ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଓଡ଼ିଶାରେ ଆଜି ର୍ନିବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜୟପୁରରେ ଆୟୋଜିତ ସଭାରେ ଯୋଗ ଦେଇ ସିଧାସିଧା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିଗତ ଦିନ ସଭାରେ ଥିବା ଅଭିଭାଷଣ ଏବଂ ଆଜିର ଅଭିଭାଷଣ ଭିତରେ ଅନେକ ପାର୍ଥକ୍ୟ ଲକ୍ଷ୍ୟ କରାଯାଇଛି। ଆଜିର ଅଭିଭାଷଣରେ ସେ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ଉଭୟ ବିଜେଡି ଓ କଂଗ୍ରେସ କୁ ଟାର୍ଗେଟ କରିଛନ୍ତି।

ବିଭିନ୍ନ ଆଞ୍ଚଳିକ ପ୍ରସଙ୍ଗ ନେଇ ମୋଦି ନିଜର ଅଭିଭାଷଣ ରଖିଛନ୍ତି।

“ଗରିବଙ୍କ ପ୍ରତି ଓଡ଼ିଶା ସରକାରଙ୍କ ସମ୍ବେଦନ ନାହଁ। କାରଣ ଆୟୁଷ୍ମାନ ଯୋଜନାକୁ ଓଡ଼ିଶା ସରକାର ଗ୍ରହଣ କରୁନି। ଓଡ଼ିଶାର ଗରିବ ଆଦିବାସୀ ପରିବାରକୁ ସ୍ଵାସ୍ଥ୍ୟ ସୁବିଧା ମିଳୁନି। ସ୍ଵାସ୍ଥ୍ୟ କ୍ଷେତ୍ରକୁ ନେଇ ଯାହା ଚାଲିଛି ସମସ୍ତେ ଜାଣିଛନ୍ତି”, କହିଛନ୍ତି ମୋଦି।

କେବଳ ଏତିକି ନୁହେଁ ମୋଦି ରାଜ୍ୟ ସରକାରଙ୍କ ଅସଫଳତା ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ଯାହା ଅଛି ସାରାଦେଶରେ କେଉଁଠି ନାହିଁ। ଏଠି ପ୍ରାଚୀନ ମନ୍ଦିର ଅଛି, ସମୁଦ୍ର ତଟ ଅଛି, ଖଣିଜ ସଂପଦ ଅଛି, ହେଲେ ଫାଇଦା ଦଲାଲ ନେଉଛି, ସାଧାରଣ ଲୋକ ମୁଣ୍ଡପିଟି କାନ୍ଦୁଛନ୍ତି।

“ଆପଣଙ୍କ ସୁଖ ସୁରକ୍ଷା ପାଇଁ ଏ ଚୌକିଦାର ସର୍ବଦା ଜାଗ୍ରତ। ଥରେ ଏ ଚୌକିଦାରକୁ ସୁଯୋଗ ଦିଅନ୍ତୁ, ତା’ ପରେ ଦେଖିବେ। କେବଳ ଏ ଚୌକିଦାର ହିଁ ସୁରକ୍ଷା ଦେଇପାରିବ। ନାରୀ ହିଂସାରେ ନ୍ୟାୟ ଦେଇପାରୁନଥିବା ସରକାର ସୁରକ୍ଷା ଦେଇପାରିବ କି? ଏଭଳି ସରକାର ମା’, ଭଉଣୀଙ୍କୁ ସୁରକ୍ଷା ଦେଇପାରିବ କି?, ଆଦିବସୀ ସମ୍ପତ୍ତି ଲୁଟିଥିବା ଲୋକ ଓଡ଼ିଶାକୁ ମଜବୁତ କରିପାରିବ କି?, ଚିଟଫଣ୍ଡ ଘୋଟାଲା କରିଥିବା ଲୋକ ଓଡ଼ିଶାର ବିକାଶ କରିପାରିବ କି?, ନକ୍ସଲ ହମଲାରେ କମଜୋର ସରକାରକୁ ଦଣ୍ଡ ଦିଆଯିବା ଦରକାର। ଆପଣଙ୍କ ଭରସା ଭାଙ୍ଗଥିବା ବିଜେଡିକୁ ଦଣ୍ଡ ଦିଆଯିବା ଦରକାର। ଓଡ଼ିଶା ଓ ଭାରତକୁ ମଜବୁତ ସରକାର ନା ଦୁର୍ବଳ ସରକାର ଦରକାର”?,  ଜନତାଙ୍କୁ ପ୍ରଶ୍ନ କରିଛନ୍ତି ମୋଦି।

ଉଭୟ କେନ୍ଦ୍ର, ଓଡ଼ିଶାରେ ବିଜେପି ସରକାର ହେଲେ ବିକାଶ ହେବ। ଏଠାକାର ଆଦିବସୀ ଓ କୃଷକ ଆଗକୁ ବଢ଼ିଲେ ବିକାଶ ହେବ। ବିକାଶର ଡବଲ ଇଂଜିନ ପାଇଁ ବିଜେପି ସରକାର ଆସିବା ଦରକାର ବୋଲି ଜନତାଙ୍କୁ ଆହ୍ଵନ କରିଛନ୍ତି ମୋଦି।

ସେହିପରି କଂଗ୍ରେସକୁ ଟାର୍ଗଟେ କରିଛନ୍ତି ମୋଦି।

“ଶତ୍ରୁଙ୍କ ଘରେ ପଶି ମାରୁଥିବ ସରକାର ଦରକାର କି ନାହଁ? ଘରେ ଲାଙ୍ଗୁଡ଼ ଜାକି ବସୁଥିବା ସରକାର ଦରକାର କି? ୧ମାସ ହୋଇଗଲା ପାକିସ୍ତାନ ଶବ ଗଣୁଛି, ବିରୋଧୀ ପ୍ରମାଣ ମାଗୁଛନ୍ତି। ସେନା ଯେତେବେଳେ ବଡ଼ ସଫଳତା ପାଉଛି ବିରୋଧୀ ପ୍ରମାଣ ଖୋଜୁଛନ୍ତି। ସେନାକୁ ଅପମାନ କରୁଥିବା ଲୋକଙ୍କୁ ଶାସ୍ତି ଦିଆଯିବା ଦରକାର କି ନା?”, ଲୋକଙ୍କୁ ପଚାରିଛନ୍ତି ମୋଦି।

ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହା ମୋଦିଙ୍କ ପ୍ରଥମ ଓଡ଼ିଶା ଗସ୍ତ। ଏହି ଗସ୍ତରେ ସେ ତାଙ୍କ ସରକାରଙ୍କ ସଫଳତା ବିଷୟରେ ବଖାଣିବା ସହିତ କଂଗ୍ରେସ ଓ ବିଜେଡିର ଅସଫଳତା  ଓ ଅପାରଗତାକୁ ଲୋକଙ୍କ ସାମ୍ନାରେ ରଖିଛନ୍ତି। ତେବେ ମୋଦିଙ୍କ ଏହି ଅଭିଭାଷଣ ନିର୍ବାଚନକୁ ନେଇ ଲୋକଙ୍କ ଉପରେ ପ୍ରଭାବ ପଡ଼ିବ କି? ଏନେଇ ସମସ୍ତଙ୍କର ନଜର ରହିଛି।

Comment