ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଏପ୍ରିଲ ୧୧ରେ ହେବ। ତା’ ପୂର୍ବରୁ ପ୍ରାୟ ସବୁ ଦଳ ୨୧ ଲୋକସଭା ସହ ୧୪୭ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରୁଛନ୍ତି। ଏହା ସହ ରାଜ୍ୟରେ ନିର୍ବାଚନୀ ପ୍ରଚାର ଜୋରସୋରରେ ଚାଲିଛି।

ପୁରୀ ଲୋକସଭା ଆସନ ପାଇଁ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ନୂଆ ମୁହଁଙ୍କ ଉପରେ ଭରସା କରିଥିବା ବେଳେ ବିଜେଡି ତା’ର ପ୍ରାର୍ଥୀ ପରିବର୍ତ୍ତନ କରିନାହିଁ। ଅର୍ଥାତ ପୁରୀ ଲୋକସଭା ଲାଗି ବିଜେଡି ପ୍ରାର୍ଥୀ ହୋଇଛନ୍ତି ପିନାକୀ ମିଶ୍ର।

ପୁରୀ ମୈଦାନରେ ଏଥର ୨ ମୁଖପାତ୍ରଙ୍କ ମଧ୍ୟରେ ଲଢ଼େଇ ହେବ। ମୁହାଁମୁହିଁ ହେବେ ବିଜେପିର ପ୍ରାର୍ଥୀ ସମ୍ବିତ ପାତ୍ର ଓ କଂଗ୍ରେସର ସତ୍ୟ ପ୍ରକାଶ ନାୟକ।

ପୁରୀ ଲୋକସଭା ଆସନ ପାଇଁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ କରିଛି। ଜାତୀୟ ଗଣମାଧ୍ୟମରେ ଅନେକ ସମୟରେ ବିଜେପିର ପକ୍ଷ ରଖିଥାନ୍ତି ସମ୍ବିତ।

ବିଜେପି ତାଙ୍କୁ ପୁରୀ ଲୋକସଭାରୁ ପ୍ରାର୍ଥୀ କରିବା ପରେ ସମ୍ବିତ ଜଗନ୍ନାଥଙ୍କୁ ଦର୍ଶନ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ପୁରୀରେ ରୋଡ ସୋ’ କରିଥିଲେ ସମ୍ବିତ।

ପୁରୀରୁ ନରେନ୍ଦ୍ର ମୋଦି ନିର୍ବାଚନ ଲଢ଼ିବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା। ହେଲେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଥିଲା। ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ କରିଛି ବିଜେପି।

ସମ୍ବିତ ଏସସିବି ମେଡିକାଲ କଲେଜ ଏବଂ ବୁର୍ଲା ମେଡିକାଲ କଲେଜରୁ ଡାକ୍ତରୀ ପାସ୍ କରିବା ପରେ ରାଜନୀତିରେ ପ୍ରବେଶ କରିଥିଲେ। ସମ୍ବିତଙ୍କୁ ବିଜେପି ଜାତୀୟ ସ୍ତରରେ ସୁଯୋଗ ପାର୍ଟିର ମତ ରଖିବା ନେଇ ସୁଯୋଗ ଦେଇଆସିଛି।

କଂଗ୍ରେସର ପୁରୀ ଲୋକସଭା ପ୍ରାର୍ଥୀ ସତ୍ୟପ୍ରକାଶ ନାୟକ ସାମ୍ବାଦିକତାରେ ଅନେକ ବର୍ଷ କାମ କରିବା ପରେ ନିକଟରେ ରାଜନୀତିରେ ପ୍ରବେଶ କରିଥିଲେ।

କଂଗ୍ରେସରେ ସାମିଲ ହେବା ପରେ ଦଳ ତାଙ୍କୁ ରାଜ୍ୟ ମୁଖପାତ୍ର କରିଥିଲା। ସତ୍ୟପ୍ରକାଶ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରିଆସିଛନ୍ତି।

ତେବେ ପ୍ରଥମ ଥର ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ସତ୍ୟପ୍ରକାଶ କେମିତି ତାଙ୍କ ବିପକ୍ଷଙ୍କୁ ଟକ୍କର ଦେଉଛନ୍ତି ଏବଂ ପ୍ରଚାର ବେଳେ କ’ଣ ପ୍ରସଙ୍ଗ ରଖୁଛନ୍ତି ତାହା ଖୁବ୍‌ ଶ୍ରୀଘ୍ର ସ୍ପଷ୍ଟ ହୋଇଯିବ।

ପୁରୀବାସୀ ଏଥର ଲୋକସଭା ଆସନ ଲାଗି ପୂର୍ବରୁ ଏକାଧିକ ଥର ସାଂସଦ ରହି ଆସିଥିବା ପିନାକୀ ମିଶ୍ରଙ୍କୁ ପୁଣିଥରେ ନିଜର ଜନ ପ୍ରତିନିଧି କରିବେ ନା ନୂଆ ମୁହଁକୁ ବାଛିବେ ତାହା ନିର୍ବାଚନ ଫଳାଫଳ ପରେ ସ୍ପଷ୍ଟ ହେବ।

Comment