ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଟିକେଟ ଟେନସନ।

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ହୋଇଛି ପ୍ରାର୍ଥିପତ୍ର ଦାଖଲ। ପ୍ରାର୍ଥିପତ୍ର ଦାଖଲ କରି ନେତା ପ୍ରଚାର ମଇଦାନକୁ ଓହ୍ଲାଇଥିବା ବେଳେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନବୀନ ନିବାସରେ ଟିକେଟ କସରତ ଚାଲିଛି।

ତୃତୀୟ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର, ଢେଙ୍କାନାଳ ଏବଂ ପୁରୀ ଆଦି ଅଞ୍ଚଳରେ ମତଦାନ ଥିବାରୁ ଆଶାୟୀମାନଙ୍କ ଭିଡ଼ ଜମୁଛି। ନବୀନ ନିବାସରେ ଆଶାୟୀମାନେ ବାୟୋଡାଟା ଧରି ନବୀନ ନିବାସ କର୍ମଚାରୀଙ୍କୁ ଭେଟୁଛନ୍ତି।

ତୃତୀୟ ପର୍ଯ୍ୟାୟ ଭୋଟ ରହିଛି ଏପ୍ରିଲ ୨୩ରେ। ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର ଲୋକସଭା ଏବଂ ଏହା ଅଧିନରେ ଆସୁଥିବା ବିଧାନସଭା ଆସନରେ ମତଦାନ ହେବ।

ସମ୍ବଲପୁର, କେନ୍ଦୁଝର ଏବଂ ଢେଙ୍କାନାଳ ଆସନ ପାଇଁ କୌଣସି ଅସୁବିଧା ନଥିବା ବେଳେ କଟକ, ପୁରୀ ଏବଂ ଭୁବନେଶ୍ୱର ଆସନରେ ଟିକେଟ ଅଙ୍କ ଛିଡ଼ୁନି। ପ୍ରତି ନିର୍ବାଚନମଣ୍ଡଳୀରେ ଏକାଧିକ ଆଶାୟୀ ଥିବାରୁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି।

କଟକ, ପୁରୀ ଏବଂ ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ଏଯାଏଁ କିଛି ଚୂଡ଼ାନ୍ତ କରିପାରୁ ନାହିଁ। କାହାକୁ ରଖିବ କାହାକୁ କାଟିବ ତାକୁ ନେଇ ନବୀନ ନିବାସରେ ମାନସମନ୍ଥନ ଚାଲିଛି।

ଏପଟେ ନବୀନ ନିବାସ ଆଗରେ ଅସନ୍ତୁଷ୍ଟ ଗୋଷ୍ଠୀ ବ୍ୟାନର ପ୍ଲାକାର୍ଡ ଧରି ବିଧାୟକଙ୍କ ବିରୋଧରେ ନାରାବାଜି କରୁଛନ୍ତି। ବାଙ୍କି, ନିଆଳି, ବଡ଼ମ୍ବା ଆଦି ଅଞ୍ଚଳରୁ ଅସନ୍ତୁଷ୍ଟ ଗୋଷ୍ଠୀ ଆସି ସ୍ଥାନୀୟ ବିଧାୟକ କିମ୍ବା ତାଙ୍କ ସମ୍ପର୍କୀୟଙ୍କୁ ଟିକେଟ ନଦେବାକୁ ଦାବି କରିଛନ୍ତି।

ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଲୋକସଭା ଆସନ ପାଇଁ ନିର୍ବାଚନ ଏପ୍ରିଲ ୨୯ରେ ହେବାକୁ ଯାଉଛି। ଏହି ଆସନ ପାଇଁ ବି ଟିକେଟ ଦାବିଦାରଙ୍କ ସଂଖ୍ୟା ବଢ଼ି ଚାଲିଛି।

Comment