ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଏକଦା ଓଡ଼ିଶା ରଜନୀତିର ଜଣେ ହେବିୱେଟ ନେତା ଦିଲ୍ଲୀପ ରାୟଙ୍କ ରାଜନୈତିକ ଭବିଷ୍ୟତ ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ଦିଲ୍ଲୀପ ବର୍ତ୍ତମାନ ବିଜେପିରେ ନା ବିଜେଡିରେ ସେ କଥା କେହି ଜାଣି ପାରୁନାହାନ୍ତି। ବିଜେପି ଛାଡ଼ିବା ପରେ ସେ ଏଇକ୍ଷଣି ଅଗନା ଅଗନି ବନସ୍ତରେ ହଜି ଯାଇଥିବା ଭଳି ମନେହେଉଛି।

ଅତୀତରେ କେବେ ବି ଦିଲ୍ଲୀପ ଏଭଳି ତ୍ରିଶଙ୍କୁ ଅବସ୍ଥାରେ ପଡ଼ିନଥିଲେ। ଦିଲ୍ଲୀପଙ୍କ ପଛରେ କୌଣସି ଦଳର ରାଜନୈତିକ ବ୍ୟାନର ଲାଗିବନି ଓ ସେ ହାତ ବାନ୍ଧି ବସିବେ ଏଭଳି ଘଟଣା ଆଗରୁ କେବେ ଘଟିନଥିଲା। ତା’ ପୁଣି ସାଧାରଣ ନିର୍ବାଚନ ଚାଲିଥିବା ବେଳେ!!

ଅନ୍ୟମାନଙ୍କ କଥା ଛାଡ଼ନ୍ତୁ ଦିଲ୍ଲୀପଙ୍କ ସମର୍ଥକମାନେ ବି ଜାଣି ପାରୁନାହାନ୍ତି ଭାଇଙ୍କ ମନରେ କ’ଣ ଚାଲୁଛି। ଏମିତି ଯଦି ଆଉ ଦି ଚାରି ଦିନ ଚାଲେ ସମର୍ଥକମାନେ ଯିଏ ଯୁଆଡ଼େ ଯିବାର ଆଶଙ୍କା ବି ପ୍ରକାଶ ପାଇଲାଣି।

ଦିଲ୍ଲୀପ ଯଦିଓ ବିଜେପିରୁ ଟିକେଟ ପାଇ ୨୦୧୪ ବିଧାନସଭା ନିର୍ବାଚନରେ ଜିତିଥିଲେ, ବିଗତ ଦୁଇ ବର୍ଷ ଧରି ଦଳର ଜାତୀୟ ନେତାଙ୍କ ସହ ତାଙ୍କର ପଟୁନଥୁଲା। ଏଣୁ ସେ ନଭେମ୍ବର ୩୦ରେ ବିଜେପିରୁ ଇସ୍ତଫା ଦେଇଥିଲେ। ଇସ୍ତଫାର କାରଣ ଥିଲା କେନ୍ଦ୍ର ସରକାର  ଦ୍ୱିତୀୟ ବ୍ରାହ୍ମଣୀ ପୋଲ ନିର୍ମାଣର ପ୍ରତିଶ୍ରୁତି ନରଖିବା ଓ ଆଇଜିଏଚର ଉନ୍ନତିକରଣ ନକରିବା।

ବିଜେପିରୁ ଇସ୍ତଫା ଦେବା ପରେ ଶୁଣା ଯାଉଥିଲା ସେ ତାଙ୍କ ପୁରୁଣା ଦଳ ବିଜେଡିକୁ ଫେରିବେ। ହେଲେ ଏହା ଏପର୍ଯ୍ୟନ୍ତ କେବଳ ଆକଳନ ଭିତରେ ହିଁ ରହିଯାଇଛି। ଚଳିତ ୧୫ ତାରିଖରେ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। କିନ୍ତୁ ଦୁହିଁଙ୍କ ଭିତରେ କ’ଣ କଥାବାର୍ତ୍ତା ହେଲା ତାହା ଏପର୍ଯ୍ୟନ୍ତ ଗୋପନୀୟ ରହିଛି।

ନା ବିଜେପିରେ ନା ବିଜେଡିରେ ଏହି ଭଳି ଦ୍ୱନ୍ଦ୍ୱ ଭିତରେ ବର୍ତ୍ତମାନ କଥା ଏଭଳି ସ୍ତରକୁ ଯାଇଛି ଯେ ତାଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧାର ହେବାକୁ ବସିଛି। ଯଦି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ପୂର୍ବରୁ ଦିଲ୍ଲୀପ ବିଜେଡି, ବିଜେପି କିମ୍ବା କଂଗ୍ରେସରେ ଯୋଗ ଦେଉ ନାହାନ୍ତି ଏଥିପାଇଁ ତାଙ୍କୁ ବହୁତ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଆଲୋଚନା ହେଉଛି।

Comment