ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ଓ ସଂରକ୍ଷଣ ପାଇଁ ବନବିଭାଗ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି। ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବାରିପଦାଠାରେ ଆୟୋଜିତ ହୋଇଛି ଦୁଇ ଦିନିଆ ଦକ୍ଷତା ବିକାଶ କର୍ମଶାଳା। ଏଥିରେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଦାୟିତ୍ଵରେ ରହୁଥିବା ବନବିଭାଗ ଏବଂ ପୋଲିସ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।
ଅଭୟାରଣ୍ୟ ଭିତରେ ଏବଂ ତା’ର ପାଦଦେଶରେ ବିଭିନ୍ନ ସମୟରେ ଶିକାର କରିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଉଛି। କିନ୍ତୁ ଠିକ୍ ସମୟରେ ଚାର୍ଜସିଟ୍ କୋର୍ଟରେ ଦାଖଲ ହୋଇପାରୁ ନଥିବାରୁ ଅଭିଯୁକ୍ତଙ୍କୁ ସହଜରେ ଜାମିନ ମିଳିଯାଉଛି। ସେମାନେ ପୁଣି ଶିକାର କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ଲାଗି ୱାଇଲ୍ଡ ଲାଇଫ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଉଛି।
ତାଲିମପ୍ରାପ୍ତ ଅଧିକାରୀମାନେ ଦକ୍ଷତା ବିକାଶ କର୍ମଶାଳାରେ ସାମିଲ ହୋଇ ବନ ବିଭାଗ ଓ ପୋଲିସ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ତାଲିମ ଦେଉଛନ୍ତି। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଦୁଇ ଉପନିର୍ଦ୍ଦେଶକ ଓ ବାରିପଦା ବନଖଣ୍ଡ ଅଧିକାରୀଙ୍କ ସମେତ ଶିମିଳିପାଳର ବିଭିନ୍ନ ରେଞ୍ଜ ଅଧିକାରୀମାନେ କର୍ମଶାଳାରେ ସାମିଲ ହୋଇଛନ୍ତି।
Tags: #SimilipalSanctuary #TigerReserve #Protection #Mayurbhanj #Odisha