେତିକି ଉତ୍କଣ୍ଠା ବଢୁଛି।

୮ ଥରର ଏମପି ଅର୍ଜୁନ

ଭଦ୍ରକ ଲୋକସଭା ଆସନରୁ ଆଜି ପର୍ଯ୍ୟନ୍ତ ଯେତିକି ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ସେମାନଙ୍କ ଭିତରୁ ସର୍ବାଧିକ ଥର ଯାଇଛନ୍ତି ଅର୍ଜୁନ ଚରଣ ସେଠୀ। କଂଗ୍ରେସରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ଅର୍ଜୁନ ଜନତା ଦଳ ଏବଂ ବିଜୁ ଜନତା ଦଳ ଟିକେଟରେ ଲୋକସଭା ଯାଇଛନ୍ତି।

କଂଗ୍ରେସ ଟିକେଟରୁ ୧୯୭୧ରେ ଅର୍ଜୁନଙ୍କର ଲୋକସଭା ଯାତ୍ରା ଆରମ୍ଭ ହୁଏ। ୧୯୭୭ ଯାଏଁ ସେ ସାଂସଦ ରହିଥିଲେ। ପୁଣି ୧୯୮୦ କଂଗ୍ରେସ (ଆଇ)ରୁ ନିର୍ବାଚିତ ହୋଇଥିବା ଅର୍ଜୁନ ଜନତା ଦଳରେ ପ୍ରବେଶ କରିଥିଲେ। ୧୯୯୧ରେ ଅର୍ଜୁନ ଜନତା ଦଳ ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପରେ ୧୯୯୮, ୧୯୯୯, ୨୦୦୪, ୨୦୦୯ ଏବଂ ୨୦୧୪ରେ ଅର୍ଜୁନ ଲୋକସଭାକୁ ନିର୍ବାଚିତ ହୋଇ ରେକର୍ଡ କରିଛନ୍ତି।

ହେଲେ ୨୦୧୯ ନିର୍ବାଚନ ଲଢ଼ିବାକୁ ଅର୍ଜୁନଙ୍କ ବୟସ ସାଥ୍ ଦେଉନି। ଏଣୁ ସେ ତାଙ୍କ ପୁଅକୁ ଟିକେଟ ଦେବାକୁ ଲବି ଚଳାଇଛନ୍ତି।

କଂଗ୍ରେସରୁ ସଂଗ୍ରାମ ନା ଅନନ୍ତ?

୧୯୯୯୬ରୁ କଂଗ୍ରେସ ଭଦ୍ରକ ଲୋକସଭା ଆସନରେ ବିଜୟ ବାନା ଉଡ଼ାଇବାରେ ସମର୍ଥ ହୋଇନି। ହେଲେ ବିଜେଡି ଦୁର୍ଗକୁ ଭାଙ୍ଗିବା ପାଇଁ ୨୦୧୪ ନିର୍ବାଚନରୁ ପ୍ରୟାସ ଜାରି ରଖିଛି କଂଗ୍ରେସ। ଅର୍ଜୁନଙ୍କଠାରୁ କଂଗ୍ରେସର ବରିଷ୍ଠ ନେତା ଅନନ୍ତ ସେଠୀ ଲାଗାତାର ପରାଜିତ ହେବା ପରେ ଗତଥର ପ୍ରାର୍ଥୀ ବଦଳାଇଥିଲା କଂଗ୍ରେସ।

ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ ଜେନା ଅର୍ଜୁନଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିଲେ। ହେଲେ ସଂଗ୍ରାମ ୩ ଲକ୍ଷ ୨୨ ହଜାର ୯୯୭୯ ଭୋଟ ପାଇ ପରାଜିତ ହୋଇଥିଲେ। ସଂଗ୍ରାମ ଯୁବକ ହୋଇଥିଲେ ମଧ୍ୟ ଭଦ୍ରକର ଯୁବ ଭୋଟର ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ। ୨୦୧୯ରେ ବି ସଂଗ୍ରାମଙ୍କ ନାଁ ସୁପାରିଶ ହୋଇଛି। ହେଲେ ଅନନ୍ତ ପୁଣିଥରେ ନିର୍ବାଚନ ଲଢ଼ିବାକୁ ସଜବାଜ ହେଉଛନ୍ତି। କଂଗ୍ରେସ ହାଇକମାଣ୍ଡ ଅନନ୍ତ ନା ସଂଗ୍ରାମ – କାହାକୁ ଟିକେଟ ଦେଉଛନ୍ତି ତାକୁ ନେଇ ସସପେନ୍ସ ବଢ଼ିଛି।

କ’ଣ କହୁଛି ଗଣିତ

ସୋର, ସିମୁଳିଆ, ଭଣ୍ଡାରିପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର, ଚାନ୍ଦବାଲି ବିଧାନସଭା ଆସନକୁ ନେଇ ଭଦ୍ରକ ଲୋକସଭା ଆସନ ଗଠନ କରାଯାଇଛି। ଏହି ଲୋକସଭା ଅଧିନରେ ୧୫ ଲକ୍ଷ ଭୋଟର ଅଛନ୍ତି। ୯୦ ପ୍ରତିଶତ ଗ୍ରାମାଞ୍ଚଳ ରହିଥିବା ବେଳେ ୧୦ ପ୍ରତିଶତ ସହରାଞ୍ଚଳ ରହିଛି। ୬୩ ପ୍ରତିଶତ ହିନ୍ଦୁ ଏବଂ ୨୩ ପ୍ରତିଶତ ମୁସଲମାନ ସଂପ୍ରଦାୟଙ୍କୁ ନେଇ ଭଦ୍ରକ ଲୋକସଭା ଗଠନ କରାଯାଇଛି।

ବିଜେପି ଖୋଜୁଛି ନୂଆ ମୁହଁ!

୨୦୧୪ ନିର୍ବାଚନରେ ବିଜେପିର ଶରତ ଦାସ ୨ ଲକ୍ଷ ୧୬ ହଜାର ୬୧୭ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। କିନ୍ତୁ ଏବେ ନରେନ୍ଦ୍ର ମୋଦିଙ୍କ ହାୱାରେ ବିଜେପି ଭଲ ପ୍ରଦର୍ଶନ କରିବାକୁ ଅଣ୍ଟା ଭିଡ଼ିଛି। ଶରତଙ୍କୁ ବଦଳାଇ ତାଙ୍କ ଜାଗାରେ ନୂଆ ମୁହଁ ଦେବାକୁ ବିଜେପି ଅଙ୍କ କଷୁଛି। ବିଜେଡି ଏବଂ କଂଗ୍ରେସ ଯୁବ ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେଉଥିବାରୁ ବିଜେପି ବି ଯୁବ ପ୍ରାର୍ଥୀଙ୍କୁ ଖୋଜୁଛି।

Comment