ଓଡ଼ିଶାଲାଇଭ୍ ବ୍ୟୁରୋ

ସଂସ୍କୃତି ଓ ପରମ୍ପରାର ରାଜ୍ୟ ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ଭକ୍ତ କେଉଁଠି ଧାଇଁଯାଏ ଭଗବାନଙ୍କୁ ଦର୍ଶନ କରିବା ଲାଗି ତ କେବେ ଭଗବାନ ଦାଣ୍ଡକୁ ଆସି ଭକ୍ତଙ୍କ ଭଲମନ୍ଦ ବୁଝିଥାନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଥାଏ ଦୋଳ ପୂର୍ଣ୍ଣିମା ପୂର୍ବରୁ ବିଭିନ୍ନ ସ୍ଥାନରେ ପାଳନ ହେଉଥିବା ମେଳଣରେ। ଫଗୁପୂର୍ଣ୍ଣିମା ବା ଦୋଳପୂର୍ଣ୍ଣିମା ପୂର୍ବରୁ ଅନେକ ସ୍ଥାନରେ ମେଳନ ପର୍ବ ବା ଯାତ୍ରା ବିଭିନ୍ନ ସ୍ଥାନରେ ପାଳନ ହୋଇଥାଏ।
ଆଜି ଦୋଳ ପୂର୍ଣ୍ଣିମା। ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ମୟୂରଭଞ୍ଜ ଜିଲ୍ଲାର ପଞ୍ଚପିଢ଼ ଉପଖଣ୍ଡରେ ଦୋଳ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ଜୀଉଙ୍କ ମହାମିଳନ ଉତ୍ସବ କରଞ୍ଜିଆରେ ଆୟୋଜିତ ହୋଇଛି।

ଏହି କାର୍ଯ୍ୟକ୍ରମକୁ କରଞ୍ଜିଆ ଦୋଳ ପଡ଼ିଆଠାରେ ଉପଜିଲ୍ଲାପାଳ ଶରତ କୁମାର ପୁରୋହିତ ପରିଚାଳନା କରିଥିଲେ। ଏହି ସମାରେହାରେ ବିଭିନ୍ନ ଅଞ୍ଚଳରୁ ଜୀଉଙ୍କର ମହାମିଳନ ହୋଇଥିଲା।
ପରମ୍ପରା ଅନୁଯାୟୀ ପ୍ରଥମେ କରଞ୍ଜିଆର ଶ୍ରୀ ଶ୍ୟାମରାୟ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିବା ପରେ ଅନ୍ୟ ଜୀଉମାନେ ବିଜେ ହୋଇଥିଲେ। ଏଥିରେ ଠାକୁରମୁଣ୍ଡା, ଶୁକୃଳି, ରରୁଁଆ, ଯଶୀପୁର ଏବଂ କରଂଜିଆର ଆଖପାଖ ଅଞ୍ଚଳରୁ ଜୀଉମାନଙ୍କର ମହାମିଳନ ହୋଇଥିଲା। ତା’ପରେ ଆରମ୍ଭ ହୋଇଥିଲା ମହାମେଳନ।
ଏହି ମିଳନ ପର୍ବରେ ଆତସବାଜି କାର୍ଯ୍ୟକ୍ରମ ଏବଂ ସୁସଜ୍ଜିତ ଅ।ଲୋକମାଳାରେ ସୁଶୋଭିତ ହୋଇଥାଏ। ଏହି ସ୍ଵତନ୍ତ୍ର ପର୍ବକୁ ଅ।ଖପାଖ ଅଞ୍ଚଳର ପ୍ରାୟ ହଜାର ହଜାର ଦର୍ଶକମାନେ ଉପଭୋଗ କରିଥାନ୍ତି।


















