ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ, ଓଡ଼ିଶା ବିଜେପିର ସବୁକିଛି ଓ ମୁଖ୍ୟମନ୍ତ୍ରୀ ଆଶାୟୀ ଧର୍ମେନ୍ଦ୍ର ପ୍ରଧାନ ଏବେ ନିର୍ବାଚନ ଲଢ଼ିବେ ନାହିଁ। ଦଳର ନିର୍ବାଚନ ପ୍ରଚାରରେ ସେ ନିଜକୁ ନିୟୋଜିତ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଧର୍ମେନ୍ଦ୍ରଙ୍କ ସମର୍ଥକମାନେ ମଧ୍ୟ ଏଥିରେ ରାଜି।

ସେମାନଙ୍କ କହିବା କଥା ଯଦି ‘ମୁକୁ’ ଭାଇ ନିଜେ ପ୍ରାର୍ଥୀ ହୋଇଯିବେ ଅନ୍ୟ ପ୍ରାର୍ଥୀମାନଙ୍କ ପାଇଁ ଯେତିକି ସମୟ ଦେବା କଥା ଦେଇପାରିବେ ନାହିଁ। ଏଣୁ ସେ ରାଜ୍ୟ ସାରା ବୁଲି ପ୍ରାର୍ଥୀଙ୍କ ବିଜୟ ହାସଲ କରିବା ନିମନ୍ତେ ଉଦ୍ୟମ କରିବେ। ତେବେ ଧର୍ମେନ୍ଦ୍ରଙ୍କ ବିରୋଧୀମାନେ କହୁଛନ୍ତି ସେ ନିର୍ବାଚନ ଲଢ଼ିବାକୁ ଭୟ କରୁଛନ୍ତି।

୪୯ ବର୍ଷୀୟ ଧର୍ମେନ୍ଦ୍ର ବିଗତ ୫ ବର୍ଷ ଧରି ଓଡ଼ିଶାରେ ବିଜେପିକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛନ୍ତି। ଧର୍ମେନ୍ଦ୍ର ଥରେ ମାତ୍ର ୨୦୦୦ ବିଧାନସଭା ନିର୍ବାଚନରେ ପାଲଲହଡ଼ାରୁ ଜିତି ବିଧାନସଭା ଆସିଥିଲେ।

୨୦୦୪ରେ ସେ ଦେବଗଡ଼ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିଲେ ଓ ଜିତିଥିଲେ ମଧ୍ୟ। ୨୦୦୯ ନିର୍ବାଚନରେ ସେ ପୁଣି ପାଲଲହଡ଼ାରୁ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ଏଥିରେ ହାରିଥିଲେ। ୨୦୧୨ ରେ ସେ ଝାଡ଼ଖଣ୍ଡରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୮ରୁ ସେ ରାଜ୍ୟସଭାରେ ମଧ୍ୟ ପ୍ରଦେଶକୁ ପ୍ରତିନିଧିତ୍ୱ କରୁଛନ୍ତି।

ଧର୍ମେନ୍ଦ୍ରଙ୍କ ନିର୍ବାଚନ ନଲଢ଼ିବା ଘଟଣାକୁ ତାଙ୍କ ଦଳ ଭିତରେ ଗୋଟିଏ ଗୋଷ୍ଠୀ ସମର୍ଥନ କରୁଥିବା ବେଳେ ଆଉ ଗୋଟିଏ ଧର୍ମେନ୍ଦ୍ରଙ୍କ ନେତୃତ୍ୱ ଉପରେ ସନ୍ଦେହ ପ୍ରକଟ କରିଛନ୍ତି। ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ସଭାପତି ଅମିତ ଶାହ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି, ଧର୍ମେନ୍ଦ୍ର କାହିଁକି ସେୟା ନକରିବେ ବୋଲି ଧର୍ମେନ୍ଦ୍ରଙ୍କ ବିରୋଧୀ ଗୋଷ୍ଠୀ ପ୍ରଶ୍ନ କରିଛନ୍ତି। ସେମାନଙ୍କ କହିବା କଥା ଯେ ଦଳ ୧୨୦ ଆସନ ଜିତିବାର ଲକ୍ଷ୍ୟ ରଖିଥାଇପାରେ। କିନ୍ତୁ ଧର୍ମେନ୍ଦ୍ର ନିଜେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ନୁହଁନ୍ତି।

Comment