ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେପୁର ଏବଂ ହିଞ୍ଜିଳିକାଟୁ ଆସନରୁ ନିର୍ବାଚନ ଲଢ଼ିବେ ନବୀନ।
ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି। ଗୋଟିଏ ତାଙ୍କର ପାରମ୍ପରିକ ହିଞ୍ଜିଳିକାଟୁ ଆସନ ଓ ଅନ୍ୟଟି ବରଗଡ଼ ଜିଲ୍ଲାର ବିଜେପୁର। ଚଳିତ ନିର୍ବାଚନରେ ସବୁଠାରୁ ଅଧିକ ଆକର୍ଷଣୀୟ ହେବ ଏହି ଦୁଇଟି ଆସନରେ ଲଢେଇ।
ବିଜେପୁର ଆସନରେ ନବୀନଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ବିଜେପିର ସନତ ବଡ଼ତିଆ। ସୁବାସ ଚୌହାନ ଏଠାରୁ ଲଢ଼ିବା ପାଇଁ ମନା କରିଦେବା ପରେ ବିଜେପି ସନତଙ୍କୁ ଟିକେଟ ଦେଇଛି। ମଜା କଥା ହେଲା ସନତ ପ୍ରଥମେ ବିଜେପିରେ ଥିଲେ।
୨୦୦୮ରେ ବିଜେପି ଛାଡ଼ି ସେ ବିଜେଡିକୁ ଯାଇଥିଲେ। ୨୦୧୮ରେ ବିଜେପୁର ଉପନିର୍ବାଚନ ପୂର୍ବରୁ ସେ ପୁଣି ବିଜେପିକୁ ଫେରି ଆସିଥିଲେ। ସନତ ହେଉଛନ୍ତି ପୂର୍ବତନ ବିଜେପୁର ବିଧାୟକ ନିତ୍ୟାନନ୍ଦ ଗଡ଼ତିଆଙ୍କ ପୁତୁରା। ନିତ୍ୟାନନ୍ଦ ଜନତା ଦଳ ଟିକେଟରେ ବିଧାନସଭା ନିର୍ବାଚନ ଜିତିଥିଲେ ଓ ୧୯୭୭-୧୯୮୦ ମଧ୍ୟରେ ବିଧାୟକ ଥିଲେ।
ଏଣେ କଂଗ୍ରେସ ପକ୍ଷରୁ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କୁ ପ୍ରାର୍ଥୀ କରାଯାଇଛି। ୧୯୯୫ ବିଧାନସଭା ନିର୍ବାଚନରେ ରିପୁନାଥ ବିଜେପୁରରୁ ଜିତି ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିଲେ।
ନବୀନଙ୍କ ପାଇଁ ହିଞ୍ଜିଳି ଆସନ ସୁରକ୍ଷିତ ରହିଥିବା ବେଳେ ଏଠାରୁ ବିଜେପିର ଉପସଭାପତି ପିତାମ୍ବର ଆଚାର୍ଯ୍ୟ ନବୀନଙ୍କ ବିରୋଧରେ ମଇଦାନକୁ ଓହ୍ଲାଇଛନ୍ତି। ପିତାମ୍ବର ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଛନ୍ତି ଓ ବୃତ୍ତିରେ ସେ ଜଣେ ଆଇନଜୀବୀ। ହାଇକୋର୍ଟରେ ତାଙ୍କର ଭଲ ପ୍ରାକ୍ଟିସ ରହି ଆସିଛି ଓ ବିଜେପିର ସେ ଜଣେ କୁହାଳିଆ ନେତା।
ହିଞ୍ଜିଳିକାଟୁ ଆସନରେ ନବୀନଙ୍କ ସହ ଲଢ଼ିବେ କଂଗ୍ରେସର ଶମ୍ଭୁନାଥ ପାଣିଗ୍ରାହୀ। ପୂର୍ବରୁ କଂଗ୍ରେସ ପ୍ରାଣକୃଷ୍ଣ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିଲା ଓ ସେ ପ୍ରାର୍ଥିପତ୍ର ଦାଖଲ ବି କରିସାରିଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ବଦଳିଥିଲେ।
ପିତାମ୍ବର ଆଚାର୍ଯ୍ୟ ପ୍ରାର୍ଥୀ ହେବା ପରେ କଂଗ୍ରେସ ତାର ପ୍ରାର୍ଥୀ ବଦଳାଇବାକୁ ବାଧ୍ୟ ହେଲା। ଶମ୍ଭୁନାଥ ପାଣିଗ୍ରାହୀଙ୍କ ଏକମାତ୍ର ପରିଚୟ ହେଉଛି ସେ ଜଣେ ସ୍ଥାନୀୟ ନେତା। ଆଗରୁ କିନ୍ତୁ ସେ କେବେ ନିର୍ବାଚନ ଲଢ଼ି ନଥିଲେ।








ବିଜେପୁର ଏବଂ ହିଞ୍ଜିଳିକାଟୁ ଆସନରୁ ନିର୍ବାଚନ ଲଢ଼ିବେ ନବୀନ।









