ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଭୋଟଗ୍ରହଣ ଦିନ ଯେତିକି ପାଖଉଛି ସାରାଦେଶରେ ନିର୍ବାଚନୀ ପ୍ରଚାର ସେତିକି ସେତିକି ଜୋର ଧରୁଛି। ଏହାରି ଭିତରେ ସମସ୍ତଙ୍କ ନଜର ପ୍ରଧାନମନ୍ତ୍ରୀ ଲଢ଼ୁଥିବା ସଂସଦୀୟ କ୍ଷେତ୍ର ବାରଣାସୀ ଉପରେ। ପ୍ରଶ୍ନ ଉଠଉଛି କି ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ କାହାକୁ ପ୍ରାର୍ଥୀ କରିବ କଂଗ୍ରେସ।
ରାଜନୈତିକ କରିଡରରେ ଏ ସମ୍ପର୍କରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରିୟଙ୍କା ଗାନ୍ଧି ଏ ନେଇ ସଙ୍କେତ ଦେଇଛନ୍ତି। ଗୁରୁବାର ରାଏବରେଲିରେ ପ୍ରିୟଙ୍କା ନିର୍ବାଚନୀ ପ୍ରଚାର ପାଇଁ ପହଞ୍ଚିଥିଲେ। ସେଠାରେ କଂଗ୍ରେସ କର୍ମୀ ତାଙ୍କୁ ସ୍ୱାଗତ କରିଥିଲେ।
ସେଠାରେ ଉପସ୍ଥିତ କେତେକ କଂଗ୍ରେସ କର୍ମୀ ପ୍ରିୟଙ୍କାଙ୍କୁ ରାଏବରେଲିରୁ ନିର୍ବାଚନ ଲଢ଼ିବା ଲାଗି କହିଥିଲେ। ଏହାର ଉତ୍ତରରେ ପ୍ରିୟଙ୍କା କର୍ମୀଙ୍କୁ ପଚାରିଥିଲେ, “ବାରଣୀସୀରୁ ନିର୍ବାଚନ ଲଢ଼ିବା କି।”
ପ୍ରିୟଙ୍କାଙ୍କ ଏହି ପାଲଟା ପ୍ରଶ୍ନ ପରେ ଏବେ ନୂଆ ଚର୍ଚ୍ଚା ହେଉଛି। ପୂର୍ବରୁ ବି ପ୍ରିୟଙ୍କା ସଙ୍କେତ ଦେଇଛନ୍ତି ଯଦି ଦଳ ତାଙ୍କୁ ନିର୍ବାଚନ ଲଢ଼ିବା ଲାଗି ପ୍ରାର୍ଥୀ ଘୋଷଣା କରେ ତେବେ ସେ ନିର୍ବାଚନ ଲଢ଼ିବେ ନହେଲେ ଦଳ ଲାଗି ପ୍ରଚାର କରିବେ।
ଏହାରି ଭିତରେ ଆସୁଛି ବାରଣାସୀ ଲୋକସଭା ଆସନ। କାରଣ ବାରଣାସୀରୁ ଦ୍ୱିତୀୟ ଥର ଲାଗି ନିର୍ବାଚନ ଲଢ଼ିବେ ନରେନ୍ଦ୍ର ମୋଦି। ଅନ୍ୟପଟେ କଂଗ୍ରେସ ବାରଣାସୀ ଲାଗି ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ।