ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପ୍ରାର୍ଥୀ ଚୟନକୁ ନେଇ ଜଗତସିଂହପୁର ଜିଲ୍ଲା ବିଜେପିରେ ଅସନ୍ତୋଷ ଦିନକୁ ଦିନ କୁହୁଳିବାରେ ଲାଗିଛି। ଯଦି ଏହି ବିଦ୍ରୋହକୁ ରୋକା ନଯାଏ ଜିଲ୍ଲାର ଚାରୋଟି ଯାକ ଆସନ ବିଜେପି ହାତରୁ ଖସି ଯାଇପାରେ ବୋଲି ଆଲୋଚନା ହେଉଛି। ଯେଉଁମାନେ ଟିକେଟ ଆଶାୟୀ ଥିଲେ ସେମାନଙ୍କୁ ସୁଯୋଗ ନମିଳିବା କାରଣରୁ ସେମାନେ ଦଳର ନେତୃତ୍ୱ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି।
ବିଜେପି ପକ୍ଷରୁ ପାରାଦୀପ, ତିର୍ତ୍ତୋଲ, ବାଲିକୁଦା-ଏରସମା ଓ ଜଗତସିଂହପୁର ବିଧାନସଭା ଆସନ ପାଇଁ ଯଥାକ୍ରମେ ସମ୍ପଦ ସ୍ୱାଇଁ, ରମାକାନ୍ତ ଭୋଇ, ଡାକ୍ତର ଦାମୋଦର ରାଉତ ଓ ସତ୍ୟବ୍ରତ ମହାପାତ୍ରଙ୍କୁ ପ୍ରାର୍ଥୀ କରାଯାଇଛି। ସତ୍ୟବ୍ରତ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ବିଜେପିର ସଭାପତି।
ସମ୍ପଦଙ୍କୁ ନାପସନ୍ଦ
ପାରାଦୀପ ପାଇଁ ସମ୍ପଦଙ୍କୁ ଟିକେଟ ଦିଆଯାଇଥିବାରୁ ଗୋଟିଏ ଗୋଷ୍ଠୀ କ୍ଷୁବ୍ଧ। ବିଶେଷକରି ଏଥର ଆଶାୟୀ ଥିବା ଗତିକୃଷ୍ଣ ଶତପଥୀଙ୍କ ସମର୍ଥକମାନେ ପୂରା ଖପ୍ପା। ଟିକେଟ ନମିଳିବା ଖବର ଆସିବା ପରେ ଶତପଥୀ ନିଜ ପ୍ରଭାରୀ ପଦରୁ ଇସ୍ତଫା ଦେଇଥିଲେ। ଦଳୀୟ ପଦ ଛାଡ଼ିବା ହେତୁ ଏହା ପାରାଦୀପର ଭୋଟ ଉପରେ ପ୍ରଭାବ ପକାଇବ ଏହା ନିଶ୍ଚିତ।
ତିର୍ତ୍ତୋଲରେ ବି ଝମେଲା
ତିର୍ତ୍ତୋଲ ବିଧାନସଭା ଆସନରେ ବି ସମାନ ଅବସ୍ଥା। ଜିଲ୍ଲା ଉପସଭାପତି ଅଜୟ ରାଉତଙ୍କ ନେତୃତ୍ୱରେ ବିଦ୍ରୋହୀମାନେ ରମାକାନ୍ତ ଭୋଇଙ୍କୁ ବିରୋଧ କରୁଛନ୍ତି। ବିରୋଧୀଙ୍କ ସହିତ ଅଛନ୍ତି ଜିଲ୍ଲାର ଏସସି ମୋର୍ଚ୍ଚା ସାଧାରଣ ସମ୍ପାଦକ ସାଗର ଦାସ। ସମସ୍ତେ ମିଶି ଦଳର ତୁଙ୍ଗ ନେତୃତ୍ୱ ନିକଟରେ ଫେରାଦ ହୋଇଥିବା ଜଣାପଡିଛି। ପ୍ରାର୍ଥିପତ୍ର ଦାଖଲ ଶେଷ ହେବା ପୂର୍ବରୁ ପ୍ରାର୍ଥୀ ନବଦଳିଲେ ନିର୍ବାଚନରେ ସେମାନେ ସହଯୋଗ କରିବେ ନାହିଁ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି। ଅନ୍ୟ ଦୁଇ ଜଣ ଟିକେଟ ଆଶାୟୀ ହରିହର ବେହେରା ଓ ସଞ୍ଜୟ ଦାସ ମଧ୍ୟ ରମାକାନ୍ତ ଭୋଇଙ୍କ ପ୍ରାର୍ଥୀତ୍ୱକୁ ନେଇ ଖୁସି ନୁହନ୍ତି।
ଦାମଙ୍କ ସ୍ଥିତି ଖରାପ
ବାଲିକୁଦା-ଏରସମା ଆସନରେ ମଧ୍ୟ ତଦୃପ ଅବସ୍ଥା। ଦାମୋଦର ରାଉତଙ୍କୁ ପ୍ରାର୍ଥୀ କରାଯିବାରୁ ରଘୁନନ୍ଦନ ଦାସଙ୍କ ନେତୃତ୍ୱରେ ହଜାର ହଜାର ବିଜେପି କର୍ମୀ ଶାସକ ବିଜେଡିରେ ଯୋଗ ଦେଇସାରିଛନ୍ତି। ଯଦିଓ ଦାମ ରାଉତ ଏହି ଆସନରୁ ୫ ଥର ଜିତିଛନ୍ତି,ଏଥର କିନ୍ତୁ ଜିତିବା ତାଙ୍କ ପାଇଁ କଷ୍ଟ କର ହେବ ବୋଲି ଆଲୋଚନା ହେଉଛି।
ଯଦି ବିଜେପିର କର୍ମୀମାନେ ହିଁ ବିରୋଧ କରିଛନ୍ତି ଦାମ ବାବୁ କାହାକୁ ନେଇ ଭୋଟ ପ୍ରଚାରକୁ ଓହ୍ଲାଇବେ ବୋଲି ଜଣେ ଅସନ୍ତୁଷ୍ଟ ବିଜେପି ନେତା ପ୍ରଶ୍ନ କରିଛନ୍ତି। ତେବେ ଦାମଙ୍କ ପକ୍ଷରୁ ଏକ ନୂଆ ରଣନୀତି ପ୍ରସ୍ତୁତ କରାଯାଇଥିବା କଥା ଜଣାପଡିଛି। ବିଜେଡି ଓ କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ଦାମ ହାତ କରିଥିବା କୁହାଯାଉଛି।
ଜଗତସିଂହପୁରରେ ଚିତ୍ର ଅସ୍ପଷ୍ଟ
ଜଗତସିଂହପୁର ବିଧାନସଭା ଆସନରେ ଯଦିଓ ଖୋଲାଖୋଲି ବିଦ୍ରୋହ ସୃଷ୍ଟି ହୋଇ ନାହିଁ ତଥାପି ଟିକେଟ ଆଶାୟୀ ଥିବା ପ୍ରମୋଦ ମିଶ୍ର ଓ ତାଙ୍କ ସମର୍ଥକମାନେ ସତ୍ୟବ୍ରତଙ୍କ ପ୍ରାର୍ଥୀତ୍ୱକୁ ଭିତରେ ଭିତରେ ବିରୋଧ କରିଛନ୍ତି। ପ୍ରମୋଦ ୨୦୧୪ ନିର୍ବାଚନରେ ଏଠାରୁ ପ୍ରାର୍ଥୀ ଭାବେ ଠିଆ ହୋଇଥିଲେ।
ଏହିଭଳି ଦେଖିବାକୁ ଗଲେ ଜଗତସିଂହପୁର ଭଳି ଏକ ସମ୍ବେଦନଶୀଳ ଜିଲ୍ଲାରେ ବିଜେପିର ସ୍ଥିତି ପୂରା ଗୋଳମାଳିଆ ଧରିଛି। ଯଦି ଦଳର ତୁଙ୍ଗ ନେତା ଏହି ଅସନ୍ତୋଷକୁ ଶୀଘ୍ର ନସଜାଡୁଛନ୍ତି, ସବୁ ଆସନ ବିଜେଡି ପୋଛି ନେଇଯାଇପାରେ ବୋଲି ଆଲୋଚନା ହେଉଛି।


















