ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଜିଲ୍ଲା ପ୍ରଶାସନ। ବିନା ଅନୁମତିରେ ପୁରୀ ସହରରେ ରାଲି କରିଥିବାରୁ ଏହି ନୋଟିସ ଜାରି କରାଯାଇଛି।

ସବୁଠୁ ବଡ଼ କଥା ହେଉଛି ସମ୍ବିତ ପାତ୍ର ରାଲିରେ ଜଗନ୍ନାଥଙ୍କ ମୂର୍ତ୍ତି ଧରିଥିଲେ। ଏହାକୁ ନେଇ ବିଜେଡି ଏବଂ କଂଗ୍ରେସ ସମ୍ବିତଙ୍କୁ ଘେରିଥିବା ବେଳେ ଜିଲ୍ଲା ପ୍ରଶାସନର କାରଣ ଦର୍ଶାଅ ନୋଟିସ ରାଜ୍ୟ ରାଜନୀତି ପାଣିପାଗକୁ ଗରମ କରିଛି।

ପୁରୀ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା ହେବା ପରେ ସମ୍ବିତ ଗତ ସୋମବାର ଖୋଲା ଜିପରେ ସମର୍ଥକଙ୍କ ସହ ଉତ୍ତରା ଛକରୁ ପିପିଲି ଦେଇ ପୁରୀ ଆସିଥିଲେ। ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ରୋଡ ସୋ’ କରିଥିଲେ।

ଏହି ରୋଡ ସୋ’ ବେଳେ ସମ୍ବିତଙ୍କ ହାତରେ ଜଗନ୍ନାଥଙ୍କ ମୂର୍ତ୍ତି ରହିଥିଲା। ଜଗନ୍ନାଥଙ୍କୁ ନେଇ ସମ୍ବିତ ରାଜନୀତି କରୁଥିବା ଅଭିଯୋଗ ଆଣି କଂଗ୍ରେସ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଥିବା ବେଳେ ବିଜେଡି ପୁରୀ ସିଂହଦ୍ୱାର ଥାନାରେ ଏତଲା ଦେଇଛି।

‘‘ରାଲିରେ ଯାଉଥିବା ବେଳେ ଜଣେ ସମର୍ଥକ ମତେ ବାଟରେ ଉପହାର ସ୍ୱରୂପ ଜଗନ୍ନାଥଙ୍କ ମୂର୍ତ୍ତି ଦେଇଥିଲେ। ଏହାକୁ ମୁଁ ହାତରେ ଧରିଥିଲି। କୌଣସି ଧର୍ମକୁ ନେଇ ବିଜେପି ରାଜନୀତି କରୁନି’’, କହିଥିଲେ ସମ୍ବିତ ପାତ୍ର।

Comment